ସୁନ୍ଦରଗଡ଼ : ସୁନ୍ଦରଗଡ଼ ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ଓଡ଼ିଶାର ଦ୍ବିତୀୟ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଓ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଥିଲେ। ଏହା ପରେ କେନ୍ଦ୍ରର ଏକ ବୈଷୟିକ ଟିମ୍ ଏହାର ଭିତ୍ତିଭୂମିର ଅନୁଧ୍ୟାନ ପାଇଁ ଶୁକ୍ରବାର ସୁନ୍ଦରଗଡ଼ ପହଞ୍ଚିଛନ୍ତି।

Advertisment

ଟିମରେ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶିକା ଡ. ଗୀତାଞ୍ଜଳି ବତମାନାବାନେ, ନୂଆଦିଲ୍ଲୀ ଏମ୍ସ ମେଡିକାଲ ଅଧିକ୍ଷକ ଡ. ଡି.କେ. ଶର୍ମା, ନୂଆଦିଲ୍ଲୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଭେଷଜ ଶିକ୍ଷା ନିର୍ଦ୍ଦେଶକ ଡ. ସଂଜୟ ରଏ, ନିର୍ଦ୍ଦେଶକ ନରେନ୍ଦ୍ର କୁମାର ଓଝା, ନୂଆଦିଲ୍ଲୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ବରିଷ୍ଠ ସ୍ଥପତି ରାଜୀବ କନାଉଜିଆ, ଓଡ଼ିଶା ସରକାରଙ୍କ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ଡ. ସି.ବି.କେ. ମହାନ୍ତି, ବ୍ରଜକିଶୋର ଦାସ, ପ୍ରକାଶଚନ୍ଦ୍ର ମହାନ୍ତି ଓ ଭୁବନେଶ୍ବର ଏମ୍ସ ଉପ ନିର୍ଦ୍ଦେଶକ ପି.କେ. ରାୟ ରହିଛନ୍ତି। ଟିମ୍ ଏନଟିପିସି ଦର୍ଲିପାଲିସ୍ଥିତ ଅତିଥି ଭବନରେ ରାତ୍ରିଯାପନ କରିବା ପରେ ଶନିବାର ସକାଳେ ସୁନ୍ଦରଗଡ଼ ଶଙ୍କରାସ୍ଥିତ ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି। ହସ୍ପିଟାଲର ଭିତ୍ତିଭୂମି ନିରୀକ୍ଷଣ କରି କେନ୍ଦ୍ରକୁ ପ୍ରାଥମିକ ରିପୋର୍ଟ ଦେବ ଟିମ୍। ଏ ଖବର ସୁନ୍ଦରଗଡ଼ବାସୀଙ୍କ ମନରେ ଉତ୍ସାହ ଭରିଛି। ଏହା ଏମ୍ସ ପ୍ରତିଷ୍ଠାର ପ୍ରାଥମିକ ପ୍ରକ୍ରିୟା ବୋଲି ସୂଚନା ମିଳିଥିବା ବେଳେ ଏଇଠୁ ଏମ୍ସ ପ୍ରତିଷ୍ଠା ପାଇଁ ବାଟ ଖୋଲିବ ବୋଲି ଆଲୋଚନା ହେଉଛି।