ପୌର ନିର୍ବାଚନ: ମାଲକାନଗିରିରେ ୧୯ଟି ୱାର୍ଡରେ ୨୫,୫୩୯ ମତଦାତା

ମାଲକାନଗିରି: ମାଲକାନଗିରି ପୌର ପରିଷଦ ନିର୍ବାଚନର ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଗୁରୁବାର ହେବ। ଏନେଇ ସମସ୍ତ ପ୍ରସ୍ତୁତି ଏକ ପ୍ରକାର ସରିଯାଇଛି। ମାଲକାନଗିରି ପୌର ପରିଷଦରେ ୧୯ଟି ଵାର୍ଡ ରହିଥିବା ବେଳେ ୨୯ଟି ବୁଥ କରାଯାଇଛି। ତେବେ ୧୯ଟି ଵାର୍ଡରେ ମୋଟ ୨୫,୫୩୯ ଜଣ ଭୋଟର ରହିଛନ୍ତି। ସେହିପରି ୨୯ଟି ବୁଥ ମଧ୍ୟରୁ ୩ଟି ପିଙ୍କ ବୁଥ କରାଯାଇଥିବା ବେଳେ ୫ଟି ମୋଡେଲ ବୁଥ କରାଯାଇଛି। ଭୋଟରମାନେ ଯେପରି ଶାନ୍ତିଶୃଙ୍ଖଳାର ସହ ମତଦାନ କରିବେ ପୁଲିସ ତରଫରୁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଛି।

ସେହିପରି ବାଲିମେଳା ବିଜ୍ଞାପିତ ଅଂଚଳରେ ୧୨ଟି ଵାର୍ଡ ରହିଥିବା ବେଳେ ୮,୪୯୭ ଜଣ ଭୋଟର ରହିଛନ୍ତି। ଏଠାରେ ଗୋଟିଏ ମୋଡେଲ ବୁଥ ଏବଂ ଗୋଟିଏ ପିଙ୍କ ବୁଥ କରାଯାଇଛି। ତେବେ ମାଲକାନଗିରି ପୌର ପରିଷଦରେ ୮ ଜଣ ପୌରାଧ୍ୟକ୍ଷ ପ୍ରାର୍ଥୀ ମଇଦାନରେ ଓହ୍ଲାଇଛନ୍ତି। ସେମାନେ ହେଲେ କଂଗ୍ରେସର ଜି.ଶ୍ରୀନିବାସ ରାଓ, ବିଜେଡିର ମନୋଜ କୁମାର ବାରିକ, ବିଜେପିର ଶ୍ୟାମଲ ସୁନାନୀ, ବିଏସପିର ଶିବ ପ୍ରସାଦ ମିଶାଲ ଏବଂ ସ୍ବାଧୀନ ପ୍ରାର୍ଥୀ ହେଲେ କେଶବ ଚନ୍ଦ୍ର ନାୟକ, ବାବୁଲି ମାଢି, ମନୋଜ କୁମାର ସାହୁ, ମନୋଜ କୁମାର ପାଢୀ।ସେହିପରି ବାଲିମେଳା ବିଜ୍ଞାପିତ ଅଂଚଳରେ ୭ ଜଣ ଅଧ୍ୟକ୍ଷ ପାଇଁ ଲେଢେଇ କରୁଛନ୍ତି। ସେମାନେ ହେଲେ କଂଗ୍ରେସର କପିଳା ପ୍ରଧାନ,ବିଜେପିର ପ୍ରଦୀପ କୁମାର ନାୟକ, ବିଜେଡିର ଜି.ସଂଜୀବ ଦୋରା ଏବଂ ସ୍ବାଧୀନ ପ୍ରାର୍ଥୀ ହେଲେ ଦେବେନ୍ଦ୍ର ଖରା, ବାବୁଲା ଜେନା, ଯଦୁପତି ମହାନ୍ତି ଓ ଯୋଗେନ୍ଦ୍ର କୁମାର ଜାନି।

ତେବେ ଦୁଇଟି ଯାକ ସ୍ଥାନରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି। କିନ୍ତୁ ଅନ୍ୟଦିଗରେ ଦେଖିବାକୁ ଗଲେ ମାଲକାନଗିରିରେ ବିଶେଷକରି ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହେବ ଏବଂ ବାଲିମେଳାରେ ବିଜେପି ଏବଂ ବିଜେଡି ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି। ସେହିପରି ଉପାଧ୍ୟକ୍ଷ ପଦବୀ ପାଇଁ ତିନି ପ୍ରମୁଖ ଦଳ ମଧ୍ୟରେ ହିଁ ଲଢେଇ ଜୋରଦାର ହେଉଛି। ଏହି ଦୁଇଟି ସ୍ଥାନରେ ଭୋଟରମାନେ ଶିକ୍ଷିତ ଥିବାରୁ ପ୍ରାର୍ଥୀଙ୍କ ନିଜ ପରିଚୟ ହିଁ ବହୁତ କାମ ଦେବ ବୋଲି କୁହାଯାଉଛି।ତେବେ ଆସନ୍ତା ୨୬ ତାରିଖରେ କିଏ ବିଜୟୀ ହେବ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର