ଜୟପୁର: ଉପରକୋଲାବ ବହୁମୁଖୀ ସେଚ ପ୍ରକଳ୍ପ ଅଧିନରେ ଥିବା ୨୨୪କିଲୋମିଟରର ମୁଖ୍ୟ  ଓ ଶାଖା କେନାଲ ପାର୍ଶ୍ବରେ ଥିବା ରାସ୍ତାର ପୁନଃରୁଦ୍ଧାର କାମ ୧୩୯କୋଟି ଟଙ୍କା ଖର୍ଚ୍ଚରେ ଆରମ୍ଭ ହୋଇଛି।  ଏହି ୨୨୪କିଲୋ ମିଟର ପରିଧି ମଧ୍ୟରେ ଜୟପୁର, ବୋରିଗୁମ୍ମା, କୋଟପାଡ ଓ କୁନ୍ଦ୍ରା ବ୍ଲକର ଶତାଧିକ ଗ୍ରାମବାସୀ ନିର୍ଭର। ତେବେ ରାସ୍ତା  ଓ ପୋଲ ଗୁଡିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବାରୁ ଛୋଟ ବଡ ଦୁର୍ଘଟଣା ନିୟମିତ ଜାରୀ ରହିଥିଲା। ତେବେ ସଂପ୍ରତି ଯେଉଁ ଡିଜାଇନ ଓ ଯେଭଳି ରାସ୍ତା କାମ ହେବା କଥା ସେଭଳି କରିବା ବଦଳରେ ରଂଗ ମାଟି ପକାଯାଇ ସମତୁଲ କରି କାମ ସାରିଦିଆଯାଉଥିବା ଅଭିଯୋଗ ହୋଇଛି। ଏଭଳି କାମ କରାଗଲେ ଏହା ଦୀର୍ଘ ଦିନ ପର୍ଯ୍ୟନ୍ତ ରାସ୍ତା ଠିକରେ ରହିବା ସମ୍ଭାବନା ନାହିଁ ବୋଲି ଅଭିଯୋଗ କରିଛନ୍ତି ସମାଜସେବୀ ବି.ହରି ରାଓଙ୍କ ସମେତ ଜୟନ୍ତଗିରୀ, ପେରାହାଣ୍ଡି, ଚାରଗାଁ, ଡାଙ୍ଗରା ଆଦି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

Advertisment

ସୂଚନା ଅନୁଯାୟୀ,  ଉପରକୋଲାବ ବହୁମୁଖୀ  ସେଚ ପ୍ରକଳ୍ପ ଅଧିନରେ ମୁଖ୍ୟକେନାଲ ସତୀଗୁଡା ଡ୍ୟାମ ଠାରୁ କୋଟପାଡ ଶେଷମୁଣ୍ଡ ପର୍ଯ୍ୟନ୍ତ ୫୯କିଲୋ ମିଟର। ଏହି ରାସ୍ତାରେ ୪.୫ମିଟର ବା ପ୍ରାୟ ୧୫ଫୁଟ ଓସାରର ପିଚୁ ପକାଯିବା ଯୋଜନା ରହିଛି। ସେଭଳି ପିଚୁର ଉଭୟ ପଟେ ଗୋଟିଏ ମିଟର ଚଉଡ଼ାରେ କଂକ୍ରିଟ କରାଯିବ। ସେଭଳି ୨୦ଟି ଶାଖା କେନାଲ ୧୬୫ମିଟର ରହିଛି। ଏଥିରେ ଧନପୁର ଶାଖା କେନାଲ, ପଦ୍ମପୁର ଡିଷ୍ଟ୍ରିବ୍ୟୁଟରୀ, ଜୟପୁର ଡିଷ୍ଟ୍ରିବ୍ୟୁଟରୀ, ଅନ୍ତା, ଗିରିଗାଁ, ସିନ୍ଧିଗାଁ,ଧାରଣାହାଣ୍ଡି, ବାଗଦେରୀ, ଖଟଲାପଦର, ଆମ୍ବାବାଲି, ପଖନାଗୁଡା, ବଡ଼ପାରିଆ, ବତାସନା, ଠକ ଦୁଗୁଲାହାଣ୍ଡି, କାଜିଂଗୁଡା, ଶଙ୍କରଡ଼ା, କରଲାହାଣ୍ଡି, ବେଲଗାଁ, କୋଟପାଡ ଓ ହର୍ଦ୍ଧଳୀ। ଚଉଡ଼ା ଅନୁଯାୟୀ ୩.୬ରୁ୪ମିଟର ବା ପ୍ରାୟ ୧୩ଫୁଟ ଚଉଡ଼ାରେ ପିଚୁ ପକାଯାଇ ରାସ୍ତା ନିର୍ମାଣ କରାଯିବା ଯୋଜନା କରାଯାଇଛି। ଏହି ରାସ୍ତା ଗୁଡିକରେ ବହୁ ସମୟରେ ଭାରୀଯାନ ଓ ଚୋରା ମାଲ ପରିବହନ କରୁଥିବା ଗାଡ଼ି ଗୁଡିକ ଯିବା ଆସିବା କରିବା ଫଳରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଥିଲା। ତା ସହ ପ୍ରତି ବର୍ଷ ରାସ୍ତାକୁ ମରାମତି କରିବା ବଦଳରେ ଉପର ଠାଉରିଆ ରକ୍ଷଣାବେକ୍ଷଣ ଓ ଦେଖାରଖା କରିବା ଫଳରେ ବଡ ବଡ ଫଟ ହଲ ହୋଇଯାଇଥିଲା।

୨୨୪କିଲେ ମିଟର ରାସ୍ତା ପୁନଃରୁଦ୍ଧାର ଓ ପ୍ରଶସ୍ତିକରଣ ହେଲେ ପ୍ରାୟ ୪ଟି ବ୍ଲକର ଦୁଇ ଶହରୁ ଉର୍ଦ୍ଧ୍ବ ଗ୍ରାମବାସୀ ଉପକୃତ ହୋଇପାରିବେ। ରାସ୍ତା ନିର୍ମାଣକୁ ଲୋକେ ସ୍ବାଗତ କରୁଥିବା ବେଳେ ରାସ୍ତା ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀ ମାନେ ଉପସ୍ଥିତ ରହୁନଥିବା ବେଳେ ପୂର୍ବରୁ ଥିବା ରାସ୍ତା ଉପରେ ରଂଗ ମାଟି ପକାଇ ସମତୁଲ କରିଦେବା ଯୁକ୍ତି ଯୁକ୍ତ ନୁହେଁ ବୋଲି ଜୟନ୍ତଗିରୀ, ପେରାହାଣ୍ଡି, ଚାରଗାଁ, ଡାଙ୍ଗରା ଆଦି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।  ଏମାନେ ଉପରକୋଲାବ ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀ, ଜିଲ୍ଲାପାଳଙ୍କୁ  ଏ ନେଇ ଅଭିଯୋଗ କରିବା ସହ ଏହି କାମର ଭିଜିଲାନ୍ସ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ଦାବି କରିଛନ୍ତି।