ସହରର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଉପରେ ଚଢ଼ାଉ; ଦୁଇଟି ସ୍ଥାନରୁ ୨୨ଗିରଫ, ୧ଲକ୍ଷ ୭ଶହ ଟଙ୍କା ସହ ୮ ମୋବାଇଲ ଜବତ

ଘୁ.ଉଦୟଗିର: କୁମାର ପୂର୍ଣ୍ଣିମା ପାଇଁ ସାରା ସହର ଚଳ ଚଞ୍ଚଳ ଥିବାବେଳେ ଗଳି କନ୍ଦିରେ ଡାବାଲି ଖେଳ ସହିତ ତାସ ଖେଳ ବି ଚାଲିଥିଲା। ଏହି ସମୟରେ ସ୍ଥାନୀୟ ପୁଲିସ ସହରର ପ୍ରାୟ ଦଶଟି ସ୍ଥାନରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। କେଉଁଠି ମହିଳା ଖେଳୁଥିଲେ ତ କେଉଁଠି ଛୋଟ ଛୋଟ ପିଲା ଖେଳୁଥିଲେ। ପୁଲିସକୁ ଦେଖି ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ। ଅନେକ ସ୍ଥାନରେ ପୁଲିସର ଏହି ଚଢ଼ାଉ ବେଳେ ବହୁ ମହିଳା ଓ ଯୁବକ ଆହତ ହୋଇଥିବା ଖବର ମିଳିଛି।

ମାତ୍ର ଦୁଇଟି ସ୍ଥାନରୁ ପୁଲିସ ଜୁଆ ଖେଳାଳିଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଅପରାହ୍ନରେ ଚାଲିଥିବା ଜୁଆ ଆଡ୍ଡା ଉପରେ ସ୍ଥାନୀୟ ମହିଳା ଏସଆଇ କୌଶଲ୍ୟା ବେହେରାଙ୍କ ନେତୃତ୍ୱରେ ପୁଲିସ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୧୫୦୦ଟଙ୍କା ଜବତ କରିଛି। ଏଥିସହିତ ଥାନା କେଶ ନଂ ୧୧୨/୧୯ରେ ଏକ ମାମଲା ରୁଜୁ କରିଛି।

ସେହିପରି  ଗତକାଲି ରାତି ୧୨ଟା ପରେ ସହରର ମୁଖ୍ୟ ରାସ୍ତା କଡରେ ଥିବା ଏକ ଘରେ ଜୁଆ ଖେଳ ଚାଲିଥିବା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହାପରେ ପୁଲିସ ଏହି ଘର ଉପରେ ଚଢ଼ାଉ କରି ଘଟଣାସ୍ଥଳରୁ ୧୭ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୯୯୨୦୦ଟଙ୍କା ସହ ୮ଟି ମୋବାଇଲ, ୧୨ପ୍ୟାକେଟ ତାସ ଏବଂ ଏକ ପାଲ ଜବତ କରଛି। ଥାନାରେ କେଶ ନଂ ୧୧୩/୧୯ରେ ଏକ ମାମଲା ରୁଜୁ ହୋଇଥିବା ଏସଆଇ କୌଶଲ୍ୟା ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର