ଖରିଫ ମଣ୍ଡି ପଞ୍ଜିକରଣ କରିଛନ୍ତି ୨୮ହଜାର ୩୫ଜଣ : ଧାର୍ଯ୍ୟ ସମୟ ସପ୍ତାହେ ବୃଦ୍ଧି

ଜୟପୁର: କୋରାପୁଟ ଜିଲ୍ଲାରେ ଖରିଫରେ ୯୯ହଜାର ହେକ୍ଟର ଜମିରେ ଧାନ ଚାଷ ହେଉଛି। ମଣ୍ଡିରେ ଧାନ ବିକ୍ରୀ କରିବାକୁ ରିପୋର୍ଟ ଲେଖା ହେବା ଯାଏଁ ୨୦ଟି ଲ୍ୟାମ୍ପ, ୨୩ଟି ଏସଏଚଜି, ୨ଟି ପାଣିପଂଚାୟତ କ୍ରୟକାରୀ ସଂସ୍ଥା ଜରିଆରେ ୨୮ହଜାର ୩୫ଜଣ ଚାଷୀ ପଞ୍ଜିକୃତ କରିଥିବା ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ପୂର୍ବରୁ ସରକାର ଆଜି ଚାଷୀଙ୍କ ପଞ୍ଜିକରଣ ପାଇଁ ଶେଷ ତାରିଖ ଧାର୍ଯ୍ୟ କରିଥିବା ବେଳେ ବିବିଧ ସମସ୍ୟା ଅବଗତ ହେବା ପରେ ଆଉ ସପ୍ତାହକ ସମୟ ବୃଦ୍ଧି କରାଯାଇଥିବା ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଚାଷୀ ଏବେ ପଞ୍ଜିକରଣ ପାଇଁ କ୍ରୟକାରୀ ସଂସ୍ଥା ନିକଟରେ ଆବେଦନପତ୍ର ଦାଖଲ କରିବେ।

କ୍ରୟକାରୀ ସଂସ୍ଥା ଉକ୍ତ ଜମିର ଯାଂଚ ପାଇଁ ରାଜସ୍ବ, କୃଷି ଓ ସମବାୟ ବିଭାଗର ମିଳିତ ଯୁଗ୍ମ ଯାଂଚ କମିଟିକୁ ଏହି ଆବେଦନପତ୍ର ଦେବେ। ଯୁଗ୍ମ କମିଟି ଯାଂଚ କରି ପୁଣି କ୍ରୟକାରୀ ସଂସ୍ଥା ନିକଟରେ ଯାଂଚ ରିପୋର୍ଟ ଦାଖଲ କରିବେ। ଏହା ପରେ କ୍ରୟକାରୀ ସଂସ୍ଥା ଏଡିଟ୍ କରି ଏହାକୁ ଅପଲୋଡ଼ କରୁଛି। ତେବେ ଏସବୁ କରିବା ପାଇଁ ଇଣ୍ଟରନେଟର ନେଟୱାର୍କରେ ସମସ୍ୟା, ଯୁଗ୍ମ କମିଟି ଯାଂଚ କରି ରିପୋର୍ଟ ଦେବାରେ ବିଳମ୍ବ ହେଉଥିବା, ଅପଲୋଡ୍ ଓ ଏଡିଟିଂ ଆଦିରେ ବ୍ୟାପକ ସମସ୍ୟା ଭୋଗୁଥିବା ସଂପର୍କରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ଜିଲ୍ଲା ଯୋଗାଣ ବିଭାଗ ଚିଠି କରି ଜଣାଇଥିଲେ।

ଏହା ପରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଚିଠି କ୍ରମେ ଆଉ ୭ଦିନ ସମୟ ବୃଦ୍ଧି ହୋଇଛି ବୋଲି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୩ତାରିଖ ଚାଷୀ ପଞ୍ଜିକରଣର ଶେଷ ଦିନ ରହିଛି। ଗତ ବର୍ଷ ୩୪ହଜାର ୩୯୩ଜଣ ଚାଷୀ ଖରିଫ ମଣ୍ଡିରେ ଧାନ ବିକ୍ରୀ କରିବାକୁ ପଞ୍ଜିକରଣ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ୨୮ହଜାର ୩୫ଜଣ କରିଥିବା ବେଳେ ଆହୁରି ଚାଷୀ ପଞ୍ଜିକରଣ କରିବାକୁ ବାକି ରହିଛନ୍ତି ବୋଲି ଜିଲ୍ଲାଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଯୁଗ୍ମ କମିଟିରେ ଯାଂଚ ହେବା ପରେ ଭୁଲ ଭଟକା ନ ହୋଇ ହେବା କଥା। ତେବେ ଭୁଲ ଭଟକା ହୋଇଥିଲେ ପୁଣି ଆଉ ଥରେ ବି ଯାଂଚ କରାଯିବ ବୋଲି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର