୨୨ ମହିଳା ଦାଦନ ଶ୍ରମିକ ଉଦ୍ଧାର, ୨ ଅଟକ

ରାୟଗଡ଼ା : ରାୟଗଡ଼ା ରେଳ ଷ୍ଟେସନରୁ ଆଜି ସଂଧ୍ୟାରେ ଆରପିଏଫ ପୁଲିସ୍ ୨୨ ମହିଳା ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ମହିଳା ଶ୍ରମିକଙ୍କ ମଧ୍ୟରେ ୧୩ ଜଣ ନାବାଳିକା ଅଛନ୍ତି। ଜିଆରପି ପୁଲିସର ପ୍ରାଥମିକ ତଦନ୍ତରୁ ସମସ୍ତ ଶ୍ରମିକ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଜଣାପଡିଛି। ଘଟଣାରେ ଆରପିଏଫ୍ ପୁଲିସ୍ ୨ ମହିଳାଙ୍କୁ ଅଟକ ରଖି ପଚରା ଉଚରା କରୁଛି।

କଲ୍ୟାଣସିଂହପୁର ବ୍ଲକ୍ ଅଟାପାଡୁ ଗ୍ରାମର ୨୨ ମହିଳା ଦାଦନ ଶ୍ରମିକଙ୍କୁ ନେଇ ୨ ଦଲାଲ୍ ଟ୍ରେନରେ ହାଇଦ୍ରାବାଦ୍ ଯିବା ପାଇଁ ରାୟଗଡ଼ା ଷ୍ଟେସନରେ ଅପେକ୍ଷା କରିଥିଲେ। ସମ୍ବଲପୁର-ହାଇଦ୍ରାବାଦ୍ ନାଗାବଳୀ ଏକ୍ସପ୍ରେସ୍ ‌ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଆରପିଏଫ୍ ପୁଲିସ୍ ପେଟ୍ରୋଲିଂ ଆରମ୍ଭ କରିଥିଲା। ଏହି ସମୟରେ ୨୨ ମହିଳାଙ୍କୁ ନେଇ ପୁଲିସ୍ ସନ୍ଦେହ କରିବା ସହ ସମସ୍ତଙ୍କୁ ଥାନାକୁ ନେଇ ପଚରା ଉଚରା କରିଥିଲା। ସମସ୍ତ ମହିଳା ଶ୍ରମିକ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଉଥିବା ସ୍ବୀକାର କରିବା ପରେ ଆରପିଏଫ୍ ମାମଲା ରୁଜୁ କରିବା ସହ ୨ ଦଲାଲକୁ ଅଟକ ରଖି ପୁଲିସ୍ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲା। ଚାଇଲଡ୍ ଲାଇନ୍ କର୍ତ୍ତୃପକ୍ଷ ଜିଆରପି ଥାନାରେ ପହଞ୍ଚି ୧୩ ନାବାଳିକାଙ୍କୁ ନେଇ ସ୍ନେହା ସ୍ବଧାର ଗୃହରେ ରଖିଛନ୍ତି। ଆସନ୍ତାକାଲି କୋର୍ଟରେ ହାଜର କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଚାଇଲଡ୍ ଲାଇନ୍ ମୁଖ୍ୟ କେ. ନିଳିମା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର