ମହନଦୀର ପଛୁଆ ପାଣିରେ ଖୋର୍ଦ୍ଧା ଜିଲ୍ଲାର ୫୪ ଗାଁର ୨୦ ହଜାର ଲୋକ ପ୍ରଭାବିତ

ଖୋର୍ଦ୍ଧା: ମହାନଦୀରେ ପଛୁଆ ପାଣି ପାଇଁ ଖୋର୍ଦ୍ଧା ଜିଲ୍ଲାରେ ମହାନଦୀର ଶାଖା ନଦୀ ରାଜୁଆ, ଦୟା, ମଲାଗୁଣି, ମକରା ଆଦି ନଦୀରେ ବଢ଼ି ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଜିଲ୍ଲାର ୫ଟି ବ୍ଲକର ୫୪ଟି ଗାଁର ୨୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରାଥମିକ ଆକଳନରେ ବାଲିପାଟଣା ବ୍ଲକର ଚାଷଜମିର କ୍ଷତି ଆକଳନ କରାଯାଇଥିବା ବେଳେ ଖୋର୍ଦ୍ଧା, ବେଗୁନିଆ ଓ ଜଟଣୀ ବ୍ଲକର ଚାଷଜମିର କ୍ଷୟକ୍ଷତି ଏଯାଏଁ ଆକଳିତ ହୋଇପାରିନାହିଁ ।

ଗତକାଲି ଠାରୁ ମାନପୁର ଜଳବନ୍ଦୀରେ ରହିଛି । ସେଠାରେ ବଢ଼ି ପାଣି ଭିତରେ ଥିବା ୩୬ଟି ପରିବାର ମଧ୍ୟରୁ ୬ଟି ପରିବାରକୁ ମାନପୁର ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ତେବେ ଗତକାଲି ରାଜୁଆ-ଦୟା ନଦୀରେ ତିରିମଲ ଠାରେ ଘାଇ ଓ ଆଜି ସକାଳେ ଅଣ୍ଡ-ମନ୍ଦାରବସ୍ତ ରାସ୍ତାର କଂଟାବଣିଆ ଠାରେ ତିନିଟି ଘାଇ ହେବା ପରେ ସର୍ଦ୍ଦାପୁରରେ ବଢ଼ିପାଣି ପଶିବା ଆଶଙ୍କା ସୃଷ୍ଟି ହୋଇଛି ।

ଏନେଇ ଖୋର୍ଦ୍ଧା ବିଡିଓ କ୍ଷୀରାବ୍ଧୀ ତନୟା ସାହୁ କହିଛନ୍ତି ଯେ ମାନପୁରରେ ୩୬ଟି ପରିବାରରୁ ୬ଟି ପାରିବାରକୁ ସ୍ଥାନାନ୍ତର କରାଯାଇଛି । ବଳକା ୩୦ଟି ପରିବାର ଛାତଘରେ ରହିଥିବାରୁ ସେମାନେ ଆସିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି, ତେବେ ସମସ୍ତଙ୍କ ପାଇଁ ଦିନକୁ ଦୁଇବେଳା ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଏକ ଡାକ୍ତରୀ ଓ ପଶୁ ଚିକିତ୍ସା ଟିମ୍ ସେଠାରେ ମହଜୁଦ ଅଛନ୍ତି । ରାଜୁଆ ଓ ଦୟାନଦୀରେ ଘାଇ ସୃଷ୍ଟି କାରଣରୁ ସର୍ଦ୍ଦାପୁରରେ ବଢ଼ି ପାଣି ପଶିବା ସମ୍ଭାବନା ରହିଛି । ଏନେଇ ପ୍ରଶାସନ ସତର୍କ ରହିଛି । ଶୁଖିଲା ଖାଦ୍ୟ, ଡଙ୍ଗା ଆଦି ନିକସ୍ଥ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ମହଜୁଦ ରହିଛି ।

ଅପରପକ୍ଷରେ ପ୍ରଶାସନ ଠାରୁ ମିଳିଥିବା ସୂଚନାନୁସାରେ, ଜିଲ୍ଲାର ବାଲିଅନ୍ତା, ବାଲିପାଟଣା, ଖୋର୍ଦ୍ଧା, ଜଟଣୀ ଓ ବେଗୁନିଆର ୧୯ଟି ପଂଚାୟତର ୫୪ଟି ଗାଁର ୨୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ବାଲିପାଟଣା ବ୍ଲକ ସର୍ବାଧିକ ପ୍ରଭାବିତ ହୋଇଛି । ବର୍ତମାନ ୫ଟି ବ୍ଲକରେ ୧୫ଟି ସ୍ଥାନରେ ରନ୍ଧନ ଖାଦ୍ୟ ତିନିଦିନ ପାଇଁ ଦେବା ବ୍ୟବସ୍ଥା କରାଯାଇଛି । ୧୦ଟି ଆଶ୍ରୟସ୍ଥଳରେ ୩୧୩୫ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ବର୍ତମାନ ସୁଦ୍ଧା ୧୦୪୩ଟି ଗୃହପାଳିତ ପଶୁ ପ୍ରଭାବିତ ହୋଇଛି । ସେମାନଙ୍କ ମଧ୍ୟରୁ ଗାଈ, ବଳଦ ଆଦି ୬୦୪, କୁକୁଡ଼ା ଆଦି ୪୩୯ଟି ପଶୁପକ୍ଷୀ ଅଛନ୍ତି । ବାଲିପାଟଣା ବ୍ଲକରେ ୨୦୨୯ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଥିବା ବେଳେ ଜଟଣୀ, ବେଗୁନିଆ ଓ ଖୋର୍ଦ୍ଧାର ଚାଷଜମିର କ୍ଷୟକ୍ଷତିର ଆକଳନ କରାଯାଇପାରିନାହିଁ ।

ସମ୍ବନ୍ଧିତ ଖବର