ମାଲକାନଗିରି: ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ପକ୍ଷରୁ ମାଲକାନଗିରିଠାରେ ନବମ ପର୍ଯ୍ୟାୟ ୧୪ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ନେଇ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ବିଏସ୍ଏଫ୍ କମାଣ୍ଡାଣ୍ଟ ଆଇ ଏଚ୍ ଖାନ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ମାଲକାନଗିିରି ଜିଲ୍ଲାର ଦୂରଦୂରାନ୍ତର ଅଞ୍ଚଳର ୫ ଜଣ ଯୁବତୀ ଏବଂ ୧୫ ଜଣ ଯୁବକ ସର୍ବମୋଟ ୨୨ ଜଣ ଯୁବକଯୁବତୀ ଭ୍ରମଣ କରିବାର ସୁଯୋଗ ପାଇଛନ୍ତି। ଆସନ୍ତା ୨୧ ଫେବୃୟାରୀ ୨୦୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଦୁଇ ଜଣ ବିଏସ୍ଏଫ୍ ଅଧିକାରୀଙ୍କ ତତ୍ତ୍ଵାବଧାନରେ ଏହି ଦଳ ତେଲେଙ୍ଗାନାର ହାଇଦ୍ରାବାଦ ସହର ଗସ୍ତ କରିବେ। ଏହା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ସୀମା ସୁରକ୍ଷା ବଳ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ ସଂଗଠନର ମିଳିତ ସହଯୋଗରେ ଆୟୋଜିତ ହୋଇଛି। ଏହା ପୂର୍ବରୁ ୧୪ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଅଧୀନରେ ଆଠଟି ପର୍ଯ୍ୟାୟରେ ଏହି ଅଞ୍ଚଳର ଆଦିବାସୀ ଯୁବକଯୁବତୀମାନେ ଭ୍ରମଣ କରିବାର ସୁଯୋଗ ପାଇଥିଲେ।

Advertisment

ଏହି ସମଗ୍ର ଯାତ୍ରା ସମୟରେ ଯୁବକଯୁବତୀମାନେ ହାଇଦ୍ରାବାଦ ସହରରେ ୨୧ରୁ ୨୭ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ରହିବେ ଏବଂ ରାଜ୍ୟ ଦ୍ବାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ। ଏହି ଗସ୍ତ ସମୟରେ ସେମାନେ ରାଜ୍ୟପାଳ, ମନ୍ତ୍ରୀ ପରିଷଦର ସଦସ୍ୟ, ସଫଳ ବ୍ୟକ୍ତିତ୍ଵ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଟେଲିତାରକାଙ୍କ ସମେତ ରାଜ୍ୟର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇବେ। ତତ୍ ସହିତ ବୃତ୍ତି ଚୟନ ଏବଂ ଶିଳ୍ପ କ୍ଷେତ୍ରରେ ପ୍ରଶିକ୍ଷଣ ନେଇ କାଉନସେଲିଂର ସୁଯୋଗ ପାଇବେ। ଦେଶର ସାମାଜିକ ଓ ସାଂସ୍କୃତିକ ନୈତିକତାକୁ ଭଲରେ ବୁଝିବା ପାଇଁ ସେମାନେ ପ୍ରମୁଖ ଶିଳ୍ପ, କର୍ପୋରେଟ ସଂସ୍ଥା, ଗୁରୁତ୍ଵପୂର୍ଣ୍ଣ ରାଷ୍ଟ୍ରୀୟ ପ୍ରତିଷ୍ଠାନ, ଐତିହାସିକ ଏବଂ ସାଂସ୍କୃତିକ ସ୍ଥାନ ପରିଦର୍ଶନ କରିବେ। ଏହାଦ୍ବାରା ସେମାନଙ୍କର ଜ୍ଞାନର ସ୍ତର ବୃଦ୍ଧି ହେବା ସହ ଏକ ଉଜ୍ଜଳ ଭବିଷ୍ୟତ ଗଠନ ନିମନ୍ତେ ଏହା ଏକ ବିରାଟ ମଞ୍ଚ ପ୍ରଦାନ କରିବ। ଉଦଘାଟନୀ ଉତ୍ସବରେ ବିଏସ୍ଏଫ୍  ସିଏମଓ ସ଼ଂଜୀବ କୁମାର, ବିଏସ୍ଏଫ୍ ଡେପୁଟି କମାଣ୍ଡାଣ୍ଟ ଶୁଭଞ୍ଜନ ମହାପାତ୍ର, ଏସି ଶ୍ରଧାକର ପାଢୀ ଏବଂ ମାଲକାନଗିରି ନେହେରୁ ଯୁବ କେନ୍ଦ୍ରର ସନ୍ତୋଷ ପାତ୍ର ଉପସ୍ଥିତ ଥିଲେ।