ନବରଙ୍ଗପୁର ଜିଲ୍ଲାର ୨୮୧ ଗାଁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ୨୮୧ ଗ୍ରାମ ବାଲ୍ୟବିବାହ ମୁକ୍ତ ଗାଁ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହକୁ ସଂପୂର୍ଣ୍ଣ ଭାବେ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଅନ୍ବେଷା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସମଗ୍ର ଜିଲ୍ଲାରେ ୨୦୨୪ ସୁଦ୍ଧା ବାଲ୍ୟବିବାହ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିବା ପାଇଁ ଲକ୍ଷ ରଖାଯାଇଛି।

ଅନ୍ଵେଷା ଅଭିଯାନ ମାଧ୍ୟମରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଶିଶୁ ସୁରକ୍ଷା ୟୁନିଟ, ୟୁନିସେଫ ଓ ଆକ୍ସନଏଡ ସଂସ୍ଥା ର ମିଳିତ ପ୍ରୟାସରେ ଏକ ଯୋଜନା ବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ବାଲ୍ୟବିବାହକୁ ବନ୍ଦ କରିବା ନିମନ୍ତେ ପ୍ରୟାସ ଜାରି ରହିଛି । ପ୍ରତି ଗାଁରେ ଗାଁ ମୁଖିଆ, ସରପଞ୍ଚ, ୱାର୍ଡମେମ୍ବର ଓ ଏସଏଜି ମହିଳା ମାନଙ୍କୁ ନେଇ ପ୍ରତି ଗ୍ରାମରେ ବୈଠକ ହେଉଛି। କିଶୋରୀ ମାନଙ୍କୁ ନେଇ କରାଯାଉଥିବା ଏହି ବୈଠକରେ ବାଲ୍ୟ ବିବାହର କୁପରିଣାମ, ରକ୍ତ ହୀନତାର ମୁକାବିଲା, ସନ୍ତୁଳିତ ଆହାର ଓ ଶିଶୁ ଅଧିକାର ଉପରେ ବ୍ୟାପକ ଭାବରେ ଆଲୋଚନା କରାଯିବା ସହିତ ଲୌହସାର ବଟିକାକୁ କିଶୋରୀ ମାନେ ସେବନ କରିବାକୁ ଦିଆଯାଉଛି ।

ଏହାର ପ୍ରଭାବରେ ଗାଁ ମୁଖିଆ, ସରପଞ୍ଚ, ୱାର୍ଡମେମ୍ବର, ସ୍ବଂସହାୟକ ଦଳ ମାନେ ଜିଲ୍ଲାର ବିଭିନ୍ନ ଗ୍ରାମ ଗୁଡିକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କୁ ସିଡିପିଓଙ୍କ ଜରିଆରେ ଆବେଦନ କରିଥିଲେ। ଜିଲ୍ଲାପାଳ ଡଃ .ମିଶ୍ର ଜିଲ୍ଲାର ମୋଟ ୨୮୧ ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମଭାବରେ ଘୋଷଣା କରିଛନ୍ତି । ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଗତବର୍ଷ ନଭେମ୍ବର ମାସରେ ୫ଟି ଗ୍ରାମ, ଚଳିତ ବର୍ଷ ଏପ୍ରିଲ ମାସରେ ୪୭ ଗ୍ରାମ , ମେ ମାସରେ ୩୬ ଗ୍ରାମ , ଜୁଲାଇ ମାସରେ ୮୪ ଟି ଓ ଅଗଷ୍ଟ ରେ ୧୦୯ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଅଦ୍ୟାବଧି ଘୋଷଣା କରାଯିଛି । ସେଥିମଧ୍ୟରୁ ପାପଡାହାଣ୍ଡି ବ୍ଲକରେ ୧୩୦ଟି ଗାଁ, ଝରିଗାଁ ବ୍ଲକରେ ୧୫ଟି , ନବରଙ୍ଗପୁର ବ୍ଲକରେ ୧୪ଟି , ନନ୍ଦାହାଣ୍ଡି ବ୍ଲକରେ ୭ଟି, କୋଷାଗୁମୁଡା ବ୍ଲକରେ ୧୪ଟି , ଡାବୁଗାଁ ବ୍ଲକରେ ୧୬ଟି, ଉମରକୋଟ ବ୍ଲକରେ ୩୯ଟି ଓ ରାଇଘର ବ୍ଲକରେ ୪୬ଟି ଗାଁ ଅନ୍ତର୍ଭୁକ୍ତ ଅଟେ । ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ ଚଳି ଆସୁଛି । ପରମ୍ପରା ନାମରେ କିଶୋରୀ ବାଳିକା ମାନଙ୍କୁ ବିବାହ ବନ୍ଧନରେ ବାନ୍ଧିଦେଇ ଅକାଳରେ ମରଣ ମୁହଁକୁ ଠେଲି ଦେଉଛନ୍ତି ପିତାମାତା ଓ ସମ୍ପର୍କୀୟ । ପରିପକ୍ଵ ବୟସ ପୂର୍ବରୁ ମାତୃତ୍ଵ ଲାଭକରି ଅକାଳରେ ଝଡିଯାଉଛନ୍ତି କିଶୋରୀ ବାଳିକା ।

ସମ୍ବନ୍ଧିତ ଖବର