ସଇତାନ ପିତାକୁ ୨୦ ବର୍ଷ ଜେଲ୍‌, ତିନି ମାସ ଧରି ୭ ବର୍ଷର ଝିଅକୁ କରିଥିଲା ଦୁଷ୍କର୍ମ

ଜେଜେ ମା’ ପ୍ରତିବାଦ କରିବାରୁ ଖଣ୍ଡାରେ ହାଣିବାକୁ ଦୌଡ଼ାଇଥିଲା ଦୁଷ୍କର୍ମକାରୀ

ରାଉରକେଲା: ନିଜ ଜନ୍ମ କଲା ଝିଅ। ବୟସ ମାତ୍ର ୭ ବର୍ଷ। ଦୁନିଆ କ’ଣ ଜାଣିନଥିଲା ଏହି ନିଷ୍ପାପ କୁନି ଝିଅ। ମାତ୍ର ସଇତାନ ବାପାର ଲୋଲୁପ ଦୃଷ୍ଟି ପଡ଼ିଥିଲା କୁନି ଝିଅ ଉପରେ। ପରିବାର ସଦସ୍ୟଙ୍କ ଅନୁପସ୍ଥିତିରେ ନିଜ ଝିଅକୁ ଦୁଷ୍କର୍ମ କରିଥିଲା।। ଲଗାତାର ୩ ମାସ ଯାଏଁ ଦୁଷ୍କର୍ମ କରିଚାଲିଥିଲା। ଏନେଇ ପରିବାର ଲୋକ ଜାଣିବାପରେ ଥାନାରେ ଏତଲା ଦେବାରୁ ଅଭିଯୁକ୍ତ ଗିରଫ କରିଥିଲା। ଏହି ଦୁଷ୍କର୍ମକାରୀ ବାପା ରାଜ କୁମାର ଲୋହାର(୩୧)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛି।

ଆଜି ଅତିରିକ୍ତ ଜିଲ୍ଲା ଜଜ୍‌ ତଥା ପ୍ରିଜାଇଡିଂ ଅଫିସର(ପକ୍ସୋ କୋର୍ଟ, ସୁନ୍ଦରଗଡ଼) ପାର୍ଥ ସାରଥୀ ପଟ୍ଟନାୟକ ମାମଲାର ବିଚାର କରି ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବାସହ ୫ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଆହୁରି ଏକ ବର୍ଷ ଅଧିକ କାରାବାସର ଆଦେଶ ଦେଇଛନ୍ତି। ପିଡ଼ିତାଙ୍କ ସଠିକ ବୟାନ ଓ ୧୧ ଜଣ ସାକ୍ଷୀଙ୍କର ବୟାନକୁ ଭିତ୍ତିକରି ଏବଂ ପୁଲିସର ସବିଶେଷ ତଦନ୍ତ ରିପୋର୍ଟକୁ ଆଧାରକରି ବିଚାରପତି ଏହି ରାୟ ପ୍ରକାଶ କରିଛନ୍ତି। ଏହାସହ ବିଚାରପତି ରାୟରେ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅବଦୁଲ ସମୀମ ଅଖତର ମାମଲା ପରିଚାଳନା କରିଥିଲେ।

୨୦୧୩ ମସିହାରେଘଟଣା ଘଟିଥିଲା। ଦୁଷ୍କର୍ମକାରୀ ରାଜ କୁମାର ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଜଲଦା ସି’ ବ୍ଲକରେ ରହୁଥିଲେ। ଦୁଷ୍କର୍ମକାରୀ ତିନି ମାସ ଧରି ନିଜ ଝିଅକୁ ଦୁଷ୍କର୍ମ କରିଚାଲିଥିଲା। ୨୦୧୩ ମସିହା ମାର୍ଚ୍ଚ ୬ ତାରିଖ ଦିନ ପ୍ରାୟ ୧୨ଟା ୧୫ ମିନିଟ। ପୀଡ଼ିତା ନିଜ ଜେଜେ ମା’ (ଦୁଷ୍କର୍ମକାରୀର ମା’) ସହ ଘରେ ଥିଲେ। ଏତିକିବେଳେ ଦୁଷ୍କର୍ମକାରୀ ଘରେ ପଶି ପୀଡ଼ିତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। କାମାନ୍ଧ ଦୁଷ୍କର୍ମକାରୀ ନିଜ ମା’କୁ ଘରୁ ବାହାରିଯିବାକୁ କହିଥିଲେ। ଏହାକୁ ଅଭିଯୋଗକାରିଣୀ ପ୍ରତିବାଦ କରିବାରୁ ଦୁଷ୍କର୍ମକାରୀ ନିର୍ଧୁମ ମାଡ଼ ମାରିଥିଲା।

ଜୀବନକୁ ଖାତିର୍‌ ନକରି ଅଭିଯୋଗକାରିଣୀ ନିଜ ନାତୁଣୀକୁ ବଞ୍ଚାଇବାକୁ ପ୍ରୟାସ କରିଚାଲିଥିଲେ। ଏଥିରେ ଦୁଷ୍କର୍ମକାରୀ ଉତ୍‌କ୍ଷିପ୍ତ ହୋଇ ଖଣ୍ଡାରେ ଆକ୍ରମଣ କରିବାକୁ ଦୌଡ଼ାଇଥିଲେ। କୌଣସିମତେ ଜୀବନ ବଞ୍ଚାଇ ଅଭିଯୋଗକାରିଣୀ ଥାନାର ଦ୍ବାରସ୍ଥ ହୋଇଥିଲେ। ଉକ୍ତ ଦିନ ରଘୁନାଥପଲ୍ଲୀ ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା (ଭାରତୀୟ ଦଣ୍ଡବିଧି ଧାରା ୩୭୬(୨)(ଏଫ୍‌)/୩୨୩/୩୪୧/୫୦୬, ୬ ପକ୍ସୋ ଆକ୍ଟ) ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲେ।

ସମ୍ବନ୍ଧିତ ଖବର