କନ୍ଧମାଳ ଜିଲ୍ଲାରେ ପ୍ରତିଷ୍ଠା ହେବ ୨୦ କୋଭିଡ୍ କେୟାର୍‌ ସେଣ୍ଟର୍‌

ଫୁଲବାଣୀ: କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ କନ୍ଧମାଳ ଜିଲ୍ଲାରେ କାୟା ବିସ୍ତାର କରି ଚାଲିଛି। ଆଜି ପୁଣି ୧୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛି। ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ନୂଆସାହିରୁ ‌ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସିଆରପିଏଫ୍‌ କ୍ୟାମ୍ପରୁ ୩ ଜଣ, ବାଲିଗୁଡ଼ାର କଣ୍ଟ୍ରାଲସାହିରୁ ଜଣେ, ଚକାପାଦରୁ ଜଣେ, ଦାରିଙ୍ଗବାଡ଼ି ବ୍ଲକର କିଲାକିଆ ଗୁମାମାହାରୁ ‌ଜଣେ, ଦାରିଙ୍ଗବାଡ଼ିର ସିକାପଟାରୁ ୨ ଜଣ, ଦାରିଙ୍ଗବାଡ଼ିର ବଡ଼ିପଦରରୁ ଜଣେ, ଫୁଲବାଣୀ ପୌରପାଳିକାର ପିଅନପଡ଼ାରୁ ୨ ଜଣ, ଫୁଲବାଣୀସାହିରୁ ୨ ଜଣ, ଘୁ.ଉଦୟଗିରିର ଇଲେକ୍ଟ୍ରିକ୍ ଅଫିସ୍ ଛକରୁ ଜଣେ, ତୁମୁଡ଼ିବନ୍ଧର ମେଡିକାଲ୍ କଲୋନିରୁ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ଦ୍ରୁତ ଭାବରେ ନିଜର କାୟା ବିସ୍ତାର କରୁଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।
କନ୍ଧମାଳ ଜିଲ୍ଲା ସଦରମହକୁମା ହସ୍ପିଟାଲ୍ ପରିସରରେ ଥିବା କୋଭିଡ୍ ହସ୍ପିଟାଲ୍‌କୁ କାର୍ଯ୍ୟକ୍ଷମ କରାଯାଇଛି। ଏଠାରେ ଡାକ୍ତର, ଷ୍ଟାଫ ନର୍ସଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେହିଭଳି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୭ଟି କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା କରାଗଲାଣି। ଜିଲ୍ଲାରେ ମୋଟ ୨୦ଟି କୋଭିଡ୍ କେୟାର ସେଣ୍ଟର୍ ପ୍ରତିଷ୍ଠା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।ସେହିଭଳି ଜିଲ୍ଲାକୁ ଫେରୁଥିବା ପ୍ରବାସୀମାନଙ୍କ ଉପରେ କଡ଼ା ନଜର ରଖାଯାଇଛି। ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀମାନଙ୍କୁ ଟିଏମ୍‌ସିରେ ରଖାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।
ଜିଲ୍ଲାର ୧୭୧ ପଞ୍ଚାୟତରେ ୧୭୧ଟି ଟିଏମ୍‌ସି(ଅସ୍ଥାୟୀ ମେଡିକାଲ୍) ପ୍ରତିଷ୍ଠା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ସୂଚନାଯୋଗ୍ୟ, ଆଜି ସୁଦ୍ଧା ମହାରାଷ୍ଟ୍ର,  ତାମିଲନାଡୁ, ପଶ୍ଚିମବଙ୍ଗ, ଛତିଶଗଡ଼ ଭଳି ରାଜ୍ୟରୁ ମୋଟ ୩୭୦ ଜଣ ପ୍ରବାସୀ କନ୍ଧମାଳ ଜିଲ୍ଲାକୁ ଫେରିଲେଣି। ପୂର୍ବରୁ ଏମାନଙ୍କୁ ଗୃହ ସଙ୍ଗରୋଧରେ ରଖାଯାଉଥିଲା। ମାତ୍ର ଏବେଠୁ ସେମାନଙ୍କୁ ଟିଏମ୍‌ସିରେ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ଅପରପକ୍ଷେ, ଗୋଟିଏ ଦିନ ଟିକାଦାନ କାର୍ଯ୍ୟକ୍ରମ ଚାଲିବା ପରେ ପୁଣି ବନ୍ଦ ‌ରହିଛି। ଟିକା ଯୋଗାଣରେ ଅନିୟମିତତା ଯୋଗୁଁ ଟିକାଦାନ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଛି। ପ୍ରଶାସନ ପକ୍ଷରୁ ଟେଷ୍ଟିଂ ଉପରେ ଗୁରୁତ୍ବାରୋପ କରାଯାଇଛି।
ଦୈନିକ ୧୧୦୦ ଟେଷ୍ଟିଂ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଅପରପକ୍ଷେ, କନ୍ଧମାଳ ଜିଲ୍ଲାରେ କୋଭିଡ୍-୧୯ର ସଫଳ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍-୧୯ କଣ୍ଟ୍ରୋଲ୍ ରୁମ୍‌ ସ୍ଥାପନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଲାଗି ଏହି କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରିବ। ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ ଏହାର ସ୍ବତନ୍ତ୍ର ଅଫିସର ଭାବେ ଦାୟିତ୍ବ ତୁଲାଇବେ। କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ଅଧିକାରୀମାନେ ଶ୍ରୀ ଦାସଙ୍କୁ ରିପୋର୍ଟ୍ କରିବେ ବୋଲି ଜିଲ୍ଲାପାଳ ଏକ ନି‌ର୍ଦ୍ଦେଶନାମା ଜାରି କରିଛନ୍ତି। 
ସମ୍ବନ୍ଧିତ ଖବର