ଝାରସୁଗୁଡ଼ା: ଅନ୍‌ଲାଇନ୍‌ରେ ଶିରିଡି ସାଇଙ୍କ ପ୍ରସାଦ ମଗେଇବା ମହଙ୍ଗା ପଡ଼ିଲା। ଲିଙ୍କ୍‌ ଦେଇ ସାଇବର ଲୁଟେରା ନେଇଗଲେ ୨୦ ଲକ୍ଷ ଟଙ୍କା। ଏଭଳି ଏକ ଘଟଣା ଘଟିଛି ବେଲପାହାଡ଼ ଥାନା ମୁଚବାହାଲ ଅଞ୍ଚଳରେ। ଠକେଇର ଶିକାର ହୋଇଥିବା ଏମ୍‌. ଭେଙ୍କଟାଛଲାପତି ରାଓଙ୍କ ଏତଲାକ୍ରମେ ବେଲପାହାଡ଼ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ଗତ ୯ ତାରିଖରେ ଶ୍ରୀ ରାଓଙ୍କ ମୋବାଇଲ୍‌କୁ ଏକ ନମ୍ବରରୁ ଫୋନ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ନିଜକୁ ଡେଲିଭରି ସଂସ୍ଥାର କର୍ମଚାରୀ ବୋଲି ପରିଚୟ ଦେବା ସହିତ ଅର୍ଡର କରିଥିବା ଶିରିଡି ସାଇବାବାଙ୍କ ଭୋଗ ଆସିଥିବା କହିଥିଲା।

Advertisment

ଏଥିପାଇଁ ୫ ଟଙ୍କା ଅନ୍‌ଲାଇନ୍‌ ଟ୍ରାନ୍ସଫର କରିବାକୁ ହେବ ବୋଲି ଫୋନ୍‌ କରିଥିବା ବ୍ୟକ୍ତି କହିଥିଲା। ‌ତେବେ ଶ୍ରୀ ରାଓ ପୂର୍ବରୁ ଭୋଗ ମଗାଇଥିବା ବେଳେ ଡେଲିଭରି ସଂସ୍ଥାର କର୍ମଚାରୀ ୫ ଟଙ୍କା କହିଥିବାରୁ ସେ ତାକୁ ବିଶ୍ବାସ କରି ନେଇଥିଲେ। ଏହାପରେ ଉକ୍ତ ବ୍ୟକ୍ତି ଦେଇଥିବା ଲିଙ୍କରେ ଶ୍ରୀ ରାଓ ୫ ଟଙ୍କା ପଠାଇଥିଲେ। କିନ୍ତୁ ଭୋଗ ଆସିନଥିଲା। ବରଂ ୯ ତାରିଖରୁ ନେଇ ୧୨ ତାରିଖ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ବିଭିନ୍ନ ପର୍ଯ୍ୟାୟରେ ୨୦ ଲକ୍ଷ ୩୫୬୪ ଟଙ୍କା କଟି ଯାଇଥିଲା। ଏହାପରେ ସେ ଠକେଇର ଶିକାର ହୋଇଥିବା ଜାଣି ପୁଲିସର ଦ୍ବାରସ୍ଥ ହୋଇଥିଲେ।