ବାରିପଦା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍ ସୁମିନା ଜେନା ଦୋଷୀ ଚୁନୁ ମହାନ୍ତ (୫୬)ଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍‌ଦଣ୍ଡ ଭୋଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ; ୧୩ ବର୍ଷୀୟା ନାବାଳିକାଙ୍କୁ ଭୟ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିଲା ଚୁନୁ। ପୀଡ଼ିତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ପରିବାର ଲୋକ ଆଶାକର୍ମୀଙ୍କ ସହାୟତା‌ରେ ଝିଅକୁ ଡାକ୍ତରଖାନା ନେଇଥିଲେ। ପରୀକ୍ଷା ପରେ ସେ ୩ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏ ସମ୍ପର୍କରେ ପଚରାଉଚୁରା କରିବାରୁ ଅଭିଯୁକ୍ତ ଚୁନୁ ତାକୁ ଜୀବନରୁ ମାରି ଦେବାର ଧମକ ଦେଇ ଅନେକ ଥର ଦୁଷ୍କର୍ମ କରିଥିବା କହିଥିଲେ ପୀଡ଼ିତା। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ବୈଶିଙ୍ଗା ପୁଲିସ ୨୦୧୮ ଅକ୍ଟୋବର ୧୧ ତାରିଖରେ ଚୁନୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିଦିନରୁ ସେ ବାରିପଦା ସର୍କଲ ଜେଲ୍‌ରେ ବିଚାରଧୀନ ବନ୍ଦୀ ଭାବେ ରହୁଛି। ୧୫ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଓ ଅନ୍ୟାନ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ଆଜି ଚୁନୁକୁ ଦୋଷୀ ସାବ୍ୟସ୍ତ କରିବା ସହ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଜିଲ୍ଲା ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ସ୍ବତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ମକଦ୍ଦମା ପରିଚାଳନା କରୁଥିଲେ।