ଢ଼ାବା ହୋଟେଲରୁ ୨୫ ଲିଟର ବିଦେଶୀ ମଦ ଜବତ, ତିନି ଗିରଫ

ଆସିକା: ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମରେ ଥିବା ସକସମ ଢ଼ାବା, ପରାଡ଼ାଇଜ ଢ଼ାବା ଓ ଗ୍ରୀନ ପାର୍କ ଢ଼ାବା ହୋଟେଲରେ ଗତକାଲି ରାତ୍ରୀରେ ଥାନାର ଏକ ଟିମ ଚଢ଼ାଉ କରି ବିଦେଶୀ ମଦ ଜବତ କରିବା ସହିତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ସହର ସଂଲଗ୍ନ ବ୍ରହ୍ମପୁର ମୁଖ୍ୟ ସଡ଼କ ପଥରେ ଥିବା ଏହି ଢ଼ାବା ହୋଟେଲ ଗୁଡ଼ିକ ମଧ୍ୟରୁ ତିନୋଟି ହୋଟେଲରେ ପୁଲିସ ଶୁକ୍ରବାର ରାତିରେ ଚଢାଉ କରିଥିଲା। ବେଆଇନ ଭାବେ ସେଠାରେ ବିଦେଶୀ ମଦ ବିକ୍ରି ହୋଉଥିବା ବେଳେ୨୫ ଲିଟର ବିଦେଶୀ ମଦ ଓ ୨ଟି ଫ୍ରିଜ୍‌ ଜବତ କରିଥିଲା। ଏଥିରେ ସଂପ୍ରକ୍ତ ଥିବା ଅଭିଯୋଗରେ ପୀତବାସ ବିଶ୍ୱାଳ, ସରୋଜ ସ୍ୱାଇଁ ଓ ଜଗନ୍ନାଥ ସ୍ୱାଇଁଙ୍କୁ ତିନୋଟି ପୃଥକ ମାମଲାରେ କୋର୍ଟ ଚାଲାଣ କରାଯାଇଥିବା ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

ଆସିକାରେ ଅବକାରୀ ବିଭାଗର ନୀରବତା କାରଣରୁ ଦେଶୀ ଓ ବିଦେଶୀ ମଦର ଅବାଧ ବିକ୍ରି ଚାଲିଛି। ପୁଲିସ ପ୍ରତି ମାସରେ ୨୦ରୁ ଉର୍ଦ୍ଧ୍ୱ ମାମଲା ରୁଜୁ କରି ଚଳିତ ବର୍ଷ ଆଜି ସୁଦ୍ଧା ୨୫୦ରୁ ଉର୍ଦ୍ଧ୍ଵ ମାମଲା ରୁଜୁ କରି ସ୍ଥିତି ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରୁଥିବା ବେଳେ ଅବକାରୀ ବିଭାଗର ନିଷ୍କ୍ରିୟତା ପାଇଁ ବେଆଇନ ମଦ ବିକ୍ରି ବଢ଼ିବାରେ ଲାଗିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ଗ୍ରାମାଞ୍ଚଳରେ ମୁଖ୍ୟ ରାସ୍ତା ରୁ ୫୦୦ମିଟର ଦୂର ରେ ମଦ ଦୋକାନ ଖୋଲିଛି। କିନ୍ତୁ ଆସିକା ସହର ଓ ଆଖ ପାଖ ଅଂଚଳର ପାନ ଦୋକାନ, ଢ଼ାବା, ଫାଷ୍ଟ ଫୁଡ଼ ଦୋକାନ, କିରାଣୀ ଦୋକାନ ଏରୋଗୋଲା ବସ୍ତିରେ ଅବାଧରେ ମଦ ବିକ୍ରି କାରଣରୁ ମଦ ମୃତ୍ୟୁକୁ ମଧ୍ୟ ଏଡ଼ାଇବା କଷ୍ଟ। ରାସ୍ତାକଡରେ ମଦ ମିଳୁଥିବା ହେତୁ ଦୁର୍ଘଟଣା ଓ ଅସାମାଜିକ କାର୍ଯ୍ୟ ମୁଖ୍ୟରାସ୍ତା କଡରେ ବଢିଯିବ। ଏଭଳି ସ୍ଥିତି ରେ ଆସିକା ଦେଇ ଯେଉଁ ଭଳି ଭାବ ମଦ ଗଂଜେଇ ଚାଲାଣ ହେଉଛି ଲାଗୁଛି ଅବକାରୀ କର୍ମଚାରୀ ମଦ ଗଂଜେଇ ଚଲାଣକାରୀଙ୍କ ନିକଟରେ ମୁଣ୍ଡ ନୁଆଁଇ ଦେଇଛନ୍ତି।

ସମ୍ବନ୍ଧିତ ଖବର