ସମ୍ବଲପୁରରେ୨୩୦୯ ବୋତଲ କୋରେକ୍ସ ସହ ବିପୁଳ ପରିମାଣର ନିଶା ବଟିକା ଜବତ, ୩ ଗିରଫ

ସମ୍ବଲପୁର: ସଦର ଥାନା ପୁଲିସ ଓ ସ୍ପୋଶାଲ ସ୍କାର୍ଡର ଏକ ଟିମ ଆଜି ସଦର ଥାନା ଅଂଚଳରୁ ୨୩୦୯ ବୋତଲ କୋରେକ୍ସ କଫସିରଫ, ୫ ଲିଟର ଅପମିଶ୍ରିତ କୋରେକ୍ସ ଓ ୫୦ଟି ନାଇଟ୍ରୋସନ ଟାବଲେଟ ଜବତ କରିଛି । ଏହି ଘଟଣାରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି ଅଂଚଳରେ ଦୀର୍ଘଦିନ ଧରି କୋରେକ୍ସ ବେପାର ଚାଲିଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ଖବର ମିିଳବା ପରେ ଚଢ଼ାଉ କରିଥିଲା । ପ୍ରଥମେ ଠେମରା ଗ୍ରାମର ସୁବ୍ରତ ବଢ଼େଇକୁ ପୁଲିସ ଧରିବା ସହ ତାଙ୍କ ଘର ଯାଞ୍ଚ କରିବା ପରେ ସେଠାରୁ କେରାକ୍ସ ଜବତ କରିଥିଲା । ଏହି ଘଟଣା ସହ ଜଡ଼ିତ ରୋଶନ ମିଶ୍ର ନାମକ ଜଣେ ଅନ୍ୟତମ ଅଭିଯୁକ୍ତ ଫେରାର ହୋଇଯାଇଥିଲା । କିନ୍ତୁ ପୁଲିସ ରୋଶନକୁ ଶାସନ ଥାନା ଅଂଚଳରୁ ଗିରଫ କରିବା ପରେ ତା ଘର ଓ ଏକ ସାର ଦୋକାନରେ ଚଢ଼ାଉ କରିଥିଲା । କୋରେକ୍ସ ଆଣିବାରେ ସାହାଯ୍ୟ କରୁଥିବା ଶାସନ ଥାନା ପରମାଣପୁର ଗ୍ରାମର ବଳରାମ ଦୀପକୁ ମଧ୍ୟ ପୁଲିସ ଗିରଫ କରିଛି ।

ସମ୍ବଲପୁରରେ ବର୍ଦ୍ଧିତ କାରବାରକୁ ନେଇ ଦୁଇ ଦିନ ତଳେ ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ପୁଲିସର ତତ୍ପରତା ପ୍ରକାଶ ପାଇଛି । ପୁଲିସ ଆଜି ଅତର୍କିତ ଭାବେ ଚଢ଼ାଉ କରିବା ସହ ଏକ ବଡ଼ ଧରଣର ରାକେଟକୁ ଧରିବାରେ ସଫଳ ହୋଇଛି ।

ତେବେ ମୁଖ୍ୟ ଅଭିଯୁକ୍ତ ରୋଶନ ଓ ସୁବ୍ରତ ବରଗଡ଼ ଜିଲ୍ଲାରୁ କୋରେକ୍ସ ଆଣି ସମଗ୍ର ସହରରେ ବ୍ୟବସାୟ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସୂଚନାଯୋଗ୍ୟ, ଚଳିତ ମାସ ପ୍ରଥମ ସପ୍ତାହରେ ବୁର୍ଲା ଅଂଚଳରେ ଜଣେ ବ୍ୟକ୍ତିଙ୍କ ଘରେ ବିପୁଳ ପରିମାଣର କୋରେକ୍ସ ଥିବା ସୂଚନା ନେଇ ଖୋଦ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏକ ଟିମ ଚଢ଼ାଉ କରିଥିଲା । ଏହି ଘଟଣାରେ ଡ୍ରଗସ ଇନ୍ସପେକ୍ଟର ଜଣେ ବ୍ୟକ୍ତିଙ୍କର ଠାକୁର ଘରୁ ଏକ ହଜାରରୁ ଅଧିକ ବୋତଲ କୋରେକ୍ସ ଜବତ କରିଥିଲା ।

ସମ୍ବନ୍ଧିତ ଖବର