ମାଲକାନଗିରି: ଜଣେ ମହିଳା ମାଓବାଦୀ ଆଜି ମାଲକାନଗିରି ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ ହେଲେ ମାଥିଲି ଥାନା ଅନ୍ତର୍ଗତ କମାରପଲ୍ଲୀ ଗାଁର ଆଡେମ ମାଡ଼କାମୀ (୨୨)। ତାଙ୍କ ନାମରେ ପୁଲିସ ପକ୍ଷରୁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ଆଡେମ ମାଡ଼କାମୀ ସିପିଆଇର ଦରଭା ଡିଭିଜନରେ ମିଲିଟାରି ପ୍ଲାଟୁନ-୩୧ର ସଦସ୍ୟ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ ନେଇ ମାଲକାନଗିରି ଏସ୍ପି ରିଷିକେଶ ଖିଲାରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଆଡେମ ମାଡ଼କାମୀ ୨୦୧୫ରେ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ। ସେ ୫ ବର୍ଷ ମଧ୍ୟରେ ୬ଟି ଅପରାଧିକ ଘଟଣାରେ ସଂପୃକ୍ତ ଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ବିକାଶମୂଳକ କାମକୁ ଦେଖି ମାଓବାଦୀ ସଂଗଠନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଆଡେମ ମାଡକାମୀ ମାଓନେତାଙ୍କ ଦ୍ୱାରା ଦିଆଯାଉଥିବା ନିର୍ଯାତନା ସହି ପାରି ନ ଥିଲେ। ବିଶେଷ କରି ମହିଳା ମାଓବାଦୀଙ୍କୁ ଶିବିରରେ ବରିଷ୍ଠ ସଦସ୍ୟମାନେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଏସ୍ପି ଶ୍ରୀ ଖିଲାରୀ ସୂଚନା ଦେଇଛନ୍ତି।
ମାଓବାଦୀମାନେ ଗରିବ ଓ ନିଷ୍ପେସିତ ଲୋକଙ୍କ ପାଇଁ ଆଖି ଦୃଷ୍ଟିଆ କାମ କରୁ ନଥିବା ହୃଦୟଙ୍ଗମ କରିବା ପରେ ସଂଗଠନ ଛାଡ଼ିବାକୁ ଚିନ୍ତା କରିଥିଲେ। ତେବେ ମାଓ ସଂଗଠନ ଛାଡ଼ି ଭଲ ସମାଜକୁ ଫେରିଥିବା ଆଡେମ ମାଡ଼କାବୀଙ୍କୁ ପୁଲିସ ରାଜ୍ୟ ସରକାରଙ୍କ ଥଇଥାନ ବ୍ୟବସ୍ଥା ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରିଛି। ତାଙ୍କୁ ଏକ କୋଠା ଘର ନିର୍ମାଣ ପାଇଁ ଆର୍ଥିକ ସହଯୋଗ ଦିଆଯିବା ସହିତ ପାଠପଢ଼ା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ।