ସରକାରକା ମାଲ ଦରିଆମେ ଡାଲ: ୨୦ କୁଇଣ୍ଟାଲ ରିଲିଫ ଚୁଡ଼ା ପୋଡ଼ିଲା ପ୍ରଶାସନ

, ୨୦୧୧ ମସିହାର ଲକ୍ଷଲକ୍ଷ ଟଙ୍କାର ଖାଦ୍ୟସାମଗ୍ରୀ ନଷ୍ଟପାଇଁ ଦାୟୀ କିଏ?

ଯାଜପୁର/ଅଭିମନ୍ୟୁବାଲିଆ : ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ରେ ୨୦ କୁଇଣ୍ଟାଲ ରିଲିଫ ଚୁଡ଼ାକୁ ଆଜି ପ୍ରଶାସନ ପକ୍ଷରୁ ପୋଡ଼ି ଦିଆଯାଇଛି। ୨୦୧୧ ମହାବନ୍ୟା ସମୟରେ ବିପନ୍ନ ଲୋକଙ୍କ ପାଇଁ ଆସିଥିବା ଏହି ଚୁଡ଼ା ଏକ ଗୋଦାମରେ ପକାଇ ରଖାଯାଇଥିଲା। ୧୦ ବର୍ଷ ଧରି ପଡ଼ିରହିଥିବା ୨୦ କୁଇଣ୍ଟାଲ ରିଲିଫ ଚୁଡ଼ାରେ ପୋକ ହୋଇଯାଇଥିଲେ। ବରୀ ପରି ଏକ ଦୁର୍ବିପାକ ପ୍ରବଣ ଅଞ୍ଚଳରେ ଏତେ ପରିମାଣର ଖାଦ୍ୟସାମଗ୍ରୀ ଲୋକଙ୍କୁ ବାଣ୍ଟି ନଦେଇ ନଷ୍ଟ କରିବାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ପ୍ରଶାସନର ଏପରି ଉଦାସୀନତାକୁ ବିଭିନ୍ନ ବର୍ଗର ଲୋକମାନେ ନାପସନ୍ଦ କରିଛନ୍ତି। ପ୍ରକାଶ ଯେ, ପ୍ରତିବର୍ଷ ବରୀ ବ୍ଲକ୍‌ ସମେତ ଯାଜପୁର ଜିଲ୍ଲାରେ ବନ୍ୟା, ବାତ୍ୟା ଲାଗିରହିଛି। ଏହି ଦୁର୍ବିପାକରେ ଲକ୍ଷଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ସମୟ ଅବଧି ମଧ୍ୟରେ ହୁଡ଼ହୁଡ଼, ତିତ୍‌ଲି, ଫନି ପରି ବାତ୍ୟା ବିତ୍ପାତ ଓ ବହୁ ମହାବନ୍ୟା ହୋଇଯାଇଛି। ଏପରି ବିପର୍ଯ୍ୟୟ ସମୟରେ ଲୋକମାନେ ଦିନଦିନ ଧରି ଭୋକ ଉପାସରେ ପଡ଼ି ରହିଛନ୍ତି। ଅଧିକାଂଶ ବିପନ୍ନଙ୍କୁ ଏହି ସମୟରେ ସରକାରୀ ସହାୟତା ମିଳିନଥିବା ନେଇ ବାରମ୍ବାର ଅଭିଯୋଗ ହୋଇଛି। ହେଲେ ଲୋକଙ୍କୁ ବାଣ୍ଟି ନଦେଇ ଏତେ ପରିମାଣର ଚୁଡ଼ା ଗୋଦାମ ଘରେ କାହିଁକି ଓ କିପରି ପକାଇ ରଖାଯାଇଥିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏନେଇ ବରୀ ବିଡିଓ ଶିବାନନ୍ଦ ସ୍ବାଇଁଙ୍କୁ ପଚାରିବାରୁ ଦୀର୍ଘ ୧୧ ବର୍ଷ ଧରି ପଡ଼ିରହିଥିବା ଚୁଡ଼ାରେ ପୋକ ହୋଇଯାଇଥିଲେ। ପୂର୍ବ ବିଡିଓମାନେ ଏଥିପ୍ରତି ଧ୍ୟାନ ଦେଇନଥିଲେ। ବର୍ତ୍ତମାନ ଜିଲ୍ଲାପାଳଙ୍କ ଅନୁମତି ନିଆଯାଇ ଏହାକୁ ନଷ୍ଟ କରାଯାଇଛି। ଅନ୍ୟ ପକ୍ଷରେ ଏଥିପାଇଁ ଏକ ଜଏଣ୍ଟ ଭେରିଫିକେସନ୍ ମଧ୍ୟ କରାଯାଇଛି ବୋଲି ବିଡିଓ ଶ୍ରୀ ସ୍ବାଇଁ କହିଛନ୍ତି। ବରୀ ପରି ଏକ ବନ୍ୟାବାତ୍ୟା ପ୍ରବଣ ଅଞ୍ଚଳରେ ବିିଭିନ୍ନ ବିପର୍ଯ୍ୟୟ ସମୟରେ ଖାଦ୍ୟ ସାମଗ୍ରୀ ପାଇଁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ୨୦ କୁଇଣ୍ଟାଲ ଚୁଡ଼ା ଲୋକଙ୍କୁ ବଣ୍ଟା ନଯାଇ ନଷ୍ଟହେବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର