ଶାରଳା ମନ୍ଦିର ୩ ହୁଣ୍ଡିରୁ ବାହାରିଲା ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

ହୁଣ୍ଡିରେ ପଡ଼ିଛି ଅଚଳ ଟଙ୍କା ଓ ମୁଦ୍ରା, ପାଣି ଲାଗି ହଜାର ହଜାର ଟଙ୍କା ନଷ୍ଟ

ଜଗତସିଂହପୁର: କୋଭିଡ୍‌ ମହାମାରୀ ଯୋଗୁଁ ୨୦୧୯ରୁ ମା’ ଶାରଳା ମନ୍ଦିର ଭିତରେ ଓ ବାହାରେ ଥିବା ହୁଣ୍ଡି ଖୋଲାଯାଇ ପାରିନଥିଲା। ବର୍ତ୍ତମାନ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ହୁଣ୍ଡି ଗୁଡ଼ିକୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି। ଏଥିପାଇଁ ଧାର୍ଯ୍ୟ ହୋଇଥିବା ଦିନ ଗୁଡ଼ିକରେ ମନ୍ଦିର ବାହାରେ ଥିବା ଗୋଟିଏ ଓ ଭିତରେ ‌ଦୁଇଟି ହୁଣ୍ଡି ଖୋଲଯାଇଛି। ଏହି ତିନି ହୁଣ୍ଡିରୁ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବାହାରିଛି। ମନ୍ଦିର ମଧ୍ୟରେ ଥିବା ଆଉ ଦୁଇଟି ହୁଣ୍ଡି ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ପୁଣି ଦିନ ଧାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି। ଶାରଳା ମନ୍ଦିରର ଆର୍ଥିକ ପରିସ୍ଥିତି ଏବେ ଶୋଚନୀୟ ରହିଛି। ଦୁଇ ବର୍ଷ ହେଲା କୋଭିଡ୍‌ ଯୋଗୁଁ ମନ୍ଦିରକୁ ଶ୍ରଦ୍ଧାଳୁ ଆସିବାରେ କଟକଣା ଲାଗୁ କରାଯାଇଛି। ଏଣୁ ମନ୍ଦିରର ଦୈନିକ ନୀତିରେ ଖର୍ଚ୍ଚ ‌ହେଉଥିବା ୧୨ ହଜାରରୁ ଅଧିକ ଟଙ୍କା ମଧ୍ୟ ଯୋଗାଡ଼ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଏଣୁ ହୁଣ୍ଡିରୁ ବାହାରିଥିବା ଟଙ୍କା ବର୍ତ୍ତମାନ ସମୟରେ ମନ୍ଦିର ନିମନ୍ତେ ବେଶ୍ ଉପଯୋଗୀ ହେବ ବୋଲି ଅନୁମାନ କରାଯାଉଛି। ଖୋଲା ହୋଇଥିବା ତିନିଟା ହୁଣ୍ଡିରୁ ଯଥାକ୍ରମେ ୪,୮୬,୧୯୧, ୬,୯୩,୫୩୫ ଓ ୮,୩୫୦୦୦ ଟଙ୍କାଏପରି ମୋଟ୍ ୨୦,୧୪,୭୨୬ ଟଙ୍କା ବାହାରିଛି। ମନ୍ଦିର ଭିତରେ ଆହୁରି ଦୁଇଟି ହୁଣ୍ଡି ଥିବାରୁ ପ୍ରାୟ ୪୦ ଲକ୍ଷ ଟଙ୍କା ବାହାରିବ ବୋଲି ଅନୁମାନ କରାଯାଉଛି। ବାହୁଡ଼ା ଛୁଟି ପରେ ଅନ୍ୟ ହୁଣ୍ଡି ଗୁଡ଼ିକ ଖୋଲା ହେବ। ଏଣୁ ଏହି ହୁଣ୍ଡି ଗୁଡ଼ିକରୁ ମୋଟ୍ କେତେ ଟଙ୍କା ବାହାରୁଛି, ଏହା ଉପରେ ସମସ୍ତଙ୍କ ନଜର ରହିଛି।

ମାତ୍ର ଏଠାରେ ଆଉ ଏକ ସମସ୍ୟା ହେଲା ହୁଣ୍ଡି ଗୁଡ଼ିକର ସଠିକ୍ ରକ୍ଷଣାବେକ୍ଷଣ କରାଯାଉ ନାହିଁ। ବର୍ଷା ପାଣି ହୁଣ୍ଡି ଭିତରେ ପଶିବା ଯୋଗୁଁ ହଜାର ହଜାର ଟଙ୍କା ନଷ୍ଟ ହୋଇଛି। କେତେକ ବହୁ ଭକ୍ତ ଅଚଳ ଟଙ୍କା ଓ ମୁଦ୍ରା ପକାଇଥିବା ଗଣତି ବେଳେ ଜଣାପଡ଼ିଛି। ଆଉ କିଛି ଶ୍ରଦ୍ଧାଳୁ ଅତି ଚିରା ଫଟା ନୋଟ୍ ମଧ୍ୟ ହୁଣ୍ଡିରେ ପକାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏମିତି ଢ଼ଙ୍ଗରେ ପ୍ରାୟ ୩୨ ହଜାର ଟଙ୍କା ନଷ୍ଟ ହୋଇଥିବା ଜଣାପଡ଼ିଛି। ପ୍ରତ୍ୟେକ ବର୍ଷ ଜଗତସିଂହପୁର ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପ୍ରଭାବିତ ହେଉଛି। ଏଣୁ ମନ୍ଦିର ଭିତରେ ଓ ବାହାରେ ଥିବା ହୁଣ୍ଡି ଗୁଡ଼ିକୁ ଠିକ୍ ଭାବେ ରଖାଯିବାର ଆବଶ୍ୟକତା ରହିଛି। ନଚେତ ଶ୍ରଦ୍ଧାଳୁମାନେ ହୁଣ୍ଡିରେ ଶ୍ରଦ୍ଧା ଓ ଭକ୍ତିରେ ପକାଉଥିବା ଟଙ୍କା ଗୁଡ଼ିକ ଏମିତି ନଷ୍ଟ ହେଉଥିବ। ଏ ନେଇ ମନ୍ଦିର ପ୍ରଶାସନ ପଦକ୍ଷେପ ନେବା ନିହାତି ଆବଶ୍ୟକତା ରହିଛି। ହୁଣ୍ଡିଗୁଡ଼ିକୁ ସୁରକ୍ଷିତ ଅବସ୍ଥାରେ ରଖିବା ପାଇଁ ସ୍ବତନ୍ତ୍ର ଭାବେ ଯୋଜନା ହେବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର