ବୌଦ୍ଧ: ମହାରାଷ୍ଟ୍ରର ପୁନେ ଜିଲ୍ଲା ଜାମ୍ବେ ଅଞ୍ଚଳର ଏକ ଇଟାଭାଟିରେ ବନ୍ଧକ ଥିବା ୪ ଜଣ ଶିଶୁଙ୍କ ସହ ୨୪ ପ୍ରବାସୀ ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ଏହି ଶ୍ରମିକମାନେ ଗତ ୭ ମାସ ହେଲା ସେଠାରେ ନିର୍ଯାତନାର ଶିକାର ହେଉଥିଲେ। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ କଣ୍ଟାମାଳ ଥାନା ମଲିକୁଦ ଗ୍ରାମର ୨ ଜଣ ଶିଶୁଙ୍କ ୯ ଜଣ, ବରଡିପଦର ଗ୍ରାମର ୬ ଜଣ ଓ ମନମୁଣ୍ଡା ଥାନା ବଘାର ଗ୍ରାମର ୨ ଜଣ ଶିଶୁଙ୍କ ସହ ୯ ଜଣ ପୁରୁଷ ମହିଳା ରହିଛନ୍ତି।
ସୂଚନା ଅନୁସାରେ, ଜଣେ ମହିଳା ଓ ପୁରୁଷ ଦଲାଲ ପରିବାର ପିଛା ୪୦ ହଜାର ଟଙ୍କାର ପ୍ରଲୋଭନ ଦେଖାଇଥିଲେ। ଦଲାଲମାନେ ସେମାନଙ୍କୁ ଗାଁରୁ ନେଇ କଣ୍ଟାବାଞ୍ଜିର ଜଣେ ସର୍ଦ୍ଦାର ହାତରେ ଟେକି ଦେଇଥିଲେ। କଣ୍ଟାବାଞ୍ଜିର ଦାଦନ ସର୍ଦ୍ଦାର ସେମାନଙ୍କୁ ମହାରାଷ୍ଟ୍ରର ପୁନେ ଜିଲ୍ଲା ଜାମ୍ବେ ଅଞ୍ଚଳର ଏକ ଇଟାଭାଟି ମାଲିକ ରବି ସେଟ୍ର ଜିମାରେ ଦେଇ ଫେରି ଆସିଥିଲା। ଇଟା ଭାଟିରେ ପହଞ୍ଚିବା ପରେ ସେଠାକାର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଥିଲା। ପ୍ରତି ପରିବାକୁ ଦେଢ଼ ଲକ୍ଷ ଟଙ୍କାରେ କିଣିଥିବା କହି ମାଲିକ ନିର୍ଯାତନା ଦେବା ଆରମ୍ଭ କରିଥିବା ଉଦ୍ଧାର ଶ୍ରମିକମାନେ ଅଭିଯୋଗ କରିଛନ୍ତି। ମଜୁରୀ ନଦେଇ ପ୍ରତି ପରିବାରକୁ ସପ୍ତାହକୁ କେବଳ ଏକ ହଜାର ଟଙ୍କା ଖାଇବା ଖର୍ଚ୍ଚ ଦେଇ ଗଧ ଭଳିଆ ଖଟାଉଥିଲା।
ଏଭଳି ଭାବରେ ସାତ ମାସ ଧରି ନିର୍ଯାତନାର ଶିକାର ହୋଇ ଶେଷରେ ବିକଳ ହୋଇ ପରିବାର ଲୋକଙ୍କୁ ଫୋନରେ ଜଣାଇଲେ। ସେମାନଙ୍କୁ ଉଦ୍ଧାର କରିବାକୁ ପରିବାର ଲୋକେ ଜିଲ୍ଲାପାଳଙ୍କୁ ନେହୁରା ହେଲେ। ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଓ ଏସ୍ପି ରାଜ ପ୍ରସାଦ ଆଲୋଚନା କରି ତ୍ବରିତ ପଦକ୍ଷେପ ନେଇଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ସୁଶାନ୍ତ ପାଇକରାୟ, ପୁଲିସ ମୁଖ୍ୟାଳୟର ଇନ୍ସପେକ୍ଟର ଗୋପୀନାଥ ପ୍ରଧାନ ଓ ଡିଏଲଓ ଅଫିସର କର୍ମଚାରୀ କାହ୍ନୁ ଚରଣ ମହାରଣା ଭୁବନେଶ୍ବରରୁ ବିମାନରେ ପୁନେ ଯାଇଥିଲେ। ଏସପିଙ୍କ ନିର୍ଦ୍ଦେଶ ଅନୁସାରେ ପୁନେ ଏସ୍ପିଙ୍କୁ ସାକ୍ଷାତ କରିବା ପରେ ଏକ ସଶସ୍ତ୍ର ପୁଲିସ ବାହିନୀ ସହ ଇଟା ଭାଟି ଉପରେ ଚଢ଼ଉ କରିଥିଲେ। ପୁଲିସ ବାହିନୀକୁ ଦେଖି ଇଟା ଭାଟି ମାଲିକର ସଶସ୍ତ୍ର ଗୁଣ୍ଡା ପଛଘୁଞ୍ଚା ଦେଇଥିଲେ।
ସେଠାରୁ ୨୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଶୁକ୍ରବାର ସେମାନେ ରେଢ଼ାଖୋଲ ଷ୍ଟେସନରେ ପହଞ୍ଚିବା ପରେ ପୁଲିସର ସ୍ବତନ୍ତ୍ର ବସରେ ସେମାନଙ୍କୁ ବୌଦ୍ଧ ଏସ୍ପିଙ୍କ ଅଫିସକୁ ଅଣା ଯାଇଥିଲା। ପୂର୍ବରୁ ଗାଁରୁ ଆସିଥିବା ପରିବାର ଲୋକଙ୍କ ସହ ସାକ୍ଷାତ ହୋଇଥିଲା। ଏସ୍ପି ଶ୍ରୀ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀର ସମଗ୍ର ଘଟଣାର ବୃତ୍ତାନ୍ତ କହିଥିଲେ। ତ୍ବରିତ ପଦକ୍ଷେପ ଯୋଗୁଁ ପୁନେ ଜିଲ୍ଲା ପୁଲିସ ଓ ରେଳ ବିଭାଗକୁ କୃତଜ୍ଞତା ଜଣାଇ ଉଭୟ ବିଭାଗ ଯୋଗୁଁ ଶ୍ରମିକମାନେ ସୁରକ୍ଷିତ ଭାବରେ ଫେରିଥିବା କହିଥିଲେ। ଦଲାଲ ଓ ସର୍ଦ୍ଦାର ଫେରାର ଥିବା ବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ଏସ୍ଡିପିଓ ଆନନ୍ଦବର୍ଦ୍ଧନ ଗୁରୁ, ଡିଆଇବି ଡିଏସ୍ପି ଦେବାଶିଷ ଧଳ, ଡିଆଇପିଆରଓ ରୀତାକାନ୍ତି ବଳିଆରସିଂହ, ଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ ଓ ଉଦ୍ଧାରକାରୀ ଦଳ ଉପସ୍ଥିତ ଥିଲେ। ପରେ ଜିଲ୍ଲାପାଳ ସେମାନଙ୍କ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରି ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ ଉପହାର ଦେଇଥିଲେ। ଶ୍ରମିକଙ୍କୁ ସ୍ବତନ୍ତ୍ର ଗାଡ଼ିରେ ଘରେ ପହଞ୍ଚିବା ବ୍ୟବସ୍ଥା କରାଯାଇଥିଲା।