ଭବାନୀପାଟଣା: ଦେଶବ୍ୟାପୀ ମେ’ ମାସ ୩ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ଚାଲିଥିବା ବେଳେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ୨୪ ଜଣ ଶ୍ରମିକ ଫୁଲବାଣୀ ଜିଲ୍ଲା କଦଳୀ ମୁଣ୍ଡା ଠାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣ କାର୍ଯ୍ୟରେ ଠିକା ସଂସ୍ଥା ଦ୍ୱାରା ନିୟୋଜିତ ହୋଇ ଥିଲେ। ଲକଡାଉନ କାରଣରୁ ଠିକାଦାର କାମ ବନ୍ଦ କରିଦେବା ଫଳରେ ଠିକା ଶ୍ରମିକମାନେ କିଛି ଦିନ ଏଠି ସେଠି ରହି ଶେଷରେ ଖାଇବାକୁ ନ ପାଇ ଘର ମୁହାଁ ହୋଇଛନ୍ତି।
ଫୁଲବାଣୀ ଜିଲ୍ଲା କଦଳୀମୁଣ୍ଡାରୁ ଦୀର୍ଘ ପାଞ୍ଚ ଦିନ ଚାଲିବା ପରେ ଆଜି ସକାଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଘଣ୍ଟମାଲରେ ପହଁଚି ଥିଲେ। ପରେ ଘଣ୍ଟମାଲ ଗ୍ରାମର ଦେବେନ୍ଦ୍ର ସା, ବ୍ରଜ ପ୍ରଧାନ, ପ୍ରସନ୍ନ ସା ପ୍ରମୁଖ ଶ୍ରମିକ ମାନଙ୍କ ପରିସ୍ଥିତି ପଚାରି ବୁଝି ସମସ୍ତଙ୍କୁ କିଛି ଶୁଖିଲା ଖାଦ୍ୟ ଓ ତରଭୁଜ ଖାଇବାକୁ ଦେଇଥିଲେ। ପାଦରେ ଚାଲି ଚାଲି ଆସି ଥିବା କାରଣରୁ ଶ୍ରମିକମାନେ କ୍ଳାନ୍ତ ବୋଧ କରୁଥିଲେ। ଏଣୁ ଏ ସମ୍ପର୍କରେ ଘଣ୍ଟମାଲ ସରପଞ୍ଚଙ୍କୁ ଅବଗତ କରାଇଥିଲେ। କିନ୍ତୁ ସ୍ଥାନୀୟ ସରପଞ୍ଚ ୨୪ ଜଣ ଶ୍ରମିକଙ୍କ ପାଇଁ ରନ୍ଧା ଖାଦ୍ୟ ଓ ବିଶ୍ରାମ ବ୍ୟବସ୍ଥା କରାଇ ନ ପାରିବା କାରଣରୁ କିଛି ଭଦ୍ର ବ୍ୟକ୍ତି ସେମାନଙ୍କୁ ଶାନ୍ତପୁର ସ୍ଥାନାନ୍ତରିତ କରିଥିବା ଖବର ମିଳିଛି।
ଶାନ୍ତପୁର ସରପଞ୍ଚଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଙ୍କୁ ମଧ୍ୟାହ୍ନ ଭୋଜନ ସହିତ ୧୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ସହିତ ବିଶ୍ରାମ ବ୍ୟବସ୍ଥା କରିଥିବା ସୂଚନା ମିଳିଛି। ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ଶ୍ରମିକ ମାନଙ୍କ ତାଙ୍କ ନିଜ ଗାଁ ପାପଡାହାଣ୍ଡି ପଠାଯିବା ବ୍ୟବସ୍ଥା କରାଯିବ ବୋଲି ଜଣା ପଡ଼ିଛି। ତେବେ ମହାମାରୀ ସମୟରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରବାସୀ ତଥା ଅସହାୟଙ୍କୁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ୨୦୦ ଜଣଙ୍କୁ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଉଥିବା ବେଳେ ଘଣ୍ଟମାଲ ସରପଞ୍ଚ ୨୪ ଜଣ ପ୍ରବାସୀ ଶ୍ରମିକଙ୍କ ପାଇଁ କୋୖଣସି ବ୍ୟବସ୍ଥା କରି ନ ଥିବା କାରଣରୁ ଗ୍ରାମବାସୀ ମାନଙ୍କ ମଧ୍ୟରୁ ଦେବେନ୍ଦ୍ର ସା, ବ୍ରଜ ପ୍ରଧାନ, ପ୍ରସନ୍ନ ସା, ଦିଗନ୍ତ ଗୌଡ଼, ଅଶ୍ଵନି ପ୍ରଧାନ ସରପଞ୍ଚଙ୍କ ଉପରେ ନିଜ ଅସନ୍ତୋଷ ଜାହିର କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/KLD2.jpg)