୫୫ ଦିନ ପରେ ଅଜଗର ଅଣ୍ଡା ଫୁଟିଲା: ୨୭ ଛୁଆ ଅଜଗର ସୁରକ୍ଷିତ

ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ହଳଦିଆ ବନାଂଚଳ ଅଧୀନ ନିଆଳ ଠାରେ ଅଜଗର ସାପ ଅଣ୍ଡା ଦେବା ଓ ଏହାର ସୁରକ୍ଷା ପାଇଁ ବନ ବିଭାଗ କର୍ମଚାରୀ, ସ୍ନେକ ହେଲ୍ପଲାଇନ୍ ଓ ଗାଁ ଲୋକଙ୍କ ପହରା କଥା ଅଂଚଳରେ ଚର୍ଚ୍ଚାରେ ବିଷୟ ହୋଇଥିଲା । ଆଜି ଦୀର୍ଘ ୫୫ ଦିନ ପରେ ସମସ୍ତଙ୍କ ଉଦ୍ୟମ ସଫଳ ହୋଇଛି, ଅଜଗର ସାପ ଦେଇଥିବା ୩୦ଟିରୁ ୨୭ ଅଣ୍ଡା ମଧ୍ୟରୁ ୨୭ଟି ଛୁଆ ଫୁଟି ବାହାରକୁ ବାହରିଛନ୍ତି ।
ମଇ ୫ ତାରିଖରେ ଅଜଗର ସାପ ଅଣ୍ଡା ଦେବା ପରେ କିଛି ଦିନ ଅଣ୍ଡାକୁ ଧରି ରହିଥିଲା ।

ବନ ବିଭାଗ ଓ ସ୍ନେକ୍ ହେଲ୍ପଲାଇନର ପରାମର୍ଶରେ ଗାଁର ଯୁବକମାନେ ଅଜଗର ସାପ ଓ ଏହାର ଅଣ୍ଡାକୁ ସୁରକ୍ଷା ଦେଇଥିଲେ । ଏପରିକି ଗାଁର ଯୁବକମାନେ ନିୟମିତ ଭାବେ ସାପର ଅଣ୍ଡାକୁ ପହରା ଦେଉଥିଲେ । ଶେଷରେ ଅଣ୍ଡାଗୁଡ଼ିକୁ ଛାଡ଼ି ସାପ ବାହାରକୁ ଯିବା ପରେ ବନ ବିଭାଗ ଓ ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ସେଗୁଡ଼ିକୁ ନେଇ ରେଂଜ୍ କାର୍ଯ୍ୟାଳୟରେ ରଖିଥିଲେ । ରଖିଥିବା ଅଣ୍ଡାଗୁଡ଼ିକରୁ ଆଜି ସକାଳେ ଛୁଆ ଫୁଟିବା ଆରମ୍ଭ ହୋଇଥିଲା ।

ଅପରାହ୍ଣ ସୁଦ୍ଧା ୩୦ଟି ଅଣ୍ଡାରୁ ୩ଟି ଅଣ୍ଡା ଖରାପ ହୋଇଯାଇଥିବା ବେଳେ ୨୭ଟି ଛୁଆ ଫୁଟିଥିଲା । ସମସ୍ତ ଛୁଆ ଅଜଗରଗୁଡ଼ିକର ଦୈର୍ଘ୍ୟ ୨୫ରୁ ୩୫ ସେଂଟିମିଟର ହେବ । ସମସ୍ତ ଛୁଆ ସୁସ୍ଥ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ଛୁଆ ଗୁଡ଼ିକ ସାମାନ୍ୟ ବଡ଼ ହେବା ପରେ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ସ୍ନେକ୍ ହେଲ୍ପଲାଇନ୍ ପକ୍ଷରୁ ସୂଚନା ଦିଆଯାଇଛି ।ସୁ

ରକ୍ଷିତ ଭାବେ ଅଣ୍ଡାଗୁଡ଼ିକରୁ ଛୁଆ ବାହାରିବା ପରେ ଗାଁରେ ଖୁସିର ଲହରି ଖେଳିଯାଇଛି । ସାପ ଅଣ୍ଡାର ସୁରକ୍ଷା ସେମାନଙ୍କ ପାଇଁ ଏକ ନିଆର ଅନୁଭବ ଓ ସେମାନଙ୍କ ପ୍ରୟାସ ସଫଳ ହୋଇଛି ବୋଲି ଗାଁର ଯୁବକମାନେ କହିଛନ୍ତି ।

ସମ୍ବନ୍ଧିତ ଖବର