ରାଉରକେଲା,୧୬/୧୦(ଇମିସ): ବ୍ଲୁଟୁଥ୍ ପାଇଁ ପାନପୋଷ ବାଲୁଘାଟ ନୂଆବସ୍ତିର ସ୍କୁଲ ଛାତ୍ର ରୁଦ୍ରନାରାୟଣ ପାଢ଼ୀଙ୍କୁ ହତ୍ୟା କରାଯାଇଥିଲା। ଖାଇବାକୁ ନ ଦେବାରୁ ଲାଠିକଟା ଗର୍ଜନର ଜନ୍ମକଲା ବାପା ନିଜର ନିଷ୍ପାପ ଶିଶୁକୁ ଟାଙ୍କିଆରେ ହାଣି ହତ୍ୟା କରିଥିଲା। ଏମିତି ପାରିବାରିକ କଳହ, ଜମିବାଡି ବିବାଦ, ଡାହାଣି ସନ୍ଦେହ ଅବା ଟଙ୍କା ନେଣଦେଣରୁ ଅନେକ ହତ୍ୟାକାଣ୍ଡର ଶିକାର ହେଉଛନ୍ତି। ପ୍ରେମଜନିତ ମାମଲା ଓ ବ୍ୟବସାୟିକ ଶତ୍ରୁତା ଅନେକ ସମୟରେ ହତ୍ୟାକଣ୍ଡର ରୂପ ନେଉଛନ୍ତି। ହତ୍ୟାକାଣ୍ଡରେ କେବଳ ପୁରୁଷ ନୁହେଁ ଅନେକ ମହିଳାଙ୍କ ଜୀବନ ଯାଉଛି। ବାଦ୍ ପଡୁନାହାନ୍ତି ନିଷ୍ପାପ ଶିଶୁ। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ବିଗତ ଦିନରେ ଏମିତି ଅନେକ ହତ୍ୟାକାଣ୍ଡ ଘଟିଛି। ଅନେକଙ୍କୁ ପୁଲିସ ଗିରଫ କରି ଜେଲ୍ ପଠାଇଛି। ଆଉ କିଛି ହତ୍ୟାକାରୀକୁ ପୁଲିସ ଧରିବାରେ ବିଫଳ ହୋଇଛି। ରାଉରକେଲା ପୁଲିସ ଜିଲ୍ଲାରେ ଗତ ୬୮ ମାସ (୨୦୧୮ରୁ ୨୦୨୩ ଅଗଷ୍ଟ)ରେ ୨୦୫ ଜଣଙ୍କୁ ହତ୍ୟା କରାଯାଇଛି। ଅର୍ଥାତ୍ ପ୍ରତି ମାସରେ ୩ ଜଣଙ୍କୁ ବିଭିନ୍ନ କାରଣରୁ ହତ୍ୟା କରାଯାଉଛି। ଏମାନଙ୍କ ମଧ୍ୟରେ ଅଛନ୍ତି ପୁରୁଷ, ମହିଳା, ଯୁବତୀ ଓ ନିଷ୍ପାପ ଶିଶୁ। ୨୦୧୮ରେ ୪୦ଟି ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଥିଲାବେଳେ ୨୦୧୯ରେ ୩୧ଟି, ୨୦୨୦ରେ ୪୫ଟି ଓ ୨୦୨୧ରେ ୨୮ଟି, ୨୦୨୨ରେ ୪୧ଟି ଓ ୨୦୨୩ ଅଗଷ୍ଟ ଶେଷ ସୁଦ୍ଧା ୨୦ଟି ହତ୍ୟା ମାମଲା ରୁଜୁ ହୋଇଛି।
ସର୍ବାଧିକ ହତ୍ୟାକାଣ୍ଡ କୋଇଡା, ଲହୁଣିପଡା ଓ କେ.ବଲାଙ୍ଗ ଥାନା ଅଞ୍ଚଳରେ ଘଟିଛି। ୬୮ମାସରେ କୋଇଡା ଥାନାରେ ମୋଟ ୨୮ଟି ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଛି। ୨୦୧୮ରେ ୪ଟି, ୨୦୧୯ରେ ୫ଟି, ୨୦୨୦ରେ ୭ଟି ଓ ୨୦୨୧ରେ ୩ଟି, ୨୦୨୨ରେ ୭ଟି ଓ ୨୦୨୩ ଅଗଷ୍ଟ ଶେଷ ସୁଦ୍ଧା ୨ଟି ମାମଲା ରୁଜୁ ହୋଇଛି। ଦ୍ବିତୀୟ ସ୍ଥାନରେ ରହିଛି ଲହୁଣୀପଡା ଥାନା। ଏହି ଥାନା ଅଞ୍ଚଳରେ ୨୦୧୮ରେ ସର୍ବାଧିକ ୧୧ଟି, ୨୦୧୯ରେ ୩ଟି, ୨୦୨୦ରେ ୨ଟି, ୨୦୨୧ରେ ୩ଟି, ୨୦୨୨ରେ ୬ଟି, ୨୦୨୩ ଅଗଷ୍ଟ ଶେଷ ସୁଦ୍ଧା ୪ଟି ହତ୍ୟା ମାମଲା ରୁଜୁ ହୋଇଛି। ତୃତୀୟ ସ୍ଥାନରେ ରହିଛି କେ. ବଲାଙ୍ଗ ଥାନା। କେ. ବଲାଙ୍ଗ ଥାନାରେ ୨୦୧୮ରେ ୩ଟି ହତ୍ୟାକାଣ୍ଡ ହୋଇଥିଲାବେଳେ ୨୦୧୯ ଓ ୨୦୨୦ରେ ୪ଟି ଲେଖାଏଁ, ୨୦୨୧ରେ ୬ଟି ଓ ୨୦୨୨ରେ ୩ଟି ହତ୍ୟାକାଣ୍ଡ ରୁଜୁ ହୋଇଛି। ବଣାଇରେ ୨୦୧୮ରେ ଗୋଟିଏ ମାମଲା ରୁଜୁ ହୋଇଥିଲାବେଳେ ୨୦୧୯ରେ ୪ଟି, ୨୦୨୦ରେ ୭ଟି ଓ ୨୦୨୧ରେ ଗୋଟିଏ ମାମଲା ରୁଜୁ ହୋଇଛି। ୨୦୨୨ ଓ ୨୦୨୩ ଅଗଷ୍ଟ ଶେଷ ସୁଦ୍ଧା ଗୋଟିଏ ଲେଖାଏଁ ହତ୍ୟା ମାମଲା ରୁଜୁ ହୋଇଛି। ବ୍ରାହ୍ମଣୀତରଙ୍ଗ ଥାନାରେ ୨୦୧୮ରେ ୨ଟି, ୨୦୧୯ରେ ୩ଟି, ୨୦୨୦ରେ ୪ଟି, ୨୦୨୧ରେ ୩ଟି ଓ ୨୦୨୩ ଅଗଷ୍ଟ ଶେଷ ସୁଦ୍ଧା ୩ଟି ଏମିତି ମୋଟ ୧୫ଟି ହତ୍ୟାକାଣ୍ଡ ଘଟିଛି। ଅନୁରୂପ ଭାବେ ଗୁରୁଣ୍ଡିଆ ଥାନାରେ ୬୮ ମାସ ମଧ୍ୟରେ ୭ଟି, ପ୍ଲାଣ୍ଟସାଇଟ୍ ଥାନାରେ ୧୧ଟି, ଟିକାୟତପାଲିରେ ୫ଟି ହତ୍ୟାକାଣ୍ଡ ହୋଇଛି। ଅନୁରୂପ ଭାବେ ଚାନ୍ଦିପୋଷ ଥାନାରେ ୧୨ଟି, ଝିରପାଣି ଥାନାରେ ୫ଟି, ସେକ୍ଟର-୭ ଥାନାରେ ୬ଟି ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଛି।