୨୪ ନକ୍ସଲ ସହ ୭୬ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା। ସୁକମା ପୁଲିସ ନିକଟରେ ୨୪ ଜଣ ନକ୍ସଲ ସହ ୭୬ ଜଣ ନକ୍ସଲ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ସୁକମା ଜିଲ୍ଲାର ଚିନ୍ତଲନାର ଥାନା ଅଂଚଳର ଶହେରୁ ଉର୍ଦ୍ଧ୍ବ ଗ୍ରାମବାସୀ ଆଜି ସୁକମା ଜିଲ୍ଲା ପୁଲିସ ନିକଟରେ ପହଞ୍ଚି ନକ୍ସଲଙ୍କୁ ଆଉ ସମର୍ଥନ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଆଗାମୀ ଦିନରେ ବିକାଶ କାର୍ଯ୍ୟରେ ସମସ୍ତ ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି। ଗ୍ରାମବାସୀ ପ୍ରଶାସନ ନିକଟରେ ଗ୍ରାମରେ ପାଣି,ବିଦ୍ୟୁତ,ରାସ୍ତା ପାଇଁ ମଧ୍ୟ ଦାବି କରିଥିଲେ। ଗତକାଲି ଠାରୁ ଗ୍ରାମବାସୀ ଦୁର୍ଗମ ଅଂଚଳରୁ ବାହାରି ସିରସିଟି ଗ୍ରାମରେ ପହଞ୍ଚିଥିଲେ।ପରେ ପୁଲିସ ନିଜ ଗାଡିରେ ଆଜି ଦ୍ବିପହର ୧୨ଟା ବେଳେ ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ସମସ୍ତଙ୍କୁ ଆଣିଥିଲା। ଆତ୍ମସମର୍ପଣ କରିଥିବା ୨୪ ଜଣ ନକ୍ସଲଙ୍କୁ ଏସପି ସ୍ବାଗତ କରିବା ସହ ଆଗାମୀ ଦିନରେ ସମସ୍ତ ସୁବିଧାସୁଯୋଗ ପ୍ରଦାନ କରାଯିବ ବୋଲି କହିଥିଲେ।ଏସପି ଗ୍ରାମବାସୀଙ୍କୁ ବୁଝାଇଥିଲେ ଯେ ନକ୍ସଲବାଦ ଯୋଗୁଁ ହିଁ ଆମର ଉନ୍ନତି ହୋଇପାରୁନାହିଁ। ନକ୍ସଲଙ୍କୁ ସମର୍ଥନ କରିବା ବନ୍ଦ କରନ୍ତୁ।ସରକାରଙ୍କୁ ସହଯୋଗ କଲେ ଆପଣଙ୍କ ନିକଟରେ ସ୍କୁଲ,କଲେଜ,ଅଂଗନବାଡି ଇତ୍ୟାଦି ପହଞ୍ଚିପାରିବ।ଏହି ଆତ୍ମସମର୍ପଣ କାର୍ଯ୍ୟକ୍ରମରେ ଏସପି ଓମ ଚନ୍ଦଲ,ଡିଏସପି ଶ୍ୟାମ ମଧୁକର,ଏସଡିଓପି ପରମେଶ୍ବର ତିଲକଵାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର