ଖୋର୍ଦ୍ଧା ସହରରେ ଟିକାକରଣ; ଟାର୍ଗେଟ୍ ଥିଲା ୨୧ ହଜାର

କିନ୍ତୁ ଖୋର୍ଦ୍ଧା ସହରର ଅର୍ଦ୍ଧାଧିକ ଟିକାରୁ ବଂଚିତ

ଖୋର୍ଦ୍ଧା: ରାଜ୍ୟ ସରକାର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସମେତ ଏନ୍ଏସି ମୁଖ୍ୟାଳୟରେ ମେ’ ମାସରେ କେତେ ସଂଖ୍ୟକ ଟିକା ଦିଆଯିବ ସେନେଇ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। କିନ୍ତୁ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା ସହର ପାଇଁ ଯେତିକି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ସେଥିରୁ ଅଧା ମଧ୍ୟ ଏଯାଏଁ ପୂରଣ ହୋଇ ପାରିନାହିଁ। ଖୋର୍ଦ୍ଧା ପୌର ପରିଷଦ ଅଂଚଳରେ ମଇ ମାସରେ ୧୮ରୁ ୪୪ ବର୍ଷ ମଧ୍ୟରେ ୨୦ ହଜାର ୮୪୩ ଜଣଙ୍କୁ କୋଭିଡ୍ ପ୍ରତିଷେଧକ ଟିକା ଦେବା ପାଇଁ ରାଜ୍ୟ ସରକାର ଧାର୍ଯ୍ୟ କରିଥିଲେ। ଆଜି ସୁଦ୍ଧା ୨୦ହଜାର ଜଣଙ୍କ ପାଇଁ ଟିକା ପଠାଯାଇଛି। ବଳକା ୮୪୩ ଟିକା ଏଯାଏଁ ପହଂଚିନାହିଁ।

ଅପରପକ୍ଷରେ, ଖୋର୍ଦ୍ଧା ପୌର ପରିଷଦରେ ୧୮ ରୁ ୪୪ ବର୍ଷଙ୍କ ଟିକାକରଣ ପାଇଁ ମଇ ୨୮ ତାରିଖରୁ ଗଣ ଟିକାକରଣ ଅଭିଯାନ ଆରମ୍ଭ କରାଯାଇଥିଲା। ଏଥିପାଇଁ ୧୦ଟି କେନ୍ଦ୍ର ଖୋଲା ଯାଇଥିଲା। କିନ୍ତୁ ପ୍ରଥମ ଦିନରୁ ହିଁ ଟିକାକରଣରେ ଘୋର ଅବ୍ୟବସ୍ଥା ଦେଖାଦେଇଥିଲା। ପରବର୍ତୀ ସମୟରେ କୋୱିନ୍ ସ୍ଲଟ୍  ସଂରକ୍ଷିତ କରିବାରେ ମଧ୍ୟ ସମସ୍ୟା ଦେଖାଦେଲା। ତଥାପି ପ୍ରତି କେନ୍ଦ୍ରରେ ଦୈନିକ ହାରାହାରି ୩୦୦ ଜଣଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇ ଲୋକଙ୍କୁ ଟିକା ଦିଆଗଲା। ଜିଲ୍ଲା ପ୍ରଶାସନ ଠାରୁ ମିଳିଥିବା ସୂଚନାରେ ରାଜ୍ୟ ସରକାର ଦେଇଥିବା ଟିକା ଖୋର୍ଦ୍ଧା ପୌର ପରିଷଦରେ ଆପାତତଃ ଲକ୍ଷ୍ୟ ପୂରଣ ହୋଇଯାଇଛି।

କିନ୍ତୁ ବାସ୍ତବରେ ଖୋର୍ଦ୍ଧା ପୌର ପରିଷଦର ୧୮ରୁ ୪୪ ବର୍ଷର ମୋଟ ସଂଖ୍ୟାର ଅର୍ଦ୍ଧାଧିକ ଲୋକ ମଧ୍ୟ ଏଯାଏଁ ଟିକା ପାଇ ପାରିନାହାଁନ୍ତି। ଏହାର ପ୍ରମୁଖ କାରଣ ଦର୍ଶାଇ ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେହେତୁ କୋୱିନ୍ ପୋର୍ଟାଲ୍ ସ୍ଲଟ ସଂରକ୍ଷଣ କରିଥିବା ଯେକୌଣସି ସ୍ଥାନକୁ ଆସି ଟିକା ଦେଇପାରିବ, ଏଣୁ କେବଳ ଖୋର୍ଦ୍ଧା ପୌରାଂଚଳ ନୁହନ୍ତି ଅନ୍ୟ ସ୍ଥାନରୁ ଲୋକ ଆସି ମଧ୍ୟ ଟିକା ନେଇଛନ୍ତି। ଯଦି ଏହି କଥା ସତ ତେବେ ରାଜ୍ୟ ସରକାର ପୌରାଂଚଳ ୱାରି ଟିକାକରଣ ବ୍ୟବସ୍ଥା କରିବାର ନିୟମ ପାଳନ ହେଲା ନାହିଁ କି ଏହାଦ୍ୱାରା ନିର୍ଦ୍ଧାରିତ ଅଂଚଳର ଲୋକ ଉପକୃତ ହୋଇପାରିଲେ ନାହିଁ। ସରକାର ଏଥିପ୍ରତି ଦୃଷ୍ଟି ଦେଇ ଟିକା ଦେଇ ପାରିନଥିବା ୧୮ ରୁ ୪୪ ବର୍ଷର ଲୋକଙ୍କ ପାଇଁ ଟିକା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି। ଏନେଇ ସିଡିଏମ୍ଓ ଡା ବିଶ୍ୱରଂଜନ ପତି କହିଛନ୍ତି ଯେ ସ୍ଲଟ୍ ବୁକିଂରେ ବାହାର ଅଂଚଳର ଲୋକ ମଧ୍ୟ ଆସି ଟିକା ନେଇଛନ୍ତି। ଖୋର୍ଦ୍ଧା ପୌରାଂଚଳର ଅନେକ ବଂଚିତ ହୋଇଛନ୍ତି। ଏହି ସୂଚନା ରାଜ୍ୟ ସରକାରଙ୍କୁ ଜଣାଇ ଦେଇଛୁ। ଟିକା ନେଇପାରିନଥିବା ୧୮ ରୁ ୪୪ ବର୍ଷର ଲୋକଙ୍କ ପାଇଁ ରାଜ୍ୟ ସରାକର ତୁରନ୍ତ ବ୍ୟବସ୍ଥା କରିବେ।

ସମ୍ବନ୍ଧିତ ଖବର