ବାରିପଦା: ଆଜିର ସମୟରେ ଇ-ଶିକ୍ଷାର ଯଥେଷ୍ଟ ଆବଶ୍ୟକତା ରହିଛି। ଏହାକୁ ପ୍ରୋତ୍ସାହିତ କରିବା ସହିତ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ପାଇଁ କମ୍ପ୍ୟୁଟର ଶିକ୍ଷକଙ୍କର ଆବଶ୍ୟକତା ରହିଛି। ତେଣୁ ରାଜ୍ୟ ସରକାର ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ବିଦ୍ୟାଳୟ ସଂଯୋଜକଙ୍କୁ ପୁନଃନିଯୁକ୍ତି ପ୍ରଦାନ ପାଇଁ ଦାବି ହୋଇଛି।

Advertisment

ଆଜି ଏନେଇ ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ, ମୟୂରଭଞ୍ଜ ଜିଲ୍ଲା ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସରକାର ୨୦୧୪ରେ ରାଜ୍ୟରେ ଇ-ବିଦ୍ୟାଳୟ ପ୍ରକଳ୍ପ ଆରମ୍ଭ କରି ପ୍ରାୟ ୪ହଜାର ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷାର ପ୍ରଚଳନ କରିଥିଲେ। ମୟୂରଭଞ୍ଜ ଜିଲ୍ଲାରେ ୨୭୩ ଜଣ ଶିକ୍ଷକ ଏହି ପ୍ରକଳ୍ପରେ ନିଯୁକ୍ତି ପାଇଥିଲେ।

ଏହି ପ୍ରକଳ୍ପରେ କାର୍ଯ୍ୟରତ ବିଦ୍ୟାଳୟ ସଂଯୋଜକ (କମ୍ପ୍ୟୁଟର ଶିକ୍ଷକ) ମାନେ ୫ ବର୍ଷିଆ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିଲେ। ମାତ୍ର ୨୦୧୯ରେ ସେମାନଙ୍କର ଚୁକ୍ତି ଶେଷ ହୋଇଛି। ଉକ୍ତ ଶିକ୍ଷକମାନଙ୍କୁ ପୁନଃନିଯୁକ୍ତି ନ ମିଳିବା ଫଳରେ ସେମାନେ ଉଭୟ ମାନସିକ ଓ ଆର୍ଥିକ ଚାପରେ କାଳାତିପାତ କରୁଛନ୍ତି। ଏହି ଅବସରରେ ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ ସଦସ୍ୟ ଆକାଶ କୁମାର ରାୟ, ଶାନ୍ତନୁ କଲିଆ, ଦୀପକ କୁମାର ବେହେରା, ଅମୀର କୁମାର କର, ସୁବ୍ରତ ସାହୁ, ସଦସ୍ୟା ପୁଷ୍ପଲତା ମହାନ୍ତ, ଭାନୁମତୀ ଗିରି, ପୁଷ୍ପରେଖା ମହାନ୍ତ, ଅବନ୍ତୀ ସାହୁ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।