ଟାର୍ଗେଟ ଆସିଲାନି; ୨୮୩୨ ଚାଷୀଙ୍କର ୩୦ ହଜାର କୁଇଣ୍ଟାଲ ଧାନ କିଣା ହେଲାନି

ଅଭାବି ବିକ୍ରୀର ଶୀକାର

ଜୟପୁର: ମଣ୍ଡିରେ ଧାନ କିଣାକୁ ନେଇ ବିଧାନସଭା ଉଠୁଛି ପଡ଼ୁଛି। କ‌ୋରାପୁଟ ଜିଲ୍ଲାରେ ଚଳିତବର୍ଷ ଆରମ୍ଭରୁ ଶାନ୍ତି ଶୃଙ୍ଖଳାରେ ଧାନ ଉଠୁଥିବା ବେଳେ ଅଚାନକ ଭାବେ ରାଜ୍ୟ ସରକାର ଧାନ କିଣିବା ‌ଟାର୍ଗେଟ ଦେବା ବନ୍ଦ କରିଦେବା ସହ ମଣ୍ଡି ବି ବନ୍ଦ କରିଦେଇଥିଲେ। କୋରାପୁଟ ଜିଲ୍ଲାରେ ପ୍ରାୟ ୨୮୩୨ ଜଣ ଚାଷୀଙ୍କର ୩୦ ହଜାର କୁଇଣ୍ଟାଲ ଧାନ ଆଉ ସରକାର କିଣି ନଥିଲେ। ଚାଷୀ ମାନେ ଅଭାବି ବିକ୍ରୀର ଶୀକାର ହୋଇ କିଛି ଚାଷୀ ୧୩୦୦ ରୁ ୧୩୫୦ ଟଙ୍କା ମଧ୍ୟରେ ମିଲ୍ ମାଲିକ, ଦଲାଲ ଓ ମଧ୍ୟସ୍ଥ, ବେପାରୀଙ୍କ ହାତକୁ ଧାନ ଠେକି ଦେଇଛନ୍ତି।

ଆରମ୍ଭରେ ମଣ୍ଡି ଠିକରେ ଚାଳୁଥିବା ବେଳେ ଅଚାନକ ଭାବେ ଡିସେମ୍ବର ମାସରେ ରାଜ୍ୟସରକାର ଧାନ କିଣା ଟାର୍ଗେଟ ଦେବା ବନ୍ଦ କରି ଦେଇଥିଲେ। ଏହାକୁ ନେଇ ଜିଲ୍ଲାରେ ଚାଷୀ ମାନେ ପ୍ରତିକ୍ରୀୟା ପ୍ରକାଶ କରିବା ସହ ଏହାକୁ ନେଇ ରାଜନିତୀ ବି ଜୋର ଧରିଥିଲା। ଜିଲ୍ଲାପ୍ରଶାସନ ଜାନୁଆରି ୧୫ତାରିଖ ସୁଦ୍ଧା ଜିଲ୍ଲାର ସମସ୍ତ ମଣ୍ଡିରେ ବଳକା ଥିବା ଧାନ ଜମା କରି ରଖିବାକୁ ନିର୍ଦେଶ ଦେଇଥିଲା। ୧୦ହଜାର ୫୧୨ଜଣ ଚାଷୀଙ୍କର ୭ ଲକ୍ଷ ୪୦ ହଜାର ୪୬୨ କୁଇଣ୍ଟାଲ ଧାନ ୯୯ ଟି ମଣ୍ଡିରେ ଗଚ୍ଛିତ ରହିଥିବା ଜିଲ୍ଲା ପ୍ରଶାସନର ସ୍ବତନ୍ତ୍ର ଦଳ ଯାଂଚ କରି ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟକୁ ଜିଲ୍ଲାପ୍ରଶାସନ ରାଜ୍ୟସରକାରଙ୍କ ନିକଟରେ ଦାଖଲ କରିଥିଲେ। ଏହା ପରେ ବି ସରକାର ଆଉ ନୂଆରେ ଧାନ କିଣା ପାଇଁ ଟାର୍ଗେଟ ଦେଇନଥିଲେ। ବିଭିନ୍ନ ମଣ୍ଡିରେ ଧାନ ମାସାଧିକକାଳ ପଡ଼ି ରହିଥିଲା। ଏହାରି ମଧ୍ୟରେ ଟୋକନ୍ ପାଇଥିବା ଏବଂ ଏହି ପ୍ରକ୍ରିୟା ମଧ୍ୟରେ ଟୋକନ୍ ପାଇଥିବା ଚାଷୀଙ୍କ ଟେକନ୍ ଅଚଳ ହୋଇଯାଇଥିଲା।

Sambad

ଏହାରି ମଧ୍ୟରେ ଚାଷୀ ଆନ୍ଦୋଳନ କରିବା ପରେ ଯଦିଓ ସରକାର ବିଭିନ୍ନ ପର୍ଯ୍ୟାୟରେ ଟାର୍ଗେଟ ଦେଇ ୭୬୮୦ ଜଣ ଚାଷୀଙ୍କ ଠାରୁ ୭ ଲକ୍ଷ ୧୨ ହଜାର କୁଇଣ୍ଟାଲ ଧାନ କିଣିଥିଲେ। ତେବେ ୨୮୩୨ ଜଣ ଚାଷୀଙ୍କ ଠାରୁ ବଳକା ୩୦ ହଜାର କୁଇଣ୍ଟାଲ ଧାନ ଆଉ କିଣାଯାଇନି। ଟୋକନ୍ ପାଇ ବାତିଲ ହୋଇଥିବା ୬୯୦ ଜଣ ଚାଷୀଙ୍କର ଟୋକନ୍ ସଚଳ ହୋଇ ପାରିନଥିଲା। ବାତିଲ ଟୋକନ୍ ୬୯୦ ଟିକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ଜିଲ୍ଲାଯୋଗାଣ ବିଭାଗ ପକ୍ଷରୁ ସବୁ ଚାଷୀଙ୍କର ସଂପୁର୍ଣ୍ଣ ବିବରଣୀ ସହ ରାଜ୍ୟ ସରକାରଙ୍କୁ ଚିଠି ପଠାଇଥିଲେ। ତେବେ ତାହାର ପ୍ରତିଉତ୍ତର କିଛି ଆସି ନଥିବା କହିଛନ୍ତି ଜିଲ୍ଲାଯୋଗାଣ ଅଧିକାରୀ ତୁଳାରାମ ନାୟକ। ୨୦୨୦-୨୧ ଖରିଫରେ ୩୩୭୯୫ ଜଣ ଚାଷୀ ପଂଜିକୃତ କରିଥିବା ବେଳେ ଏବେ ପର୍ଯ୍ୟନ୍ତ ୩୦ ହଜାର ୯୬୩ ଜଣ ଚାଷୀଙ୍କ ଠାରୁ ୨୮ ଲକ୍ଷ ୭ ହଜାର ୬୮୦ କୁଇଣ୍ଟାଲ ଧାନ କିଣାଯାଇଛି।

୨୮୩୨ ଚାଷୀଙ୍କ  ଠାରୁ ପ୍ରାୟ ୩୦ ହଜାର କୁଇଣ୍ଟାଲ ଧାନ କିଣାଯାଇନଥିବା ଅଭିଯୋଗ କରିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି, ଚାଷୀ ପ୍ରତିନିଧି ମନୋଜ ପାତ୍ର, ଜୟନ୍ତ ପଟ୍ଟନାୟକ। ପ୍ରାୟ ୪୦୦ଜଣ ଚାଷୀଙ୍କ ଟୋକନ୍ ସଚଳ ହୋଇ ନ ପାରି ଏବଂ ‌ଶେଷ ପର୍ଯ୍ୟାୟରେ ଟୋକନ୍ ନ ଆସି କିଛି ଚାଷୀଙ୍କର ୧୮ ହଜାର କୁଇଣ୍ଟାଲ ଧାନ କିଣାଯାଇ ନି ବୋଲି କହିଛନ୍ତି ଜିଲ୍ଲାଯୋଗାଣ ଅଧିକାରୀ ଶ୍ରୀ ନାୟକ। କିଛି ଚାଷୀ ଅଭାବି ବିକ୍ରୀର ଶୀକାର ନିଶ୍ଚିତ ରୁପେ ହେବା ସହ କମ୍ ଦରରେ ଦଲାଲ ଓ ବ୍ୟବସାୟୀଙ୍କ ନିକଟରେ ବିକ୍ରୀ କରିଛନ୍ତି ଏଥିରେ ଦ୍ବିମତ ନାହିଁ ବୋଲି କହିଛନ୍ତି ଜିଲ୍ଲାଯୋଗାଣ ଅଧିକାରୀ।

ସମ୍ବନ୍ଧିତ ଖବର