ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ୪ ବର୍ଷ ପୂର୍ବରୁ ଜଣେ ନାବାଳିକାକୁ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲାର ରାୟ ଆଜି ପ୍ରକାଶ ପାଇଛି। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ପୋକସୋ କୋର୍ଟ ସ୍ୱତନ୍ତ୍ର ଜଜ ସମର ବିଳାସ ବେହେରା ଦୋଷୀ ସାବ୍ୟସ୍ତ ଅରୁଣ ସାହୁ ଓ ରଂଜିତ ସାହୁଙ୍କୁ ୨୦ ବର୍ଷ ଲେଖାଏଁ ଜେଲଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହ ପ୍ରତ୍ୟେକଙ୍କୁ ୫୭ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅର୍ଥ ଆଦାୟ ହେଲେ ଏହା ପୀଡ଼ିତାକୁ ଦିଆଯିବ। ଯଦି ଅଭିଯୁକ୍ତମାନେ ଜରିମାନା ନ ଦିଅନ୍ତି ତାହା ହେଲେ ସେମାନଙ୍କୁ ଅଧିକ ୬ ମାସ ଲେଖାଏଁ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ କୁହାଯାଇଛି।

Advertisment

ବିବରଣୀରୁ ପ୍ରକାଶ ଯେ, ୨୦୧୬ ମସିହା ଡିସେମ୍ବର ୨୨ ତାରିଖ ସଂଧ୍ୟାରେ ଏହି ଘଟଣା ଘଟିଥିଲା। ଦଶମ ଶ୍ରେଣୀର ଛାତ୍ରୀ ଗାଁ ଦାଣ୍ଡରେ ବୁଲୁଥିବା ବେଳେ ଏକ ବାଇକରେ ଆସି ଅରୁଣ ଓ ରଂଜିତ ତାକୁ ଅପହରଣ କରି ନେଇ ଯାଇଥିଲେ। କିଛି ବାଟ ଗଲା ପରେ ଗୋଟିଏ କାରରେ ନାବାଳିକାକୁ ନେଇ ଭଗାମୁଣ୍ଡା ଜଙ୍ଗଲ ନିକଟରେ ଦୁହେଁ ଦୁଷ୍କର୍ମ କରିଥିଲେ। ତାପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଏକ ପଥରରେ ମୁଣ୍ଡକୁ ଛେଚି ନାବାଳିକାକୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଅରୁଣ ନାୟକ ନାମକ ଜଣେ ଯୁବକ ଏହାର ପ୍ରତିବାଦ କରିଥିଲା। ତାକୁ ବି ଦୁହେଁ ଆକ୍ରମଣ କରିଥିଲେ। ନାବାଳିକା ଜଣକ ଚେତାଶୂନ୍ୟ ହୋଇ ପଡ଼ିଯିବା ପରେ ସେ ମରିଗଲା ଭାବି ଅଭିଯୁକ୍ତ ଅରୁଣ ଓ ରଂଜିତ ସେଠାରୁ ପଳାଇ ଯାଇଥିଲେ।

ତେବେ ସେହିବାଟ ଦେଇ ଯାଉଥିବା କିଛି ଲୋକ ନାବାଳିକାକୁ ଉଦ୍ଧାର କରି ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅଧିକ ଚିକିତ୍ସା ପାଇଁ ନାବାଳିକାକୁ ଫୁଲବାଣୀସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଚେତା ଫେରିବା ପରେ ନାବାଳିକା ଜଣକ ଘଟଣା ସମ୍ପର୍କରେ କହିବା ପରେ ତାର ମା’ ଏ ନେଇ ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଅରୁଣ ଓ ରଂଜିତଙ୍କୁ ପୁଲିସ ଗିରଫ କରିଥିଲା।

ସବୁଠାରୁ କ୍ଷୋଭର ବିଷୟ ଯେ, ପୀଡ଼ିତା ନାବାଳିକାକୁ ସୁରକ୍ଷା ଦେବାକୁ ଆସି ମାଡ଼ ଖାଇଥିବା ଅରୁଣ ନାୟକକୁ ପୁଲିସ ବାଉଳା ହୋଇ ଗିରଫ କରିଥିଲା। ହେଲେ କୋର୍ଟରେ ପୀଡିତା ନାବାଳିକା ତାକୁ ଅରୁଣ ଓ ରଂଜିତ ଅପହରଣ ଓ ଗଣଦୁଷ୍କର୍ମ କରିଥିବା କଥା କହିଥିଲେ। କୋର୍ଟ ଅରୁଣ ନାୟକଙ୍କୁ ଦୋଷମୁକ୍ତ କରି ଦେଇଥିବା ବେଳେ ଅରୁଣ ସାହୁ ଓ ରଂଜିତ ସାହୁଙ୍କୁ ଜେଲଦଣ୍ଡ ସହ ଜରିମାନା କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସମୀ କୁମାର ପ୍ରହରାଜ ମକଦ୍ଦମା ପରିଚାଳନା କରୁଥିଲେ।