୨୦୦ ଲିଟର ଦେଶୀ ମଦ ସହ ଅଟୋ ଜବତ, ଜଣେ ଗିରଫ

ଭଦ୍ରକ: ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନିର୍ଦେଶକ୍ରମେ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଗୌତମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଡାହାଣୀଗଡ଼ିଆ ଛକ ଅଂଚଳରୁ ୨୦୦ ଲିଟର ଦେଶୀ ମଦ ସହିତ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ଭଦ୍ରକ ଜିଲ୍ଲା କାଁପଡାବିନ୍ଧା ଗ୍ରାମର ସୁଦାମ ମଳିକ। ପେଟ୍ରୋଲିଙ୍ଗ କରୁଥିବା ସମୟରେ ଚରମ୍ପା ଆଡୁ ବାଇପାସ ଆଡକୁ ଆସୁଥିବା ଏକ ପିଆଜିଓ ଯାତ୍ରୀବାହୀ ଅଟୋରୁ (ଓଆର-୨୨ଏଫ୍‌-୯୨୩୭) ୨୦୦ ଲିଟର ଚୋରା ଦେଶୀ ମଦ ଜବତ ହୋଇଛି ।

ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ଡାହାଣିଗାଡ଼ିଆ ଛକ ନିକଟରେ ଅଟୋ ଟିକୁ ଜବତ କରିଛି ଭଦ୍ରକ ଅବକାରୀ ବିଭାଗ। ଅବକାରୀ ବିଭାଗର ସୂଚନା ଅନୁଯାୟୀ ଅଟୋରେ ୨୦୦ ଲିଟର ଦେଶୀ ମଦ ରହିଛି, ଯାହାର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ।

ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଏହି ଚଢ଼ାଉ କରିଥିଲେ। ଉକ୍ତ ଚଢାଉରେ ଏଏସ୍‌ଆଇ ପ୍ରହ୍ଲାଦ ସାମଲ ଓ ନନ୍ଦୁ ନାୟକ, ପରେଶ ଟୁଡୁ, ଖଗେଶ୍ୱର ଜେନା, ମିଥୁନ ଜେନା ପ୍ରଭୃତି ଷ୍ଟାଫ ସାମିଲ ଥିଲେ। କରୋନା ଭାଇରସ ପାଇଁ ରାଜ୍ୟ ସରକାରଙ୍କ ଲକ୍‌ ଡାଉନର ସୁଯୋଗ ନେଇ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଂଚଳରେ ଚୋରାମଦ ବେପାରୀମାନେ ସକ୍ରିୟ ହୋଇଛନ୍ତି।

ସମ୍ବନ୍ଧିତ ଖବର