ବାଲେଶ୍ବର: ଅଢ଼େଇ ବର୍ଷରେ ୨୦୫ ଜଣଙ୍କ ମୁଣ୍ଡ ନେଲାଣି ସାପ। ଏହାଛଡ଼ା ପ୍ରତିବର୍ଷ ଶତାଧିକ ଲୋକ ସର୍ପ ଦଂଶନର ଶିକାର ହେଉଛନ୍ତି। ତେ​ବେ ବାଲେଶ୍ବର ଭଳି ଶିକ୍ଷିତ ଜିଲ୍ଲାରେ ସର୍ପାଘାତଜନିତ ମୃତ୍ୟୁସଂଖ୍ୟା ବଢ଼ିବା ପଛରେ ସଚେତନତା ଅଭାବ ଓ ଅନ୍ଧବିଶ୍ବାସକୁ ଏକ ବଡ଼ କାରଣ ଭାବେ ଦର୍ଶାଯାଉଛି।

Advertisment

ସାଧାରଣତଃ ବର୍ଷା ଦିନେ ସରୀସୃପଙ୍କ ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳିଥାଏ। ବର୍ଷା ୪ ମାସ ଜୁନ୍‌, ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ଅଧିକ ସଂଖ୍ୟାରେ ଲୋକ ସର୍ପାଘାତର ଶିକାର ହେଉଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରଖାନାରେ ଆବଶ୍ୟକ ମୁତାବକ ସାପକାମୁଡ଼ା ଇଞ୍ଜେକ୍ସନ୍‌ (ଆଣ୍ଟି ସ୍ନେକ୍‌ ଭେନମ୍‌) ମହଜୁଦ ରଖାଯାଉଛି। ତେବେ ୮୦ ପ୍ରତିଶତ ସାପକାମୁଡ଼ା ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ବେଳେ ବାକି ୨୦ ପ୍ରତିଶତ ଏବେ ବି ଦେଶୀ ଚିକିତ୍ସା, ଝଡ଼ାଫୁଙ୍କା ଓ ଗୁଣିଗାରେଡ଼ିକୁ ଭରସା କରୁଛନ୍ତି। ରୋଗୀ ଅବସ୍ଥା ଯେତେବେଳେ ସଙ୍କଟାପନ୍ନ ହୋଇଯାଉଛି, ଠିକ୍‌ ସେହି ସମୟରେ ଲୋକଙ୍କର ଡାକ୍ତରଖାନା କଥା​ ମନେ ପଡ଼ୁଛି। ବିଳମ୍ବ ଯୋଗୁଁ ଡାକ୍ତରୀ ଚିକିତ୍ସା କିଛି ଫଳପ୍ରଦ ହେଉନି। ଆପାଦମସ୍ତକ ବିଷ ଚରିଯିବାରୁ ଅକାଳରେ ଝଡ଼ିଯାଉଛି ଜୀବନ। ସାପ କାମୁଡ଼ାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କୁ ବିପର୍ଯ୍ୟୟଜନିତ ମୃତ୍ୟୁ ଭାବେ ଗଣୁଛନ୍ତି ସରକାର। ଏ ବାବଦରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି। ତେବେ ସାପ କାମୁଡ଼ା ରୋଗୀଙ୍କ ସଂଖ୍ୟା ଜିଲ୍ଲାରେ ଅଧିକ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି।

ସୂଚନା ମୁତାବକ,ଜିଲ୍ଲାରେ ୨୦୨୧-୨୨ ମସିହାରେ ୧୧୬୧ ଜଣ ସାପ କାମୁଡ଼ାର ଶିକାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ୨୦୨୨-୨୩ ମସିହାରେ ଏହି ସଂଖ୍ୟା ବୃଦ୍ଧି ପାଇ ୧୫୪୭ରେ ପହଞ୍ଚିଥିଲା। ସେହିପରି ଚଳିତବର୍ଷ ଏପ୍ରିଲ୍‌ ମାସରୁ ଆଜି ସୁଦ୍ଧା ୫୭୫ ଲୋକ ସାପ କାମୁଡ଼ାର ଶିକାର ହୋଇଛନ୍ତି। ୨୦୨୧ ମସିହାରେ ୭୯ ଜଣ, ୨୦୨୨ରେ ୯୨ ଜଣ ଓ ୨୦୨୩ ଜୁଲାଇ ୧୦ ତାରିଖ ସୁଦ୍ଧା ୩୪ ଜଣଙ୍କର ସର୍ପଦଂଶନରେ ମୃତ୍ୟୁ ହୋଇ ସାରିଲାଣି। ବିଶେଷଜ୍ଞଙ୍କ କହିବା ଅନୁସାରେ, ସଚେତନତା ଅଭାବରୁ ଠିକ୍‌ ସମୟରେ ଡାକ୍ତରଖାନା ନ ପହଞ୍ଚିବା, ଅନ୍ଧବିଶ୍ବାସରେ ବଶବର୍ତ୍ତୀ ହୋଇ ଗୁଣିଆ ପାଖକୁ ଯିବା ଦ୍ବାରା ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ତେଣୁ ଏଥିପ୍ରତି ଅଧିକ ସଚେତନତାର ଆବଶ୍ୟକତା ରହିଛି।