ଜିଲ୍ଲା ଉନ୍ନୟନ ଓ ସମନ୍ୱୟ କମିଟି ବୈଠକ: ୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗାରେ ୨୫ଲକ୍ଷ କର୍ମଦିବସ ଓ ୮୧ଟି ଅମୃତ ସରୋବର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଳାରେ ଚଳିତ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୨୫ଲକ୍ଷ କର୍ମଦିବସ ସୃଷ୍ଟି କରାଯିବ ଓ ଅମୃତ ସରୋବର ଯୋଜନାରେ ୮୧ଟି ପୋଖରୀର ଉନ୍ନତୀକରଣ ହେବ । ଆଜି ଜିଲ୍ଳା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ନିରୀକ୍ଷଣ କମିଟି ବୈଠକରେ ଏହା ସୂଚନା ଦିଆଯାଇଛି । ମଙ୍ଗଳବାର ଅନୁଷ୍ଠିତ ବୈଠକରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ । ଜିଲ୍ଳା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରୁ ମିଳିଥିବା ସୂଚନାନୁସାରେ, ଜିଲ୍ଲାରେ ଚଳିତ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୨୫ଲକ୍ଷ
କର୍ମ ଦିବସ ସୃଷ୍ଟି କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏଥିରେ ଗ୍ରାମାଂଚଳର ବିକାଶ ସହ ବୃକ୍ଷରୋପଣ ଆଦି ମଧ୍ୟ ସାମିଲ କରିବାକୁ
ବୈଠକରେ ଆଲୋଚନା ହୋଇଥିଲା ।

ସେହିଭଳି ଜିଲ୍ଳାର ୧ ଏକରରୁ ଊର୍ଦ୍ଧ୍ବ ଆୟତନ ବିଶିଷ୍ଟ ପୋଖରୀ ଠାବ କରି ଏହାର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ଅମୃତ ସରୋବର ଯୋଜନାରେ ଜିଲ୍ଲା ପାଇଁ
୭୫ଟି ପୋଖରୀ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତମାନ ୮୧ଟି ପୋଖରୀ ଚିହ୍ନଟ କରାଯାଇଛି । କେତେକ ପୋଖରୀର କାମ ଆରମ୍ଭ ହୋଇଛି ଓ ଅଗଷ୍ଟ ୧୫ ତାରିଖ ସୁଦ୍ଧା ସମସ୍ତ ପୋଖରୀର କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀ ରାଉତରାୟ ସୂଚନା ଦେଇଥିଲେ । ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ଜଳସେଚନ, କ୍ଷୁଦ୍ର ଜଳସେଚନ, ପୂର୍ତ ଓ ପାନୀୟ ଜଳ ଯୋଗାଣ ଆଦି ୬ଟି ପ୍ରମୁଖ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହା ସହ ସାଂସଦ
ହାତପାଣ୍ଠୀରୁ ଅନୁଦିତ ହୋଇଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, କାର୍ଯ୍ୟାନ୍ୱୟନ ଓ ବିନିଯୋଗ ପ୍ରମାଣପତ୍ର ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର