ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କ ଦବଦବା ଧିରେ ଧିରେ କମି ଆସୁଥିଲେ ମଧ୍ୟ ସ୍ବାଭିମାନ ଅଂଚଳ ଏବଂ ମାଥିଲି ବ୍ଲକର ଦୁର୍ଗମ ଅଂଚଳରେ ନକ୍ସଲ ଏବେ ବି ସକ୍ରିୟ ରହିଛନ୍ତି। ଲୋକଙ୍କ ସମର୍ଥନ ପାଇବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟ ଦିଗରେ ପୁଲିସ ଜନତାଙ୍କ ବିଶ୍ବାସ ଭାଜନ ହୋଇପାରିଛି। ସ୍ବାଭିମାନ ଅଂଚଳର ଦୁର୍ଗମରୁ ଅତି ଦୁର୍ଗମ ସ୍ଥାନରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇ ଲୋକଙ୍କୁ ନକ୍ସଲଙ୍କ ନିର୍ଯାତନାରୁ ରକ୍ଷା କରାଯାଇଛି। ଲୋକେ ମଧ୍ୟ ନକ୍ସଲକୁ ସମର୍ଥନ ନକରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏପରିକି ନିଜନିଜ ଗ୍ରାମରେ ନକ୍ସଲ ବିରୋଧରେ ସ୍ବରତ୍ତୋଳନ କରୁଛନ୍ତି। ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଲୋକେ ନକ୍ସଲଙ୍କୁ ସାମ୍ନା କରିବାକୁ ପ୍ରସ୍ତୁତ ରହିଛନ୍ତି।
ନକ୍ସଲ ଆସନ୍ତାକାଲି ଗଣତନ୍ତ୍ର ଦିବସକୁ କଳା ଦିବସ ରୂପେ ମନାଇବାକୁ ପ୍ରସ୍ତୁତ ରହିଥିବା ଖବର ମିଳିଛି। ଦୁର୍ଗମ ଗ୍ରାମଗୁଡିକରେ ନକ୍ସଲ କଳାପତାକା ଉଡାଇବା ନେଇ ଯୋଜନା କରୁଛନ୍ତି। ତେବେ ଗୁଇନ୍ଦା ବିଭାଗ ଏ ନେଇ ସଚେତନ ରହିଛି। କୌଣସି ଅପ୍ରୀତିକର ଘଟଣାକୁ ଏଡାଇବା ପାଇଁ ପୁଲିସ ଏବଂ ବିଏସ୍ଏଫ୍ ସଜାଗ ରହିଛନ୍ତି।
/sambad/media/post_attachments/wp-content/uploads/2021/01/Mkg-Jan-26-ku-Kala-divas-1-300x168.jpg)
କୁମ୍ବିଂକୁ ଜୋରଦାର କରାଯାଉଛି। ଡିଭିଏଫ୍ ଓ ଏସ୍ଓଜି ଯବାନ ସମେତ ବିଏସ୍ଏଫ୍ ଯବାନ ସୀମାନ୍ତରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ସେହିପରି ଆନ୍ଧ୍ର ଓ ଛତିଶଗଡ ସୀମାକୁ ସିଲ କରାଯାଇଛି।
କୌଣସି ଅଜଣା ବ୍ୟକ୍ତିଙ୍କୁ ଦେଖିଲେ ପଚରାଉଚରା କରାଯାଉଛି। ସେହିପରି ଯାନବାହାନ ମଧ୍ୟ ଯାଞ୍ଚ କରାଯାଉଛି। ସ୍କୁଲ ଓ କଲେଜ ବନ୍ଦ ଥିବାରୁ ନକ୍ସଲ ସ୍କୁଲ ଗୁଡିକରେ ପଶି କଳାପତାକା ଉଡାଇବେ ନାହିଁ ବୋଲି ଅନୁମାନ କରାଯାଉଛି। ତେବେ ନକ୍ସଲ ପତିଆରା ଜାହିର କରିବା ପାଇଁ ନକ୍ସଲ ନିଶ୍ଚିତ ଭାବେ ଆସନ୍ତାକାଲି କଳାପତାକା ଉଡାଇବା ନେଇ ଆଶଂକା କରାଯାଇଛି। ଗତକାଲି କୁଡୁମୁଲୁଗୁମ୍ମା ଦଲମର ଜଣେ ଆଗ ଧାଡିର ମହିଳା ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ସରକାରଙ୍କର ବିକାଶ ଧାରାକୁ ସମର୍ଥନ କରି ସେ ଆତ୍ମ ସମର୍ପଣ କରିଥିବା କହିଛି।ତେବେ ନକ୍ସଲ ସଂଗଠନରେ ଆଗଭଳି ଆଉ ସେହି ପତାଇରା ନାହିଁ। ଲୋକଙ୍କ ସମର୍ଥନ ହରାଇଥିବାରୁ ସଂଗଠନ ଏବେ ଭୁଷୁଡିବାରେ ଲାଗିଛି।ଯାହାର ଫାଇଦା ଉଠାଉଛି ପୁଲିସ। ନକ୍ସଲଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ବାରମ୍ବାର ଆହ୍ବାନ କରୁଛି। ଆର୍ଥିକ ସହାୟତା ସହ ଆତ୍ମନିର୍ଭରଶୀଳ କରାଯିବା ନେଇ ଲୋଭ ଦେଖାଇଛି। ତେବେ ନକ୍ସଲ ଆସନ୍ତାକାଲି କଣ କରୁଛନ୍ତି ଦେଖିବାକୁ ବାକି ରହିଲା।