ପାଖରେ ଟଙ୍କା ନାହିଁ, ମାନସିକ ଭିନ୍ନକ୍ଷମ ମହିଳାଙ୍କ ଚିକିତ୍ସା ସ୍ବପ୍ନ; ଏରୁଣ୍ଡିବନ୍ଧରେ ବନ୍ଧା ପଡ଼ିଛନ୍ତି ୨୦ବର୍ଷ

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅନ୍ତର୍ଗତ ବରାଦ ପଞ୍ଚାୟତ ପାଟପୁର ୧୧ନମ୍ବର ୱାର୍ଡର ଜଣେ ମହିଳାଙ୍କୁ ଦୀର୍ଘ ୨୦ବର୍ଷ ହେଲା ଏରୁଣ୍ଡିବନ୍ଧରେ ବାନ୍ଧି ରଖିଛନ୍ତି ସ୍ବାମୀ। ରଜନୀ ରଣା ନାମ୍ନୀ ଏହି ମହିଳାଜଣକ ମାନସିକ ଭିନ୍ନକ୍ଷମ। ସ୍ବାମୀ ଶିବ ରଣା ଦିନମଜୁରିଆ। ପତ୍ନୀଙ୍କ ଚିକିତ୍ସା ପାଇଁ ଧାରକରଜ କରି ବହୁ ଅର୍ଥ ଖର୍ଚ୍ଚ କରିଛନ୍ତି ଶିବ। ଏବେ ପାଖରେ ଆଉ ଟଙ୍କା ନାହିଁ। ଫଳରେ ରଜନୀଙ୍କ ଚିକିତ୍ସା ଏକପ୍ରକାର ସ୍ବପ୍ନ ପାଲଟିଥିବା ପରିଲକ୍ଷିତ ହୋଇଛି।
ପତ୍ନୀ ରଜନୀ ଓ ଦୁଇ ଝିଅଙ୍କୁ ନେଇ ଶିବଙ୍କ ପରିବାର। ୨୦୦୧ ମସିହାରେ ରଜନୀଙ୍କ ଠାରେ ମାନସିକ ରୋଗର ଲକ୍ଷଣ ଦେଖା ଦେଇଥିଲା। ସ୍ବାମୀ ଶିବ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ। ଏଥିପାଇଁ ଧାରଉଧାର କରି ସେ ୩୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଏହାସତ୍ତ୍ବେ ରୋଗ ଭଲ ହୋଇ ନ ଥିଲା। ନିରାଶ ହୋଇ ସେ ପତ୍ନୀଙ୍କୁ ଘରକୁ ନେଇ ଆସିଥିଲେ। ଧୀରେଧୀରେ ରଜନୀଙ୍କ ରୋଗ ବଢ଼ିବାକୁ ଲାଗିଥିଲା।

Sambad

ଘରୁ ଏଣେତେଣେ ପଳାଇ ଯାଉଥିବାରୁ ଶିବ ତାଙ୍କୁ ଘର ଦୁଆରମୁହଁରେ ବାନ୍ଧି ମୂଲ ଲାଗିବା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି। ଦୁଇଝିଅଙ୍କ ବିବାହ ‌ଶେଷ ହୋଇଯାଇଥିବାରୁ ଘରେ କେବଳ ପତିପତ୍ନୀ ରହୁଛନ୍ତି। କୌଣସି ଦିନ ଶିବ କାମକୁ ନ ଗଲେ କିମ୍ବା କାମ ନ ମିଳିଲେ ଦମ୍ପତି ଉପବାସରେ ରହୁଛନ୍ତି। ରଜନୀଙ୍କୁ ମାନସିକ ଅନଗ୍ରସର ପ୍ରମାଣପତ୍ର ମିଳିଥିଲେ ମଧ୍ୟ ସେ ଭତ୍ତା ପାଉ ନାହାନ୍ତି। ସେହିପରି ସରକାରୀ ଆବାସ ଯୋଜନାରେ ଶିବଙ୍କୁ ପକ୍କାଘରଟିଏ ମିଳିପାରି ନାହିଁ। ପତ୍ନୀଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା, ଭିନ୍ନକ୍ଷମ ଭତ୍ତା ଓ ପକ୍କାଘର ପାଇଁ ସେ ଅନେକବାର ପଞ୍ଚାୟତରୁ ବ୍ଲକ୍‌ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଭେଟିଛନ୍ତି। ହେଲେ, ସବୁଠାରୁ ନିରାଶ ହେବାକୁ ପଡ଼ିଛି ବୋଲି ଶିବ ଦୁଃଖର ସହ କହିଛନ୍ତି। ଉପଯୁକ୍ତ ଚିକିତ୍ସା ସେବା ପାଇ ନ ପାରି ଜଣେ ମହିଳା ଦୀର୍ଘ ୨୦ବର୍ଷ ଧରି ବନ୍ଧା ହୋଇ ରହିବା ଏବଂ ଅସହାୟ ପରିବାର ସରକାରୀ ସୁବିଧାରୁ ବଞ୍ଚିତ ହେବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲ୍ଲା ଓ ବ୍ଲକ୍‌ ପ୍ରଶାସନ ଏହାର ତଦନ୍ତ କରି ଉପଯୁକ୍ତ ଚିକିତ୍ସା ସହାୟତା ଓ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବି କରାଯାଇଛି। ଏ ସଂପର୍କରେ ନିଶ୍ଚିନ୍ତକୋଇଲି ବିଡିଓ କର୍ଣ୍ଣଦେବ ସମାଦ୍ଦାରଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ଅବଗତ ନ ଥିବା କହିଛନ୍ତି। ତେବେ ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ନିଆଯିବ ବିଡିଓ ଶ୍ରୀ ସମାଦ୍ଦାର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର