ପ୍ରଥମ ପର୍ଯ୍ୟାୟରେ୨୫୧୦୩ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କରୋନା ଟିକା, ୩୫.୫୨ଲକ୍ଷ ଜଣଙ୍କୁ ଦିଆଯିବ ଫାଇଲେରିଆ ଔଷଧ

ସାମୁହିକ ଟିକାକରଣ: ଜିଲ୍ଲା ପ୍ରଶାସନର ପ୍ରଥମ ସମନ୍ବୟ କମିଟି ବୈଠକ

ଛତ୍ରପୁର: ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ସ୍ବାସ୍ଥ୍ୟସେବା ସହ ଜଡ଼ିତ ୨୫୧୦୩ କର୍ମଚାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ କରୋନା ଟିକା ଦିଆଯିବ। ଏଥିଲାଗି ଡାଟା ବେସ୍‌ ପ୍ରସ୍ତୁତ ହୋଇ କୋ-ଓ୍ବିନ୍ ସାଇଟ୍ ରେ ଅପଲୋଡ୍ ହୋଇ ସାରିଛି। କୋଭିଡ୍ ଭ୍ୟାକ୍ସିନ୍ ଜିଲ୍ଲାରେ ପହଞ୍ଚିବା ପରେ ଜିଲ୍ଲାରେ ଆଞ୍ଚଳିକ ଭ୍ୟାକ୍ସିନ୍ ଷ୍ଟୋରରେ ଗଚ୍ଛିତ ରଖାଯିବ। ସେଠାରୁ ସମସ୍ତ କେନ୍ଦ୍ର ଗୁଡିକୁ ଭ୍ୟାକ୍ସିନ ବିତରଣ କରାଯିବ। ଜନସାଧାରଣଙ୍କୁୂ ଭ୍ୟାକ୍ସନ୍‌ ପ୍ରଦାନ କରିବା ଲାଗି ସ୍ଥିରୀକୃତ କେନ୍ଦ୍ର ଗୁଡିକରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଟିକା ନେବାକୁ ଆସିଥିବା ଲୋକଙ୍କ ସକାଶେ ଅପେକ୍ଷା ଗୃହରେ ୬ ଫୁଟ ବ୍ୟବଧାନରେ ବସିବା ବ୍ୟବସ୍ଥା, ମାସ୍କ ପରିଧାନ ଆଦି ଦିଗରେ ସତର୍କ ଦୃଷ୍ଟି ରଖାଯିବ।ଭ୍ୟାକ୍ସିନ୍ ପ୍ରଦାନ କରାଯିବା କୋଠରୀକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତି କରି ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ। ଭ୍ୟାକ୍ସିନ୍ ପ୍ରଦାନ ଗୃହରେ ମୁତୟନ କର୍ମଚାରୀ ଓ ଅଧିକାରୀଙ୍କୁ ସେମାନଙ୍କ ଦାୟିତ୍ବ ସମ୍ପର୍କ ଅବଗତ କରାଯିବ। ଭ୍ୟାକ୍ସିନ୍ ପ୍ରଦାନ ପରେ ଭ୍ୟାକ୍ସିନ୍ ନେଇଥିବା ବ୍ୟକ୍ତିଙ୍କୁ ୩୦ ମିନିଟ୍ ନିରୀକ୍ଷଣ କରି ରଖାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଜିଲ୍ଲାରେ କରୋନା ଟିକା, ପଲ୍ସ ପୋଲିଓ ଟୀକାକରଣ ଓ ଫାଇଲେରିଆ ନିରାକରଣ ଅଭିଯାନକୁ ସୁଚାରୁରୂପେ ପରିଚାଳନା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ବୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରି କହିଥିଲେ ଯେ, ଜିଲ୍ଲାକୁ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଫେରିଥିଲେ। ଜିଲ୍ଲାବାସୀଙ୍କ ସହଯୋଗ ଓ ଜିଲ୍ଲା ପ୍ରଶାସନର ପରିଶ୍ରମ ଫଳରେ କରୋନାର ମୁକାବିଲା କରାଯାଇପାରିଛି। ଆଗାମୀ ଦିନରେ ଜିଲ୍ଲାବାସୀଙ୍କୁ କୋଭିଡ୍ ଭ୍ୟାକ୍ସିନ୍ ଯୋଗାଇ ଦିଆଯିବ।

ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମକୁ ଠିକ୍ ରୂପେ ପରିଚାଳନା କରି ଭ୍ୟାକ୍ସିନର ସୁ ଆବଣ୍ଟନ ଦିଗରେ ସତର୍କତା ଓ ପ୍ରସ୍ତୁତିର ଆବଶ୍ୟକତା ରହିଛି। ସଚେତନତା ଓ ପୂର୍ବ ପ୍ରସ୍ତୁତି ଠିକ୍ ରୂପେ ହୋଇପାରିଲେ କୌଣସି ଅସୁବିଧା ହେବ ନାହିଁ। ଏଥିଲାଗି ସମସ୍ତଙ୍କର ପ୍ରୟାସ ଆବଶ୍ୟକ ବୋଲି ସେ କହିଥିଲେ। ବୈଠକରେ ଫାଇଲେରିଆ ଓ ପଲ୍ସପୋଲିସ ଟିକାକରଣ ଉପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ‌ହୋଇଥିଲା। ଫାଇଲେରିଆ ନିରାକରଣ ଅଭିଯାନ ଅନ୍ତର୍ଗତ ସାମୟିକ ଔଷଧ ସେବନ କାର୍ଯ୍ୟକ୍ରମ ଜିଲ୍ଲାରେ ଆସନ୍ତା ଫେବୃୟାରୀ ମାସରେ ଚାଲିବ। ଗର୍ଭବତୀ ମହିଳା, ୨ବର୍ଷରୁ କମ୍ ବୟସର ଶିଶୁ ଓ ଗୁରୁତର ଅସୁସ୍ଥ ଥିବା ବ୍ୟକ୍ତିଙ୍କ ବ୍ୟତୀତ ଜିଲ୍ଲାର ସମସ୍ତ ଲୋକଙ୍କୁ ଡିଇସି ବଟିକା ସହିତ ଆଲବେଣ୍ଡାଜୋଲ୍ ବଟିକାର ଗୋଟିଏ ମାତ୍ରା ଖାଇବାକୁ ଦିଆଯିବ।

ଏହି ବଟିକା ଖାଦ୍ୟ ଖାଇବା ପରେ ଖାଇବେ। ଆଶାକର୍ମୀ କିମ୍ବା ତାଲିମ୍ ପ୍ରାପ୍ତ ସ୍ବେଚ୍ଛାସେବୀ ମାନଙ୍କ ଦ୍ବାରା ଘରକୁଘର ବୁଲି ଏହି ଔଷଧ ବିନା ମୂଲ୍ୟରେ ବଣ୍ଟନ କରାଯିବାକୁ ବୈଠକରେ ଆଲୋଚନା ହୋଇଛି। ଚଳିତ ବର୍ଷ ଜିଲ୍ଲାର ୩୫ ଲକ୍ଷ ୫୨ହଜାର ୨୨୬ ଜଣ ବ୍ୟକ୍ତିଙ୍କୁ ଏହି ଔଷଧ ବଣ୍ଟନ କରାଯିବ। ୮୮ଲକ୍ଷ ୮୦ହଜାର ୫୬୫ଟି ଡିଇସି ବଟିକା ଏବଂ ୩୫ଲକ୍ଷ ୫୨ହଜାର ୨୨୬ଗୋଟି ଆଲବେଣ୍ଡାଜୋଲ୍ ବଟିକା ଜିଲା ପାଇଁ ଆବଶ୍ୟକ ରହିଥିବା ବୈଠକରେ ଆଲୋଚନା ହୋଇଛି। ଜିଲ୍ଲାରେ ଜନ୍ମରୁ ୫ ବର୍ଷ ବୟସର ୩ ଲକ୍ଷ ୫୦ହଜାର ୮୪୯ ଜଣ ଶିଶୁଙ୍କୁ ୨୦୨୧ ଜାନୁଆରୀରେ ପଲ୍ସ ପୋଲିଓ ଟିକା ପ୍ରଦାନ କରାଯିବ। ଏହି ଟିକାରୁ ଜନ୍ମରୁ ୫ବର୍ଷର ଶିଶୁ ଯେଭଳି ବଞ୍ଚିତ ହେବେନାହିଁ ସେ ଦିଗରେ ଯୋଜନା ପ୍ରସ୍ତୁତ କରିବା ଲାଗି ଗୁରୁତ୍ବ ଦିଆଯାଇଛି। ଏହି ସମନ୍ବୟ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର