ଚୋରା ଗଞ୍ଜେଇ ଚାଲାଣ ବେଳେ ୨୨୦ କେଜି ଗଞ୍ଜେଇ ସହିତ ଦୁଇ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ଚାଟୁଆ ଗ୍ରାମ ନିକଟରୁ ଗତ କାଲି ପାହାନ୍ତିଆରେ ଗଞ୍ଜେଇ ସହ ଗୋଟିଏ ବୋଲେରୋ ଏବଂ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପାଡୁଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ; କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ପାଡୁଆ ପୁଲିସ ପକ୍ଷରୁ ପାଡୁଆ ଥାନା ଅନ୍ତର୍ଗତ ସୀମାନ୍ତ ଚାଟୁଆ ନିକଟରେ ପୁଲିସ ପାଟ୍ରୋଲିଂ ସାରି ଫେରୁଥିବା ସମୟରେ ସନ୍ଦେହ ହେବାରୁ ଏକ ବୋଲେରୋ (ଯାହାର ରେଜିଷ୍ଟ୍ରସନ ନମ୍ବର ଓଆର ୦୮ ଇ ୦୫୮୭)କୁ ଅଟକାଇଥିଲେ। ବୋଲେରୋ ଯାଞ୍ଚ କରିବା ସମୟରେ ବୋଲେରୋ ମଧ୍ୟରେ ଗଞ୍ଜେଇ ଥିବା ଜଣା ପଡିଥିଲା।

ସଙ୍ଗେ ସଙ୍ଗେ ବୋଲେରୋଟିକୁ ଜବତ କରି ପାଡୁଆ ଥାନାକୁ ଅଣାଯିବା ସହ ବୋଲେରୋ ଭିତରେ ବସିଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଦୁଇ ଗିରଫ ବ୍ୟକ୍ତି ହେଲେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କରଞ୍ଜଗୁଡା ପୋଷ୍ଟ କୋଟପାଡ଼ି ଗ୍ରାମର ଗିରିଧାରୀ ଦିଶାରି (୨୬) ଏବଂ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମିଙ୍ଘରା ଗ୍ରାମର ଗୌର ଗୋପାଳ ପଣ୍ଡା (୪୫) ବର୍ଷ।

ସ୍ଥାନୀୟ ଏସ ଡ଼ି ପି ଓ ସଞ୍ଜୟ ମହାପାତ୍ରଙ୍କ ନେତୃତ୍ୱରେ ପାଡୁଆ ଥାନା ଅଧିକାରୀ ସରୋଜ ମଲ୍ଲିକ,ଏସ ଆଇ ଶୁକ୍ରା ମାଢି,ଚାଟୁଆ ଫାଣ୍ଡି ଏ ଏସ ଆଇ ଗୌରାଙ୍ଗ ସାହୁ,ସି ଏଚ ତ୍ରିନାଥ ଏବଂ କର୍ମଚାରୀ ଏହି ଚଢ଼ାଉ ରେ ସାମିଲ ହୋଇଥିବା ବେଳେ ଜବତ ଗଂଜେଇକୁ ସ୍ଥାନୀୟ ତହସିଲଦାର ନରସିଂହ ଗାଦବାଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା।

ଜବତ ଗଞ୍ଜେଇର ଓଜନ ୨୨୦ କେଜି ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ପାଡୁଆ ଥାନା କେସ ନମ୍ବର ୮୫/୨୦୨୦ ପ୍ରକାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଥିବା ବେଳେ କେଉଁ ଠାରୁ କିଣି ଏହି ଚୋରା ଗଞ୍ଜେଇ ଚାଲାଣ ହେଉଥିଲା ତାହାର ତଦନ୍ତ କରାଯାଉଥିବା ନନ୍ଦପୁର ଏସ ଡ଼ି ପି ଓ ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର