ଜୟପୁର-କୋରାପୁଟ ଜାତୀୟ ରାଜପଥ ୨୬ରେ ଲୋକାର୍ପିତ ହେବ ୨୦ଲକ୍ଷର ପ୍ରଥମ ପାରମ୍ପରିକ ପ୍ରତିମୂର୍ତ୍ତି

ଜୟପୁର: ଆସନ୍ତା ୧୨ତାରିଖ ଦିନ ଜୟପୁର-କୋରାପୁଟ ଜାତୀୟ ରାଜପଥ ୨୬ର ବାରିଣିପୁଟ ନିକଟରେ ୨୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପାରମ୍ପରିକ ପ୍ରତିମୂର୍ତ୍ତି ସ୍ବାଗତ ତୋରଣ ଲୋକାର୍ପିତ ହେବ। ଏହା ସହ ଏବେ ଆଉ ୨ଟି ରାସ୍ତାର ତୋରଣ ନିର୍ମାଣ ଯୋଜନା ବି ରହିଛି।

ସୂଚନା ଅନୁଯାୟୀ, ଜୟପୁର ସହରର ସୌନ୍ଦର୍ଯ୍ୟକରଣ ପାଇଁ ପୌରପାଳିକା ପକ୍ଷରୁ ବିଭିନ୍ନ ପ୍ରକଳ୍ପ କରାଯାଇଛି। ଏବେ ଆଉ କିଛି ଯୋଜନା କାର୍ଯ୍ୟକାରୀ ହେବା ପାଇଁ ବାକି ରହିଛି। ଏହି କ୍ରମରେ ସହରର ୩ଟି ପ୍ରବେଶ ପଥରେ ପାରମ୍ପରିକ ସ୍ଥାନୀୟ ଲୋକକଳା ଓ ବେଶଭୁଷାକୁ ସୂଚିତ କରୁଥିବା ପ୍ରତିମୂର୍ତ୍ତି ଥିବା ସ୍ବାଗତ ତୋରଣ (ଗେଟ୍) ନିର୍ମାଣ କରାଯିବାକୁ ଯୋଜନା କରାଯାଇଥିଲା। ଗତ କିଛି ମାସ ପୂର୍ବେ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଉପଜିଲ୍ଲାପାଳ ତଥା ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟ ସ୍ଥାନ ନିରୁପଣ କରିଥିଲେ। ଏହି କ୍ରମରେ ଜୟପୁର-କୋରାପୁଟ ରାସ୍ତାରେ ବାରଣିପୁଟ ନିକଟରେ ସ୍ଥାନ ଚୟନ ହୋଇଥିଲା। ତେବେ ଜୟପୁର-ମାଲକାନଗିରି ଓ ଜୟପୁର-ବୋରିଗୁମ୍ମା ରାସ୍ତାରେ କେଉଁ ସ୍ଥାନରେ ଏହି ସ୍ବାଗତ ତୋରଣ ସ୍ଥାପନ କରାଯିବ ସେ ନେଇ ସ୍ଥାନ ନିରୁପଣ ହୋଇ ପାରିନି। ୨୦ଲକ୍ଷ ଲେଖାଏଁ ଖର୍ଚ୍ଚ କରି ଏହି ତୋରଣ ନିର୍ମାଣ କରାଯିବାକୁ ଯୋଜନା ହୋଇଥିଲା।

ତେବେ ଜୟପୁର-କୋରାପୁଟ ରାସ୍ତାରେ ବାରିଣୀପୁଟ ନିକଟରେ ଏହାର ନିର୍ମାଣ କାମ ସରିଛି। ୧୨ଫୁଟର ୪ଟି ଲେଖାଏଁ ମୂର୍ତ୍ତି ଏଠାରେ ସ୍ଥାପନ କରାଯାଇଛି। ଆସନ୍ତା ୧୨ତାରିଖରେ ଲୋକାର୍ପଣ ହେବ ବୋଲି ସୂଚନା ଦେଇଛନ୍ତି ପୌରପାଳିକାର କନିଷ୍ଠ ଯନ୍ତ୍ରୀ ଅଜୟ ଜାନୀ। ଅନ୍ୟ ପକ୍ଷରେ ଜୟପୁର-ମାଲକାନଗିରି ରାସ୍ତାରେ କେଉଁ ସ୍ଥାନରେ ଏହା କରାଯିବ ତାହାର ସ୍ଥାନ ନିରୁପଣ ବିଭିନ୍ନ କାରଣକୁ ନେଇ ହୋଇ ପାରୁନଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଜୟପୁର-ବୋରିଗୁମ୍ମା ରାସ୍ତାରେ ତୋରଣ ନିର୍ମାଣ ପାଇଁ ଏନଏଚ୍ କର୍ତ୍ତୃପକ୍ଷକୁ ପୌରପାଳିକା ମଧ୍ୟରେ ସ୍ଥାନ ମଗାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର