ରାୟଗଡ଼ା: ଡେଥ୍ ଜୋନ୍ ପାଲଟିଛି ନାଗାବଳୀ-ଝୁଲାପୋଲ। ଅସାବଧାନତା ଯୋଗୁ ହସଖୁସିରେ ନଦୀ ଓ ପୋଲର ସୌନ୍ଦର୍ଯ୍ୟ ଉପଭୋଗ କରୁ କରୁ ମୃତ୍ୟୁମୁଖକୁ ଟାଣି ହୋଇ ଯାଉଛନ୍ତି ପର୍ଯ୍ୟଟକ। ସୁରକ୍ଷା ପାଇଁ ପାଚେରୀ କିମ୍ବା କୌଣସି ସୁରକ୍ଷାକର୍ମୀ ମୁତୟନ ହୋଇନଥିବାରୁ ୫ ବର୍ଷରେ ୨୭ ମୁଣ୍ଡ ଗୋଟାଇ ନେଲାଣି ନାଗାବଳୀ। ଯାହା ପର୍ଯ୍ୟଟକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।

Advertisment

ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ନିକଟରୁ ୩ କିମି ଦୂରରେ ରହିଛି ନାଗାବଳୀ ନଦୀ ଓ ଝୁଲାପୋଲ। ନଦୀ ଉପରେ ନିର୍ମିତ ଝୁଲାପୋଲ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିବାରୁ ମନ୍ଦିରକୁ ଆସୁଥିବା ବାହାର ରାଜ୍ୟ ଓ ଜିଲ୍ଲାର ଭକ୍ତ ଏହି ଅଞ୍ଚଳକୁ ବୁଲିବାକୁ ଆସିଥାନ୍ତି। ନଦୀଗର୍ଭରୁ ଶହେ ଫୁଟ୍ ଉଚ୍ଚତାରେ ନିର୍ମିତ ଝୁଲା ପୋଲ ବୁଲିବା ପରେ ସଭିଁଏ ନଦୀକୁ ଯାଇ ଗାଧୋଇବା ସହ ପଥୁରିଆ ଶର୍ଯ୍ୟାରେ ଫଟୋ ଉଠାଇଥାନ୍ତି। ଝୁଲା ପୋଲ ତଳେ ନାଗାବଳୀ ଗଭୀର ସ୍ରୋତରେ ପ୍ରବାହିତ ହେଉଥିବା ବେଳେ ଅସାବଧାନତାବଶତଃ ନଦୀଗର୍ଭକୁ ଯାଉଥିବା ଅନେକ ପର୍ଯ୍ୟଟକ ଭାସିଯାଇ ମୃତ୍ୟୁବରଣ କରୁଛନ୍ତି।

ପ୍ରତି ବର୍ଷ ଝୁଲାପୋଲ ଓ ନାଗାବଳୀ ଅବବାହିକା ଅଞ୍ଚଳରେ ହାରାହାରି ୬ ଜଣ ବୁଡ଼ି ମୃତ୍ୟୁବରଣ କରୁଛନ୍ତି। କିଛି ସୌଭାଗ୍ୟବଶତଃ ଭାସିଯିବା ସମୟରେ ନଦୀଗର୍ଭର ପଥୁରିଆ ଶର୍ଯ୍ୟାକୁ ଜାବୁଡ଼ି ବର୍ତ୍ତି ଯାଉଥିବା ବେଳେ ଅଗ୍ନିଶମ ବିଭାଗ ପହଞ୍ଚି ସେମାନଙ୍କୁ ଉଦ୍ଧାର କରୁଛି। ଅଘଟଣ ବଢ଼ୁଥିଲେ ମଧ୍ୟ ଏଥି ପ୍ରତି ପ୍ରଶାସନ କିମ୍ବା ମନ୍ଦିର କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଅକାଳରେ ବହୁ ଜୀବନ ଚାଲି ଯାଉଥିବାରୁ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିବା ପାଇଁ ରାୟଗଡ଼ାର ବହୁ ସଂଗଠନ ଦାବି ଉଠାଇଛନ୍ତି। ଅନ୍ୟପକ୍ଷରେ ଝୁଲାବ୍ରିଜର ଅବଧି ଶେଷ ହୋଇଯାଇଥିବାରୁ ଏହାର ବିପଦସଙ୍କୁଳ ଘୋଷଣା କରି ବନ୍ଦ କରି ଦେବା ପାଇଁ ଦାବି ହେଉଛି। ନାଗାବଳୀ ଯୋଗୁ ବିଚ୍ଛିନ୍ନାଞ୍ଚଳ ଜୀବନ ବିତାଉଥିବା ଅଞ୍ଚଳକୁ ଯାତାୟାତ ପାଇଁ ବର୍ତ୍ତମାନ ୬ଟି ଓସାରିଆ ଆଧୁନିକ ଜ୍ଞାନକୌଶଳର ବ୍ରିଜ୍ ନିର୍ମାଣ ସରିଛି। ଝୁଲାବ୍ରିଜର କୌଣସି ଆବଶ୍ୟକତା ନାହିଁ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଝୁଲାବ୍ରିଜ୍ ଦୁଇପାର୍ଶ୍ବରେ ନଦୀକୁ ଯିବା ପାଇଁ ଥିବା ରାସ୍ତାରେ ସୁରକ୍ଷା ପାଚେରୀ ନିର୍ମାଣ ସହ ସକାଳ ୬ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ସୁରକ୍ଷାକର୍ମୀଙ୍କୁ ନିୟୋଜନ କରିବା ଜରୁରି ହୋଇ ପଡିଛି। ବହୁ ଦାବି ସତ୍ତ୍ବେ ଜିଲ୍ଲା ପ୍ରଶାସନ, ପର୍ଯ୍ୟଟନ ବିଭାଗ କିମ୍ବା ମଝିଘରିଆଣୀ ମନ୍ଦିର କର୍ତ୍ତୃପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି।

ରାୟଗଡ଼ା ବ୍ଲକର ୮ ମାଓ ପ୍ରବଣ ପଞ୍ଚାୟତକୁ ସଂଯୋଗ ପାଇଁ ଆଇଏପି ଯୋଜନାରେ ଦେଢ଼ କୋଟି ବ୍ୟୟରେ ୨୦୧୧ ନ‌ଭେମ୍ବରରେ ଝୁଲାପୋଲର ନିର୍ମାଣ ଆରମ୍ଭ ହୋଇ ୨୦୧୨ ମାର୍ଚ୍ଚରେ ସରିଥିଲା। କର୍ଣ୍ଣାଟକର ଭାରତ ଗ୍ରାମ ସେତୁ ପ୍ରତିଷ୍ଠାନ ଚିଫ୍ ଗିରିଶ ଭରଦ୍ବାଜଙ୍କ ଡିଜାଇନରେ ନିର୍ମିତ ହୋଇଥିଲା ୧୫୧ ମିଟର ଲମ୍ବର ଝୁଲାବ୍ରିଜ୍।  ସଂପୂର୍ଣ ଲୁହା ତାରରେ ନିର୍ମିତ ଝୁଲାପୋଲ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ୨୦୧୭ ମସିହାରେ ଝୁଲାପୋଲ ବୁଲିବାକୁ ଆସି ୬ ପର୍ଯ୍ୟଟକ ନାଗାବଳୀରେ ବୁଡ଼ି ମରିଥିଲେ। ୨୦୧୮ ରେ ୮ ଜଣ,  ୨୦୧୯ରେ ୬, ୨୦୨୦ରେ ଜଣେ, ୨୦୨୧ରେ ୨ ଜଣ, ୨୦୨୨ରେ ୨ ପର୍ଯ୍ୟଟକଙ୍କ ଜୀବନ ଗଲାଣି।  ଏଥି ସହିତ ୨୫ରୁ ଉର୍ଦ୍ଧ୍ବ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ନଦୀଗର୍ଭରୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ। ଜୁଲାଇ ମାସରେ କାଶୀପୁର ବ୍ଲକର ଦୁଇ ପର୍ଯ୍ୟଟକ ନାଗାବଳୀରେ ଗାଧୋଉଥିବା ବେଳେ ଭାସିଯାଇ ନଦୀଗର୍ଭରେ ଫଶି ରହିଥିଲେ। ୩ ଘଣ୍ଟାର ପରିଶ୍ରମ ପରେ ରାୟଗଡ଼ା, କୋଲନରା ଅଗ୍ନିଶମ ବାହିନୀର ଉଭୟ ଯୁବକଙ୍କୁ ନଦୀ ଭିତରୁ ଉଦ୍ଧାର କରାଯାଇଥିଲା। ଆଜି ଆନ୍ଧ୍ରପ୍ରଦେଶ ଏଲୁରୁ ଅଞ୍ଚଳର ଏ. ଗୋପାଳକ୍ରିଷ୍ଣାଙ୍କ ପରିବାର ଝୁଲାପୋଲ ବୁଲିବାକୁ ଆସିଥିବା ବେଳେ ୩ ପୁଅ ନାଗାବଳୀରେ ଭାସିଯାଇଥିଲେ। ଗୋପାଳକ୍ରିଷ୍ଣା ୨ ପୁଅକୁ ବଞ୍ଚାଇବାରେ ସକ୍ଷମ ହୋଇଥିବା ବେଳେ ୬ ବର୍ଷର ପୁଅ ଏ. ଅମରେଶ ରାଓ ନିଖୋଜ ହୋଇ ଯାଇଛନ୍ତି। ଘଣ୍ଟାଏ ପରେ ନଦୀଗର୍ଭରେ ପଶିଥିବା ଗୋପାଳକ୍ରିଷ୍ଣାଙ୍କୁ ଅଗ୍ନିଶମ ବିଭାଗ ନଦୀଗର୍ଭରୁ ଉଦ୍ଧାର କରିଛି।