ମୟୂରଭଞ୍ଜରେ ଆରମ୍ଭ ହେଲା ୨ୟ ପର୍ଯ୍ୟାୟ ଟୀକାକରଣ, ପ୍ରଥମ ଦିନରେ ୨୯୪୮ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ପ୍ରଦାନ

୧୩,୯୯୫ ସ୍ବାସ୍ଥ୍ୟକର୍ମୀ ନେଇସାରିଲେଣି ଟିକା

ବାରିପଦା : ଆଜିଠାରୁ ମୟୂରଭଞ୍ଜରେ ୨ୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହୋଇଛି। ପୁଲିସ୍‌, ଅଗ୍ନିଶମ, ଅବକାରୀ, ରାଜସ୍ବ କର୍ମଚାରୀ, ମୁନିସିପାଲିଟୀ ଅଧିକାରୀଙ୍କ ଭଳି ଆଗୁଆ ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯାଇଛି। ଆଜି ଜିଲ୍ଲାରୁ ୨୯୪୮ଜଣ ସମ୍ମୁଖ ଯୋଦ୍ଧା ଟିକା ନେଇଛନ୍ତି। ଜିଲ୍ଲାପାଳ ବିନୀତ ଭରଦ୍ବାଜ ପ୍ରଥମେ ଟିକା ନେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ହୋଇଥିବା ଟିକାକରଣ କେନ୍ଦ୍ରରେ ଜିଲ୍ଲାପାଳଙ୍କ ସମେତ ଏସ୍‌ପି ସ୍ମିତ୍‌ ପି ପରମାର ମଧ୍ୟ ଟିକା ନେଇଥିଲେ। ପ୍ରଥମେ ଟିକା ନେଇଥିବା ଜିଲ୍ଲାପାଳ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିବା ସହିତ ଟିକା ନେବାକୁ ପଞ୍ଜିକୃତ ହୋଇଥିବା ସମସ୍ତେ ଟିକା ନେବାକୁ ଆହ୍ବାନ କରିଥିଲେ। ଏହା ସମ୍ପୂର୍ଣ୍ଣ ସୁସ୍ଥ ଏବଂ ନିରାପଦ ବୋଲି କହିବା ସହିତ ଟିକା ନେବାକୁ ଉତ୍ସାହିତ କରିଥିଲେ ଜିଲ୍ଲାପାଳ।

ସେହିପରି ଏସ୍‌ପି ଶ୍ରୀ ପରମାର ମଧ୍ୟ ସମସ୍ତ ପୁଲିସ୍‌ କର୍ମଚାରୀ ଟିକା ନେବାକୁ ଉତ୍ସାହିତ କରିଥିଲେ।   ଜିଲ୍ଲାରେ ୭ହଜାର ୨୭୧ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଚିହ୍ନଟ କରାଯାଇଥିବାବେଳେ ଆଜି ଟିକା ନେବାକୁ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଫାସିଲେସନ୍‌ କେନ୍ଦ୍ର, ରିଜର୍ଭ ପୁଲିସ୍‌ ଅଫିସ,  ରଙ୍ଗାମାଟିଆସ୍ଥିତ ୫ମ ବାଟାଲିଅନ ଏବଂ ପାଲବଣିସ୍ଥିତ ବାରିପଦା ସଦର ବ୍ଲକରେ  ବୁଥ୍‌ କରାଯାଇଥିଲା। ସେହିପରି ଜିଲ୍ଲାର ୨୬ ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ମୋଟ ୨୯ ଟି ଟିକାକରଣ କେନ୍ଦ୍ରରେ ଏହା ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବାରିପଦା ଉପଜିଲ୍ଲାପାଳ ତଥା ପୌରନିର୍ବାହୀ ଅଧିକାରୀ ପି. ଅନ୍ନେଷା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି ଓ ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ବେହେରା, ପିଡି ଡିଆରଡିଏ ଭବେଶ କୁମାର ନାୟକ, ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି ପ୍ରମୁଖଙ୍କ ସମେତ ସଂପୃକ୍ତ ବିଭାଗ ପଦାଧିକାରୀ / କର୍ମଚାରୀ ମାନେ ଟୀକା ନେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ରୂପଭାନୁ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ କୋଭିଡ ଟୀକାକରଣ କାର୍ଯ୍ୟକ୍ରମରେ ଜିଲ୍ଲା କୋଭିଡ ନୋଡାଲ ଅଧିକାରୀ ଡ଼ା ଜ୍ଞାନ ରଞ୍ଜନ ମହାନ୍ତି, ଡିପିଏମ୍ ଏନ୍‌ଆର୍‌ଏଚ୍‌ଏମ୍ ପି ପି ପତି, ହସ୍ପିଟାଲ୍ ମ୍ୟାନେଜର ସମୀର ମହାପାତ୍ର, ସମ୍ପୃକ୍ତ ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ ସେବାରେ ନିୟୋଜିତ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଜାରି ରହିଥିବା ଟିକାକରଣରେ ଆଜି ସୁଦ୍ଧା ୧୩,୯୯୫ ଜଣ ଟିକା ନେଇସାରିଲେଣି। ଜିଲ୍ଲାରେ ଏନେଇ ୧୮,୪୨୬ଜଣ ସ୍ବାସ୍ଥ୍ୟସେବା କର୍ମଚାରୀ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର