ନୂଆପଡ଼ା ଜିଲ୍ଲାରେ ପୁଣି ୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆପଡ଼ା: ଆଜି ନୂଆପଡ଼ା ଜିଲ୍ଲାରେ ପୁଣି ୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୨୯ ଜଣ ସଂକ୍ରମିତଙ୍କ ମଧ୍ୟରୁ କୋମନାରେ ୧୭ ଜଣ, ନୂଆପଡ଼ା ମୁଖ୍ୟ ଡାକ୍ତରଖାନାରେ ୬ ଜଣ, ସିନାପାଲିରେ ୫ ଜଣ ଓ ଖରିଆରରୋଡରେ ଜଣେ ଅଛନ୍ତି। ନୂଆପଡ଼ା କୋଭିଡ୍ ଅଧିକାରୀ ଡ, ଗୋପାଳ ଚନ୍ଦ୍ର ମଲ୍ଲିକ ପ୍ରକାଶ କରିଛନ୍ତି।

ନୂଆପଡ଼ା ଜିଲ୍ଲାରେ ବେକାବୁ ହେଉଛି କରୋନାର ଦ୍ବିତୀୟ ଲହର। ଜିଲ୍ଲାର ସିନାପାଲି ବ୍ଲକ୍‌ ବ୍ରାହ୍ମଣପଡ଼ାରେ ବୁଧବାର ୨୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଗୁରୁବାର ଆଉ ୨ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହି ୨ଜଣ ପଡ଼ୋଶୀ କୋଟାମାଲ ଗ୍ରାମର। ପ୍ରଶାସନ ଗାଁକୁ ସିଲ୍‌ କରିଛି। ସ୍ଥାନୀୟ ସାପ୍ତାହିକ ବଜାରକୁ ମଧ୍ୟ ବନ୍ଦ କରିଛି। ସେହିପରି ଜିଲ୍ଲାର କୋମନା ବ୍ଲକ୍‌ରେ ଗୁରବାର ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରେ କେବଳ କୋନାବିରା ଗାଁର ୯ଜଣ ଆକ୍ରାନ୍ତ ରହିଛନ୍ତି। ଫଳରେ ଉକ୍ତ ପଞ୍ଚାୟତର ସରପଞ୍ଚ ଈଶ୍ବର ଚନ୍ଦ୍ର ନାଏକ ୨୫ରୁ ୩୧ତାରିଖ ପର୍ଯ୍ୟନ୍ତ ଗାଁକୁ ତାଲାବନ୍ଦ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାରେ କରୋନା ସଂକ୍ରମଣ ବ୍ୟାପିବା ଆରମ୍ଭ ହେବାଦିନ ଠାରୁ ନୂଆପଡ଼ା ଜିଲ୍ଲାରେ ଗତ ଜାନୁଆରି ମଧ୍ୟରେ ୭୫୦୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୭୪୫୫ ଜଣ ସୁସ୍ଥ ହୋଇଥିବା ବେଳେ ୪୪ ଜଣଙ୍କର ପ୍ରାଣହାନୀ ଘଟିଥିଲା। ଜିଲ୍ଲାରେ ମୋଟ ୧ ଲକ୍ଷ ୩ ହଜାର ୧୨୭ ଜଣଙ୍କର ନମୁନା ସଂଗ୍ରହ ହୋଇଥିଲା। ଗତ ଫେବ୍ରୁଆରି ମାସ ଠାରୁ କରୋନାର ଦ୍ବିତୀୟ ଲହର ଦେଖାଯିବା ପରେ ଗତ ମାର୍ଚ୍ଚ ୨୫ ଯାଏଁ ମୋଟ ୧ ଲକ୍ଷ ୨୫ ହଜାର ୯୯୪ ଜଣଙ୍କର ନମୁନା ସଂଗ୍ରହ ହୋଇଛି। ଏହାରି ମଧ୍ୟରେ ୧୫୭ ଜଣଙ୍କର ନମୁନାରେ ପଜିଟିଭ ମିଳିଛି। ୬୩ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ଜିଲ୍ଲାରେ ୯୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

 

ସମ୍ବନ୍ଧିତ ଖବର