ଖୋର୍ଦ୍ଧାରେ ଶ୍ରୀଜିଉଙ୍କ ୨୬ ହଜାର ଏକର ଜମି, କିନ୍ତୁ ୫୦୦ ଏକର ଜମିରୁ ରାଜଭୋଗ ଆଦାୟ

ଖୋର୍ଦ୍ଧା: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଖୋର୍ଦ୍ଧା ଜିଲ୍ଲାରେ ଥିବା ମୋଟ ରାଜଭାଗ ଜମିରୁ କେବଳ ୨ ପ୍ରତିଶତ ଜମିରୁ ଆୟ ହେଉଛି । ଏନେଇ ଜିଲ୍ଲାର ବିଶେଷତଃ ଜଟଣୀ ସର୍କିଲ୍‌ରେ ଥିବା ଜମିରୁ ଆଦାୟ ରାଜଭାଗ ଆୟରେ ବ୍ୟାପକ ଚଚଂକତା ଓ ଶ୍ରୀମନ୍ଦିର ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନର ଶେଷ ଅଡିଟ୍ ମଇ ୧, ୨୦୧୭ରୁ ୪ ଅପ୍ରିଲ୍ ୨୦୧୮ ଯାଏଁ ଚାଲିଥିଲା । ଏହି ରିପୋର୍ଟ ୨୩ ଅଗଷ୍ଟ ୨୦୧୮ରେ ଦାଖଲ ହୋଇଥିଲା । ପରବର୍ତୀ ୨୦୧୬-୧୭ ଆର୍ଥିକ ବର୍ଷର ଅଡିଟ୍ ପାଇଁ ଚଳିତ ମାର୍ଚ୍ଚ ସମୟ ଧାର୍ଯ୍ୟ ହୋଇଥିବା ବେଳେ କୋଭିଡ୧୯ ପାଇଁ ଏହା ହୋଇପାରିନଥିବା ଜଣାଯାଇଛି । ତେବେ ୨୦୧୮ ଅଡିଟ୍‌ରେ ଜଟଣୀ ସର୍କିଲ୍‌ର ଅନାଦେୟ ହୋଇଥିବା ରାଜଭାଗ କର ନେଇ ଅଡିଟ୍‌ରେ ଦର୍ଶାଇଥିଲେ । ଅନୁସନ୍ଧାନରୁ ଜଣାଯାଇଛି ଯେ ଜିଲ୍ଲାର ପ୍ରାୟ ୨୬ହଜାର ଏକର ଜମିରୁ କେବଳ ୧୫ହଜାର ଏକର ଜମିର ପଟ୍ଟା ଆଦାୟ ହୋଇପାରିଛି । ଏହି ୧୫ହଜାର ଏକର ଜମିରୁ ଚଳିତ ବର୍ଷ ପ୍ରାୟ ୫୦୦ ଏକର ଜମିରୁ ରାଜଭାଗ ଆଦାୟ ହୋଇପାରିଛି ।

ଶ୍ରୀମନ୍ଦିର ପରିଚାଳନା ନିମନ୍ତେ ରାଜସ୍ୱ ଆଦାୟର ଏକ ପ୍ରମୁଖ ଭାଗ ସ୍ଥାବର ଭୂ ସମ୍ପତ୍ତିରୁ ମିଳିଥାଏ । ସ୍ଥାବର ଭୂସମ୍ପତ୍ତି ମଧ୍ୟରେ ପଥର ମୁଣ୍ଡିଆର ନିଲାମ ଅର୍ଥ, ରାଜଭାଗ ଜମି ଭୋଗଦଖଲକାରୀଙ୍କ ଠାରୁ ଆଦାୟ ଅର୍ଥ ଏବଂ କାଜୁ, ନଡ଼ିଆ ଆଦି ବଗିଚା ସାମିଲ ଅଛି । ପୁରୀ ଜିଲ୍ଲା ପରେ ମହାପ୍ରଭୁ ଜଗନ୍ନାଥଙ୍କ ସର୍ବାଧିକ ଜମି ଖୋର୍ଦ୍ଧା ଜିଲ୍ଲାରେ ରହିଛି । ଜିଲ୍ଲାର ୪୫୬ଟି ଗାଁରେ ମୋଟ ୨୬,୮୧୬.୪୭୩ ଏକର ଜମି ରହିଛି । ଏହା ମଧ୍ୟରୁ ଭୁବନେଶ୍ୱର, ଖୋର୍ଦ୍ଧା ଓ ଜଟଣୀରେ ୧୯୦୦ ଏକର ରାଜଭାଗ ଜମି, ତାପଙ୍ଗ, ରାମେଶ୍ୱର, ଟାଙ୍ଗୀ ଆଦି ସ୍ଥାନରେ ଆଉ ବଳକା ୪୦୦୦ ଏକର ଜମି ରହିଛି । ନିୟମ ମୁତାବକ ରାଜଭାଗ ଜମି ଭୋଗଦଖଲକାରୀଙ୍କ ଅଧୀନରେ ରହିଥାଏ । ସେମାନେ ବାର୍ଷିକ ଏହି ଭୋଗଦଖଲ ବାବଦକୁ ନିର୍ଦ୍ଧାରିତ ପରିମାଣରେ ଧାନ କିମ୍ବା ତତୁଲ୍ୟ ଟଙ୍କା ଶ୍ରୀ ମନ୍ଦିର ପ୍ରଶାସନକୁ ପଇଠ କରିଥାନ୍ତି ।

ମିଳିଥିବା ସୂଚନାରେ, ୨୦୧୩-୧୪, ୨୦୧୪-୧୫ ଆର୍ଥିକ ବର୍ଷରେ ରାଜଭାଗ ଜମି ବାବଦକୁ ଯେତିକି ଆୟ ନିର୍ଦ୍ଧାରିତ ହୋଇଥିଲା ତାହାଠାରୁ ୨କୋଟି ୫୩ଲକ୍ଷ ୪୧ ହଜାର ୩୭୦ଟଙ୍କା କମ୍ ଆଦାୟ ହୋଇଥିଲା । ଅନାଦେୟ ରାଜଭାଗ ଦଖଲ କର ଆଦାୟ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ୩ଜଣ ଅଧିକାରୀଙ୍କୁ ନିଯୁକ୍ତ କରିଥିଲେ । ଏହା ସତ୍ୱେ, ୨୦୧୭-୧୮ ଆର୍ଥିକ ବର୍ଷର ଅଡିଟ୍ ବେଳକୁ ପୂର୍ବ ବକୟା ବ୍ୟତୀତ ରାଜାଭୋଗ ଜମିରୁ ୩୯ଲକ୍ଷ ୮୦ହଜାର ୯୯୩ ଟଙ୍କା ଅନାଦେୟ ହୋଇ ରହିଥିଲା ।

ସମ୍ବନ୍ଧିତ ଖବର