ଥମୁନି ଯୋଗାଣ ବିଭାଗ କେଳେଙ୍କାରୀ, ଡାଟାଏଣ୍ଟ୍ରି ଅପରେଟରଙ୍କ ଘରେ ଦ୍ବିତୀୟ ଯୋଗାଣ ଅଫିସ !

ରାଉରକେଲା: ସହକାରୀ ଯୋଗାଣ ଅଫିସ୍‌ର ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ପଦାକୁ ଆସିବାରେ ଲାଗିଛି। ନକଲି ଓଟିପି ଠାରୁ ଆରମ୍ଭ କରି ଭୂତ କାର୍ଡ, କିରାସିନ ହଡ଼ପ ଘଟଣା ଯୋଗାଣ ଅଫିସ୍‌ର ବିଭାଗୀୟ ଅଧିକାରୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏବେ ଆଉ ଏକ ସାଂଘାତିକ ଘଟଣା ସହରରେ ବେଶ ଚର୍ଚ୍ଚା ହେଉଛି। ଯୋଗାଣ ଅଫିସ୍‌ ଜଣେ କରିତକର୍ମା ଡାଟାଏଣ୍ଟ୍ରି ଅପରେଟରଙ୍କ ଘରେ ଖୋଲାଯାଇଛି ଦ୍ବିତୀୟ ଯୋଗାଣ ଅଫିସ୍। ତାହା ପୁଣି ସେକ୍ଟର -୧ ଅଞ୍ଚଳର ଆର୍‌ଏସ୍‌ପି ଜାଗାରେ। ଯେଉଁଠି ଡାଟାଏଣ୍ଟ୍ରି ଅପରେଟର ଜଣକ ଯୋଗାଣ ଅଫିସ୍‌ର ପ୍ରାୟ ଅଧିକାଂଶ କାମ କରୁଛନ୍ତି।

ସହରର କିଛି କଣ୍ଟ୍ରୋଲ ଦୋକାନୀ ଓ ଏସ୍‌ଏଚ୍‌ଜି ଗ୍ରୁପ୍‌ଙ୍କ ସହ ଭିତିରି ସଲାସୁତୁରା କରି ଏଭଳି କାମ କରୁଥିବା ଅଭିଯୋଗ ହେଉଛି। କେଉଁ କଣ୍ଟ୍ରୋଲ ଦୋକାନୀଙ୍କ ପାଖରେ ଅତିରିକ୍ତ କାର୍ଡ ଯୋଡାଯିବ, କେଉଁ ଏସ୍‌ଏଚ୍‌ଜି ଗ୍ରୁପ୍‌ରୁ ମିଳିଥିବା କାର୍ଡ କଟିବ ? ଏମିତି ଅନେକ କାମରେ ସେ ନିଷ୍ପତ୍ତି ନେଉଛନ୍ତି। ଏ ସଂକ୍ରାନ୍ତରେ ଅନେକ ହିତାଧିକାରୀ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କାର୍ଯ୍ୟାନୁଷ୍ଠାନ ଶୂନ। ବର୍ଷ ବର୍ଷ ଧରି ଡାଟାଏଣ୍ଟ୍ରି ଅପରେଟର ଜଣକ ଏଭଳି ବେଆଇନ କାମ କରି ଚାଲିଥିଲେ ହେଁ ରୋକିବାକୁ କେହି ନାହିଁ। କାରଣ ଡାଟାଏଣ୍ଟ୍ରି ଅପରେଟର ଜଣକ ବିଭାଗୀୟ ଅଧିକାରୀଙ୍କ କଳା କାରନାମା ସଂକ୍ରାନ୍ତରେ ଭଲଭାବେ ଜାଣିଛନ୍ତି। ତେଣୁ ବିଭାଗୀୟ ଅଧିକାରୀମାନେ କରିତକର୍ମା ଡାଟ୍ରାଏଣ୍ଟ୍ରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛନ୍ତି। ସେପଟେ ମାସ ମାସ ଧରି ଡାଟାଏଣ୍ଟ୍ରି ଜଣକ ସେକ୍ଟର-୧ ଅଞ୍ଚଳରେ ଅଫିସ୍‌ ଖୋଲି ଏମିତି କାମ କରୁଥିବା ସଂକ୍ରାନ୍ତରେ ବିଭାଗୀୟ ପାଖରେ ଖବର ଅଛି ତ? ଯଦି ଅଛି, ତାଙ୍କୁ ଏଭଳି କାମରୁ ବିରତ ରହିବାକୁ କାହିଁକି ବାରଣ କରାଯାଉ ନାହିଁ ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଠିବା ସ୍ବାଭାବିକ।

ଉଲ୍ଲେଖଯୋଗ୍ୟ, ସହରରେ ମୋଟ୍‌ ପ୍ରାୟ ୬୪ ହଜାର ୯୪୫ରୁ ଅଧିକ ରାସନ କାର୍ଡ ରହିଛି। ଏଥିମଧ୍ୟରୁ ୨ ହଜାର ୮୯୮ ହେଉଛନ୍ତି ଏଏୱାଇ କାର୍ଡ। ଏହି କାର୍ଡରେ ଦିବ୍ୟାଙ୍ଗ, ୬୦ ବର୍ଷରୁ ଅଧିକ ବୟସର ଅସହାୟ ବୃଦ୍ଧବୃଦ୍ଧା, ବିଧବା ଓ କିନ୍ନରଙ୍କୁ ମାସକୁ ୩୫ କେଜି ଲେଖାଏଁ ଚାଉଳ ଦିଆଯାଉଛି। ଏହାଦ୍ବାରା ମୋଟ୍‌ ୬ ହଜାର ୭୦୭ ଲୋକ ଉପକୃତ ହେଉଛନ୍ତି ବୋଲି କୁହା ଯାଉଛି। ଏମାନଙ୍କ ପାଇଁ ମାସକୁ ୧ ହଜାର ୧୪ କ୍ବିଣ୍ଟାଲ ଚାଉଳ ଉଠାଯାଉଛି। ସେମିତି ସହରରେ ରହିଛି ୨୧୧ଟି ଅନ୍ନପୂର୍ଣ୍ଣା କାର୍ଡ। ଯେଉଁ କାର୍ଡ ଜରିଆରେ ମାଗଣାରେ ହିତାଧିକାରୀଙ୍କୁ ମିଳୁଛି ମାସିକ ୧୦ କେଜି ଚାଉଳ।

ପ୍ରତିବର୍ଷ ସାଧାରଣ କାର୍ଡଧାରୀଙ୍କ ସଂଖ୍ୟା ବଢ଼ୁଛି ବା କମୁଛି। ‘ୱାନ୍‌ ନେସନ୍‌, ୱାନ୍‌ କାର୍ଡ’ ହେବା ପରେ ବାହାର ସ୍ଥାନ ଓ ବାହାର ରାଜ୍ୟର ଲୋକଙ୍କୁ ବାଦ୍‌ ଦେବାପରେ ସହରରେ ରାସନ କାର୍ଡ ସଂଖ୍ୟା ପୂ‌ର୍ବାପେକ୍ଷା କମିଛି। ବଣ୍ଟନ ଦାୟିତ୍ବରେ ଥିବା ସହରର ୧୬୯ କଣ୍ଟ୍ରୋଲ ଦୋକାନୀ ମଧ୍ୟରୁ ଅଧିକାଂଶଙ୍କ ପାଖରେ କାର୍ଡ ସଂଖ୍ୟା କମିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଗତ ୨୧ ବର୍ଷ ପରେ ମଧ୍ୟ ଏଏୱାଇ କାର୍ଡ ସଂଖ୍ୟା ଯାହା ଥିଲା, ଏବେ ମଧ୍ୟ ସେଇଆ ଅଛି। ଅର୍ଥାତ୍‌ ସହରରେ ଏଏୱାଇ କାର୍ଡଧାରୀଙ୍କ ସଂଖ୍ୟା କମୁନି କି ବଢ଼ୁନି। ଏହି ୨୧ ବର୍ଷ ଭିତରେ ଅନେକ କାର୍ଡଧାରୀଙ୍କର ପରଲୋକ ଘଟିଥିବ ନିଶ୍ଚୟ। ଯୋଗାଣ ବିଭାଗ ଓ କଣ୍ଟ୍ରୋଲ ଦୋକାନୀଙ୍କ ଭିତିରି ସଲାସୁତୁରା ଯୋଗୁଁ ବର୍ଷ ବର୍ଷ ଧରି ଏହି କାର୍ଡ ସଂଖ୍ୟା ସେମିତି ରହିଥିବା ଅଭିଯୋଗ ହେଉଛି। ଜଣେ ଜଣେ କଣ୍ଟ୍ରୋଲ ଦୋକାନୀ ଓ ଏସ୍‌ଏଚ୍‌ଜି ଅଧୀନରେ ବର୍ଷ ବର୍ଷ ଧରି ୩ଟିରୁ ଆରମ୍ଭ କରି ୨୭୦ ଟି ଏଏୱାଇ କାର୍ଡ ରହିଛି। ଝାତରଙ୍ଗର ଏକ ଏସ୍‌ଏଚ୍‌ଜିର ଅଧୀନରେ ୨୭୦ଟି, ୱାର୍ଡ ନଂ ୭ର ଅନ୍ୟ ଏକ ଏସ୍‌ଏଚ୍‌ଜି ପାଖରେ ୧୮୦ଟି, ସେକ୍ଟର-୨୦ର ଏସ୍‌ଏଚ୍‌ଜି ନିକଟରେ ୧୪୫ଟି ଏଏୱାଇ କାର୍ଡ ରହିଛି।

ୱାର୍ଡ ନଂ ୫ରେ ସେମିତି ଏକ ଏସ୍‌ଏଚ୍‌ଜି ପାଖରେ ୧୧୨ଟି, ୱାର୍ଡ ନଂ ୩୧ ରେ ଆଉ ଏକ ଏସ୍‌ଏଚ୍‌ଜିରେ ୭୩ଟି ଏଏୱାଇ କାର୍ଡ ରହିଛି। ଅନୁରୂପ ଭାବେ ୱାର୍ଡ ନଂ ୧ରେ ଜଣେ କଣ୍ଟ୍ରୋଲ ଦୋକାନୀଙ୍କ ପାଖରେ ସର୍ବାଧିକ ୮୮ଟି, ୱାର୍ଡ ନଂ-୫ର ଦୁଇ କଣ୍ଟ୍ରୋଲ ଦୋକାନୀଙ୍କ ପାଖରେ ଯଥାକ୍ରମେ ୬୨ ଓ ୪୨ଟି କାର୍ଡ ରହିଛି। ଏମିତି ଭାବେ ଅନ୍ୟ କିଛି କଣ୍ଟ୍ରୋଲ ଦୋକାନୀଙ୍କ ପାଖରେ ୨୬, ୩୨, ୨୫, ୨୨, ୪୦ଟି କରି ଏଏୱାଇ କାର୍ଡ ରହିଛି। ମାସକୁ ମାସ ଏଏୱାଇ କାର୍ଡ ନାଁରେ କ୍ବିଣ୍ଟାଲ କ୍ବିଣ୍ଟାଲ ଚାଉଳ କଣ୍ଟ୍ରୋଲ ଦୋକାନୀଙ୍କୁ ବଣ୍ଟନ କରିବାକୁ ଦିଆଯାଉଛି। ଏଥିରୁ ୬୦% ବଣ୍ଟନ ହେଉଛି, ଅବଶିଷ୍ଟ ୪୦% କଣ୍ଟ୍ରୋଲ ଦୋକାନୀଙ୍କ ପକେଟକୁ ଯାଉଛି ବୋଲି ଅଭିଯୋଗ ହେଉଛି। କାରଣ ଯେତିକି ଏଏୱାଇ କାର୍ଡ ରହିଛି, ସେତିକି ହିତାଧିକାରୀ ନାହାନ୍ତି। ଏମାନଙ୍କ ମଧ୍ୟରୁ କିଛି ହିତାଧିକାରୀଙ୍କର ମୃତ୍ୟୁ ହୋଇ ସାରିଲାଣି। ମାତ୍ର ସେମାନଙ୍କ କାର୍ଡରେ ମାସକୁ ମାସକୁ ଚାଉଳ ଉଠା ଚାଲିଛି ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର