କାର୍‌ରେ ହେଉଥିଲା ଗଞ୍ଜେଇ ଚାଲାଣ: ୨୬ କେଜି ଗଞ୍ଜେଇ ସହ ଅଭିଯୁକ୍ତ ଗିରଫ

ରାଉରକେଲା: ଇସ୍ପାତ ସହର ଭିତରକୁ ନିଶା ଦ୍ରବ୍ୟ ଚୋରାଚାଲାଣ ନିତିଦିନିଆ ହେଲାଣି। ଦେଶୀ ମଦଠାରୁ ଆରମ୍ଭକରି ନକଲି ବିଦେଶୀ ମଦ, ବ୍ରାଉନ୍‌ସୁଗାର ପର୍ଯ୍ୟନ୍ତ; ସବୁ ଅନୈତିକ କାରବାର ବେଧଡ଼କ ଚାଲିଛି। ଏବେ କିନ୍ତୁ ସବୁକୁ ବଳିଯାଇଛି ଗଞ୍ଜେଇ ଚୋରାଚାଲାଣ। ନିୟମିତ ବ୍ୟବଧାନରେ ରାଉରକେଲାକୁ ବସ୍‌ ଓ ଟ୍ରେନ୍‌ରେ ଗଞ୍ଜେଇ ଆସୁଛି। ସମାନ ଢ଼ଙ୍ଗରେ କାର୍‌ରେ ଗଞ୍ଜେଇ ଚାଲାଣ କରୁଥିବାବେଳେ ଅବକାରୀ ପୁଲିସ ଜଣେ ଅବିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ବେଦବ୍ୟାସ ମନ୍ଦିର ରୋଡ୍‌ର ରାହୁଲ ଯାଦବ। ଅଭିଯୁକ୍ତ ପାଖରୁ ୨୬ କେଜି ଗଞ୍ଜେଇ ଓ ଚାଲାଣରେ ବ୍ୟବହୃତ କାର୍‌ ଜବତ ହୋଇଛି।

ଆଜି ପୂର୍ବାହ୍ନରେ ଅଭିଯୁକ୍ତ ରହୁଲ ଏକ କାର୍‌(ଓଡି-୧୪-ଏସ୍‌-୨୮୦୨)ରେ ଗଞ୍ଜେଇ ନେଇ ସହର ଭିତରକୁ ଆସୁଥିଲେ। ଏନେଇ ଅବକାରୀ ପୁଲିସ ସୂଚନା ପାଇଁ ବେଦବ୍ୟାସ ଛକରେ ଲୁଚି ରହିଥିଲା। ପରେ ଅଭିଯୁକ୍ତ ପହଞ୍ଚିବାମାତ୍ରେ ତାକୁ କାବୁ କରି ଛାନ୍‌ଭିନ କରାଯାଇଥିଲା। କାର୍‌ ଭିତରେ ଏକାଧିକ ପ୍ୟାକେଟ୍‌ କରି ଗଞ୍ଜେଇ ଚୋରାଚାଲାଣ ହେଉଥିବା ଜଣାପଡ଼ିଥିଲା। ତେବେ ଅଭିଯୁକ୍ତ ନିର୍ଦ୍ଦିଷ୍ଟ କେଉଁଠାରୁ ଗଞ୍ଜେଇ ଆଣୁଥିଲା, ସେନେଇ ମୁହଁ ‌ଖୋଲିନଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ୬ ତାରିଖରେ ଟ୍ରେନ୍‌ରେ ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ଜଣେ ଅଭିଯୁକ୍ତ ଗିରଫ ହୋଇଥିଲା। ଉକ୍ତ ଦିନ କଳାହାଣ୍ଡି ଜିଲ୍ଲା ଜୟପାଟଣା ମିଙ୍ଗୁର୍‌ ଗ୍ରାମର ଗୌର ଗୋପାଳ ଦାସ(୪୭) ଟ୍ରେନ୍‌ରେ ଚାଲାଣ କରୁଥିବାବେଳେ ରାଉରକେଲା ରେଳ ଷ୍ଟେସନରେ ଆର୍‌ପିଏଫ୍‌ ହାତରେ ଧରାପଡ଼ିଥିଲା। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନିର୍ଦ୍ଦେଶରେ ତଥା ଅବକାରୀ ସବଇନ୍ସପେକ୍ଟର ଶ୍ରୀଧର ମହାନ୍ତିଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ମୋବାଇଲ୍‌ ସ୍କ୍ବାଡ୍‌, ବିଭାଗୀୟ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର