ନବରଙ୍ଗଗପୁର: ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଦୁଇ ଦିନିଆ ନବରଙ୍ଗପୁରଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ମିସନ ଶକ୍ତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ବିଭିନ୍ନ ବିଭାଗର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା, ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର, ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ ଏବଂ ସାଂସଦ ପ୍ରତିନିଧି କୁଞ୍ଜ ବିହାରୀ ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦର ୱାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ସହ ଜିଲ୍ଲାର ବିଭିନ୍ନ ବିଭାଗ ଅଧିକାରୀ, ବିଡିଓ ଆଦି ଉପସ୍ଥିତ ଥିଲେ। ଜିଲ୍ଲାପାଳ ମହାପାତ୍ର ସଭା ପରିଚାଳନା କରିଥିଲେ।
ମନ୍ତ୍ରୀ ଜିଲ୍ଲାରେ ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିଥିଲେ। ମୁଖ୍ୟତଃ ରାସ୍ତା, ପୋଲ ନିର୍ମାଣ, ପାନୀୟ ଜଳ, ମନରେଗା ଯୋଜନା, ହିତାଧିକାରୀଙ୍କୁ ଗୃହ ବଣ୍ଟନ କାର୍ଯ୍ୟର ଅଗ୍ରଗତି, ଜନଜାତି ଉନ୍ନୟନ ଦ୍ଵାରା ଜୀବିକା ନିର୍ବାହ ଉପରେ ବିଶେଷ ଭାବରେ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଶ୍ନ ପଚାରିଥିଲେ। ଆର୍ ଡବ୍ଲୁ ଏସଏସ ବିଭାଗ ଦ୍ଵାରା ଜିଲ୍ଲାର ସମସ୍ତଙ୍କୁ ପାଇପ ଯୋଗେ, ସୋଲାର, ନଳକୂପ ଦ୍ଵାରା ପ୍ରତ୍ୟେକ ପଞ୍ଚାୟତରେ ପାନୀୟ ଜଳ ସୁବିଧାର ଅଗ୍ରଗତି ଉପରେ ବିଶେଷ ଗୁରୁତ୍ବ ଦେଇ ଲକ୍ଷ୍ୟ ଧାର୍ଯ୍ୟକୁ ପୁରଣ କରିବା ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଗମନାଗମନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ଅନ୍ୟ ଯୋଜନାରେ ଗ୍ରାମାଞ୍ଚଳ ରାସ୍ତା ଓ ସେତୁ ନିର୍ମାଣ ଉପରେ ବିଶେଷ ଗୁରୁତ୍ବ ଦେଇ ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ ଗୃହ ନିର୍ମାଣ ବିଭାଗୀୟ ଅଧିକାରୀଙ୍କୁ ସମନ୍ଵୟ ରକ୍ଷା ପୂର୍ବକ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ହିତାଧିକାରୀଙ୍କୁ ଗୃହ ବଣ୍ଟନ କାର୍ଯ୍ୟକ୍ରମରେ ବିଶେଷ ଅଗ୍ରଗତି ହୋଇନଥିବା ଦେଖି କ୍ଷୋଭ ପ୍ରକାଶ କରିଥିଲେ।
୨୦୧୬-୧୭ ମସିହାରୁ ୨୦୨୪-୨୫ ମସିହା ୯ବର୍ଷ ମଧ୍ୟରେ ୨୩,୨୩୪ଟି ଗୃହ ନିର୍ମାଣ ଶେଷ ହୋଇପାରିନାହିଁ। ଏହାର କାରଣ ମନ୍ତ୍ରୀ ଖୋଜିଥିଲେ। ହିତାଧିକାରୀମାନେ ନିଜର ଗୃହନିର୍ମାଣରେ ଆବଣ୍ଟିତ ଅର୍ଥକୁ ସଠିକ୍ ପରିଚାଳନା ନ କରିବା, ବାଲି ଓ ଅନ୍ୟାନ୍ୟ ଗୃହ ସାମଗ୍ରୀର ଉପଲବ୍ଧ ନ ହେବା ଏବଂ କଂଚା ମାଲର ଦରଦାମ ବୃଦ୍ଦି କିଛି ମାତ୍ରାରେ ପ୍ରଭାବ ପଡିଥିବା ବିଡିଓମାନେ ସଫେଇ ଦେଇଥିଲେ। ୨୦୨୪-୨୫ ରେ ୨୦୬୨ଟି ଗୃହ ଆବଣ୍ଟନ ପ୍ରସ୍ତାବ ଗୃହୀତ ହୋଇ କାର୍ଯ୍ୟାଦେଶ ଦିଆଯାଇଛି।
୧୮ତାରିଖ ସୁଦ୍ଧା ଜିଲ୍ଲାର ୧୮୯ ପଞ୍ଚାୟତରେ ୫୬୨ଟି ଅମୃତ ସରୋବର ପ୍ରସ୍ତାବ ଗୃହୀତ ହୋଇ ୧୫୯ଟିର କାର୍ଯ୍ୟ ଆରମ୍ଭ ହୋଇଛି। ଓରମାସ ପକ୍ଷରୁ ବିଭିନ୍ନ ଜୀବିକା ନିର୍ବାହ ପାଇଁ ତାଲିମ ପ୍ରଦାନ ସହ ରାଜମିସ୍ତ୍ରୀ, ବଢ଼ାଇ, ଫିଟରଙ୍କୁ ପ୍ରଶିକ୍ଷଣ ପାଇଁ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ଦ୍ବୟ ନିଜ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଅଧିକ ତ୍ୱରାନିତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ। ଅଧିକାରୀମାନଙ୍କୁ ଦାୟିତ୍ୱର ସହ ଲକ୍ଷ୍ୟ ପୁରଣ ଦିଗରେ କାର୍ଯ୍ୟ କରିବା ତଥା ନିଜର ଦୃଷ୍ଟିକୋଣକୁ ବିସ୍ତାର ପୂର୍ବକ ବିକଶିତ ଓଡ଼ିଶାର ସ୍ବପ୍ନ ସହ ନବରଙ୍ଗପୁର ଜିଲ୍ଲା ଯେଭଳି ସମସ୍ତ କ୍ଷେତ୍ରରେ ପ୍ରଗତି କରୁ ତାହା ଦେଖିବାକୁ ଚାହୁଁଛନ୍ତି ବୋଲି ମନ୍ତ୍ରୀ କହିଥିଲେ।
Odisha | Nabarangpur