ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ କଳାହାଣ୍ଡିର ଭବାନୀପାଟଣା ଠାରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ଉଦ୍‌ଘାଟନ କରିଛନ୍ତି। ଏଥିରେ ୧୬ଟି ଆଇସିୟୁ ଓ ୧୬ଟି ଏଚଡିୟୁ ଶଯ୍ୟା ସହିତ ଏକ ସ୍ୱତନ୍ତ୍ର ଶିଶୁ ଚିକିତ୍ସା ୱାର୍ଡ ମଧ୍ୟ ରହିଛି । ଏଥିରେ ସମସ୍ତ ପ୍ରକାର ଆଧୁନିକ ଚିକିତ୍ସା ଉପକରଣ ରଖାଯାଇଛି । ଏହାଦ୍ବାରା କଳାହାଣ୍ଡି ଓ ଆଖପାଖ ଅଞ୍ଚଳର ଲୋକମାନେ ଉନ୍ନତମାନର କୋଭିଡ ଚିକିତ୍ସା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ହସପିଟାଲ ପାଇଁ ବେଦାନ୍ତ ଗ୍ରୁପ ତଥା ଏହାର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ହସପିଟାଲରେ ଚିକିତ୍ସା ଠାରୁ ଆରମ୍ଭ କରି ରୋଗ ନିରୂପଣ, ଔଷଧ, ଖାଦ୍ୟ ଆଦି ସବୁ ମାଗଣାରେ ଯୋଗାଇ ଦିଆଯିବ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଏକବିଂଶ ଶତାଦ୍ଦୀର କଳାହାଣ୍ଡି ବିଂଶ ଶତାଦ୍ଦୀର କଳାହାଣ୍ଡି ଠାରୁ ବହୁତ ଆଗକୁ ଯାଇପାରିଛି । ଗତ ଦୁଇ ଦଶକ ମଧ୍ୟରେ ବିକାଶର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରିଛି । ଏ ରୂପାନ୍ତର ବାସ୍ତବିକ ଉଲ୍ଲେଖନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କଳାହାଣ୍ଡି ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳାହାଣ୍ଡିର ଏ ରୂପାନ୍ତର, କଳାହାଣ୍ଡି ଜିଲ୍ଲାର ଚାଷୀଭାଇ, ଯୁବସମାଜ ଓ ମା ମାନଙ୍କ ଉଦ୍ୟମ ଯୋଗୁ ସମ୍ଭବ ହୋଇପାରିଛି ।

କୋଭିଡ ମୁକାବିଲାରେ ରାଜ୍ୟର ପଦକ୍ଷେପ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ୧୫ଟି ଅକ୍‌ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି । ଆଗାମୀ ଦୁଇ ମାସ ମଧ୍ୟରେ ଏଥିରୁ ଉତ୍ପାଦନ ଆରମ୍ଭ ହେବ। କୋଭିଡର ଦ୍ବିତୀୟ ଲହରରେ ରୋଗୀ ମାନଙ୍କୁ ଅକ୍‌ସିଜେନ ସ୍ତର କମିବା ଯୋଗୁ ସାରା ଦେଶରେ ଅକ୍‌ସିଜେନ ଯୋଗାଣ ଉପରେ ଅତ୍ୟଧିକ ଚାପ ସୃଷ୍ଟି ହୋଇଥିଲା ।

ଏଭଳି ସମୟରେ ଓଡିଶା ୧୮ଟି ରାଜ୍ୟକୁ ଅକ୍‌ସିଜେନ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି । ଏଭଳି ସଂକଟ ସମୟରେ ମାନବତାର ସେବା ପାଇଁ ସୁଯୋଗ ପାଇବା ଓଡିଶାବାସୀଙ୍କ ପାଇଁ ନିଶ୍ଚିତ ଭାବରେ ସମ୍ମାନର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ମତପ୍ରକାଶ କରିଥିଲେ ।

ସମ୍ବନ୍ଧିତ ଖବର