ଖୋର୍ଦ୍ଧା : ଏକ ସମାଜ, ରାଷ୍ଟ୍ରର ଶକ୍ତି ତନ୍ମଧ୍ୟରେ ଥିବା ଯୁବପିଢ଼ିଙ୍କ ଆପାତତଃ ସଂଖ୍ୟା ଓ ସେମାନଙ୍କ କାର୍ଯ୍ୟକୁଶଳତା ଉପରେ ନିର୍ଭର କରେ । ସେହିଭଳି ବିଧବା, ଅନାଥ, ଦିବ୍ୟାଙ୍ଗ, ବୃଦ୍ଧ ଆଦି ଲୋକଙ୍କ ସୁରକ୍ଷା ଓ ସମ୍ପନ୍ନତା ସମାଜର ସଭ୍ୟତା ଓ ଉତ୍ତର ଦାୟିତ୍ୱକୁ ଦର୍ଶାଇଥାଏ । ଅର୍ଥାତ୍ ଜିଲ୍ଲାର ୮୦ ପ୍ରତିଶତ ଲୋକଙ୍କ କାନ୍ଧରେ ୨୦ ପ୍ରତିଶତ ସ୍ୱତନ୍ତ୍ର ସହାୟତା ଆବଶ୍ୟକ କରୁଥିବା ଲୋକଙ୍କ ଉତ୍ତର ଦାୟିତ୍ୱ ରହିଛି । ଏଭଳି ସ୍ଥିତିରେ ଖୋର୍ଦ୍ଧା ଜିଲ୍ଲାର ସାମାଜିକ ସୁରକ୍ଷା ବିଭାଗ ସକ୍ରିୟ ଭାବେ କାମ କରିବାର ଆବଶ୍ୟକତା ଥିବା ବେଳେ ବାସ୍ତାବରେ ଏକ ପ୍ରକାର ନିଷ୍କ୍ରିୟ ପାଲଟିଥିବା ଲକ୍ଷ୍ୟ କରାଯାଉଛି ।
୨୦୧୧ ଜନଗଣନା ଅନୁସାରେ ଜିଲ୍ଲାରେ ୪ଲକ୍ଷ ୪୯ହଜାର ୨୧୨ ପରିବାରର ୨୨ଲକ୍ଷ ୫୧ହଜାର ୬୭୩ଜଣ ଲୋକ ବସବାସ କରୁଛନ୍ତି । ଜିଲ୍ଲା ସାମାଜିକ ସୁରକ୍ଷା ଉନ୍ନୟନ ବିଭାଗରୁ ମିଳିଥିବା ସୂଚନାନୁସାରେ, ଜିଲ୍ଲାରେ ମୋଟ ଜନସଂଖ୍ୟାର ୮୦ ପ୍ରତିଶତ ଲୋକ ୧୫ରୁ ୫୯ ବର୍ଷ ବୟସ୍କ ଅଟନ୍ତି । ୨୦ ପ୍ରତିଶତ ଜନସଂଖ୍ୟା ମଧ୍ୟରେ ଶିଶୁ, ବୃଦ୍ଧ, ବିଧବା, ଦିବ୍ୟାଙ୍ଗ ଆଦି ସ୍ୱତନ୍ତ୍ର ସହାୟତା ଆବଶ୍ୟକ କରୁଥିବା ଜନସଂଖ୍ୟା ଅଛନ୍ତି । ପରିସଂଖ୍ୟାନ ଅନୁସାରେ, ଜିଲ୍ଲାର ପ୍ରାୟ ୪ ପ୍ରତିଶତ ଲୋକ ଅର୍ଥାତ୍ ୮୭ ହଜାର ୬୬୬ଜଣ ଦିବ୍ୟାଙ୍ଗ, ବିଧବା ଓ ଅନାଥ ଅଟନ୍ତି । ଦିବ୍ୟାଙ୍ଗଙ୍କ ସଂଖ୍ୟା ୨୦,୫୪୧ ହୋଇଥିବା ବେଳେ ଅନାଥଙ୍କ ସଂଖ୍ୟା ୩୪୨୨ ଓ ବିଧବାଙ୍କ ସଂଖ୍ୟା ୬୩ହଜାର ୭୦୦ ଅଟେ । ସେହିଭଳି ନବଜାତ ଠାରୁ ୫ ବର୍ଷ ଶିଶୁଙ୍କ ସଂଖ୍ୟା ୧ଲକ୍ଷ ୩୭ହଜାର ୩୧୮ ଓ ୬ରୁ ୧୪ ବର୍ଷ ଶିଶୁଙ୍କ ସଂଖ୍ୟା ୧ଲକ୍ଷ ୮୧ହଜାର ୩୨୯ ଅଟେ । ୬୦ ବର୍ଷରୁ ଉଦ୍ଧ୍ୱର୍ ବୃଦ୍ଧବୃଦ୍ଧାଙ୍କ ସଂଖ୍ୟା ୧ଲକ୍ଷ ୮୧ହଜାର ୫୬୧ ଅଟେ । ଏହି ଆକଳନରେ, ଦିବ୍ୟାଙ୍ଗ, ବିଧବା ଓ ଅନାଥଙ୍କ ସହ ନବଜାତ ଠାରୁ ୧୪ ବର୍ଷ ମଧ୍ୟରେ ଥିବା ଶିଶୁ, ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ଆଦିଙ୍କ ସଂଖ୍ୟା ଏଥିରେ ମିଶା ଯାଏ ତେବେ ଏହାର ସଂଖ୍ୟା ୫ଲକ୍ଷ ୮୭ ହଜାର ୮୭୪ ଅଟେ । ଅର୍ଥାତ୍ ସ୍ୱତନ୍ତ୍ର ସହାୟତା ଆବଶ୍ୟକ କରୁଥିବା ଜନସଂଖ୍ୟା ମୋଟ ଜନସଂଖ୍ୟାର ୨୦ ପ୍ରତିଶତ ଅଟନ୍ତି ।
ଜିଲ୍ଲାରେ ପ୍ରତିବର୍ଷ କୋଟି କୋଟି ଟଙ୍କା ସାମାଜିକ ସୁରକ୍ଷା ବିଭାଗରେ ଖର୍ଚ୍ଚ ହେଉଛି, କିନ୍ତୁ ଏହାର ସୁଫଳ ସ୍ଥଳ ବିଶେଷରେ ଦେଖିବାକୁ ମିଳିପାରୁନାହିଁ । ଦିବ୍ୟାଙ୍ଗଙ୍କ ଚିହ୍ନଟ ଓ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନରେ ବ୍ୟାପକ ଅନିୟମିତତାର ଅଭିଯୋଗ ହେଉଥିବା ବେଳେ ବିଧବାଙ୍କୁ ଭତ୍ତା ଆଦିର ବ୍ୟବସ୍ଥାରେ ରାଜନୈତିକ ପ୍ରଭାବ ଓ ଅନୁମୋଦନ ଅଧିକ ପରିଲକ୍ଷିତହେଉଛି । ଫଳରେ ପ୍ରକୃତ ହିତାଧିକାରୀ ଏଥିରୁ ବଂଚିତ ହେଉଛନ୍ତି । ସେହିଭଳି, କରୋନା ସମୟରେ ବାପା-ମା ହରାଇଥିବା ଅନାଥଙ୍କୁ ଚିହ୍ନଟ ଓ ସେମାନଙ୍କୁ ସହାୟତା ପ୍ରଦାନରେ ମଧ୍ୟ ସଠିକ୍ ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି । ଜିଲ୍ଲା ଯୋଜନା କମିଟି ବୈଠକରୁ ମିଳିଥିବା ସୂଚନାନୁସାରେ, ଜିଲ୍ଲାର ସାମାଜିକ ସୁରକ୍ଷା ପାଇଁ, ୨୦୧୪-୧୫ରେ ୬୬୪ କୋଟି , ୨୦୧୫-୧୬ରେ ୧୧୯୦ କୋଟି , ୨୦୧୬-୧୭ରେ ୧୬୫୩ କୋଟି, ୨୦୧୭-୧୮ରେ ୧୮୦୦ କୋଟି, ୨୦୧୮-୧୯ରେ ୧୯୫୦ କୋଟି, ୨୦୧୯-୨୦ରେ ୨୨୦୦ କୋଟି ଟଙ୍କା ଅନୁଦାନ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଆର୍ଥିକ ବର୍ଷ ଶେଷରେ ପରିସଂଖ୍ୟାନ ଅନୁସାରେ, ବଜେଟ୍ ଆକଳନର ୭୦ରୁ୮୦ ଭାଗ ଅର୍ଥ କେବଳ ଖର୍ଚ୍ଚ ହେଉଛି ।