ପ୍ରଶାସନର କ୍ରସର ‌‌‌‌ଉଚ୍ଛେଦ ଅଭିଯାନ:୨୬ କ୍ରସର ସିଲ୍, ୫ ଭାଙ୍ଗିଲେ

କବାଟବନ୍ଧ: ପ୍ରଶାସନ ପକ୍ଷରୁ ବେଆଇନ କ୍ରସର ଉଚ୍ଛେଦ ଅଭିଯାନ ଜାରି ରହିଛି। ଆଜି ଦ୍ବିତୀୟ ଦିନରେ ୨୬ଟି କ୍ରସର ସିଲ କରାଯିବା ସହ ୫ଟିକୁ ଭଙ୍ଗାଯାଇଛି। ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ଉପଜିଲ୍ଲପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ପ୍ରଶାନ୍ତ କୁମାର ସାମନ୍ତରାୟ, ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି, ସ୍ଥାନୀୟ ରାଜସ୍ବ ନିରୀକ୍ଷକ ସୁଶାନ୍ତ କୁମାର ସ୍ବାଇଁ, ପ୍ରଦୂଷଣ ବିଭାଗ ଅଧିକାରୀ, ଜଙ୍ଗଲ ବିଭାଗ ଅଧିକାରୀ, ବିଦ୍ୟୁତ୍ ବିଭାଗ ଅଧିକାରୀ ଏବଂ ଜେନାପୁର ପୁଲିସ ଉପସ୍ଥିତିରେ ଧର୍ମଶାଳା ତହସିଲ ଅନ୍ତର୍ଗତ ଚକ୍ରଧରପୁର, କୁସୁନପୁର ତଥା ଅଂଜିରା ମୈାଜାରେ ଥିବା ୩୧ କ୍ରସର ମଧ୍ୟରୁ ୨୬ଟି କ୍ରସରକୁ ସିଲ କରାଯାଇ ୧୪୪ ଧାରା ଜାରି କରାଯାଇଥିବା ବେଳେ ୫ ଟି କ୍ରସରକୁ ଭଙ୍ଗାଯାଇଥିଲା।

Sambad

ଗତକାଲି ପ୍ରଶାସନ ପକ୍ଷରୁ ବିଛାଖଣ୍ତି ତଥା କୁସୁନପୁର ମୈାଜାରୁ ୧୪ଟି ବେଆଇନ କ୍ରସରକୁ ସିଲ କରାଯିବା ସହ ୭ ଟିକୁ ଭଙ୍ଗାଯାଇଥିଲା। ଅନେକ କ୍ରସର ମାଲିକ କାଗଜପତ୍ର ଦେଖାଇଥିବା ବେଳେ ହାଇକୋର୍ଟରେ ମାମଲା ଚାଲିଥିବାରୁ କେତେକ କ୍ରସରକୁ ଛଡାଯାଇଥିବା ଦେଖାଯାଇଛି। ତେବେ ଆଜିର ଏହି ଚଢଉ ବେଳେ ବାଲିସାହିରେ ଚାଲିଥିବା କିଛି ହାର୍ଡକୋକ ପ୍ଲାଂଟକୁ ଉଚ୍ଛେଦ କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ତଥା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ। ଏହାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଙ୍କୁ ନିଦେର୍ଶ ଦେଇଥିଲେ। ପ୍ରଶାସନ ପକ୍ଷରୁ ଦୁଇଦିନ ହେଲା ଚାଲିଥିବା ଏହି କ୍ରସର ଭଙ୍ଗା ଅଭିଯାନ ଯୋଗୁଁ ଅନ୍ୟ ବେଆଇନ କ୍ରସର ମାଲିକମାନେ ଛାନିଆ ହୋଇ ପଡିଛନ୍ତି।

ସମ୍ବନ୍ଧିତ ଖବର