ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଜନଗହଳିପୂର୍ଣ୍ଣ ତେଲକୋଇ କଲେଜ ରୋଡ଼ସ୍ଥିତ ବଜାର ଅଞ୍ଚଳରୁ ବାଇକ୍ ଡିକି ଭାଙ୍ଗି ୨୧ ହଜାର ୫୦୦ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ତାଳପଦା ପଞ୍ଚାୟତ ଅନ୍ତର୍ଗତ ଶିମିଳିପାଳ ଗ୍ରାମର ଘାସିନାଥ ପ୍ରଧାନ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଆଜି ତେଲକୋଇ ବ୍ୟାଙ୍କ୍‌ ଅଫ ଇଣ୍ଡିଆ ଶାଖାରୁ ଟଙ୍କା ଉଠାଣ କରି ନିଜ ବାଇକ୍(ଓଡି ୦୯ ଏସ ୦୯୦୧) ଡିକିରେ ରଖିଥିଲେ। କଲେଜ ରୋଡ଼ସ୍ଥିତ ବଜାରର ଏକ ଦୋକାନକୁ ଯାଇ ଫେରିଲା ବେଳକୁ ଡିକି ଭାଙ୍ଗି ଦୁର୍ବୃତ୍ତ ଟଙ୍କା ସହିତ ଆଧାର କାର୍ଡ ଏବଂ ଅନ୍ୟାନ୍ୟ କାଗଜ ପତ୍ର ଧରି ଚମ୍ପଟ ମାରିଥିଲା।

Advertisment

ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମୋବାଇଲ ଦୋକାନର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏଥିରେ ଦୁର୍ବୃତ୍ତ ଜଣକ ଛୋଟେଇ ଛୋଟେଇ ଆସି ଡିକି ଭାଙ୍ଗି ଟଙ୍କା ଧରି ଚାଲି ଯାଇଥିବା ପୁଲିସ ଦେଖିବାକୁ ପାଇଛି। ପୁଲିସ ଲୁଟେରାକୁ ଧରିବାରେ ସଫଳ ହୋଇନାହିଁ। ତେଲକୋଇ ଅଞ୍ଚଳରେ ପୁଲିସକୁ ଚକମା ଦେଇ ଦିନକୁ ଦିନ ଲୁଟେରାମାନେ କଳାକନା ବୁଲାଇବାରେ ସଫଳ ହେଉଥିବା ବେଳେ ପୁଲିସ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇପାରୁନାହିଁ। ଫଳରେ ଏନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।