ବସ୍ ଚକା ତଳେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ପୃଥକ ଦୁର୍ଘଟଣାରେ ଜଣେ ମହିଳା ମୃତ,୩ ଗୁରୁତର

ଭଞ୍ଜନଗର: ଆଜି ଅପରାହ୍ନ ସମୟରେ ଭଞ୍ଜନଗର ଥାନା ଅଞ୍ଚଳରେ ୩ଟି ପୃଥକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଭାବେ ଆହାତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ସହର ଉପକଣ୍ଠ ଗଣ୍ଡିଶୂଳା ନିକଟରେ ଏକ ବସ୍ ସହ ଧକ୍କା ହେବା ଫଳରେ ବାଇକ ଚାଳକ ଗୁରୁତର ହୋଇଥିବା ବେଳେ ବାଇକରେ ବସିଥିବା ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ନୂଆଗାଁର ରୀନା ସାହୁ(୩୩)।

ରୀନା ବାପ ଘର ଖୁଖୁଣ୍ଡିଆରେ ହୋଇଥିବା ବେଳେ ବେଲଗୁଣ୍ଠା ଗ୍ରାମର ମଙ୍ଗୁଳୁ ପାତ୍ର(୩୪)ଙ୍କ ସହିତ ସୋରାଦେବୀ ମନ୍ଦିର ପଟକୁ ଯାଉଥିଲେ। ଏହି ସମୟରେ ବାଟରେ ଗଣ୍ଡିଶୂଳ ଗ୍ରାମ ଛକ ନିକଟରେ ଏକ ବସ ସହିତ ଧକ୍କା ହେବା ଫଳରେ ଉଭୟ ରାସ୍ତା ଉପରେ ଛିଟିକି ପଡିଥିଲେ। ଯାହା ଫଳରେ ରୀନା ବସ୍ ଚକା ତଳେ ପଡି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ମଙ୍ଗୁଳୁ ଗୁରୁତର ଭାବେ ଆହାତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଭଞ୍ଜନଗର ଡାକ୍ତରଖାନ ଏବଂ ପରେ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପୁଲିସ୍ ରୀନାଙ୍କ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ଗୃହରେ ରଖିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସଟି ପଳାଇ ଯାଇଥିବା ବେଳେ ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି। ସେହିପରି ବ୍ରହ୍ମପୁର ସଦର ଥାନା ବରପଲ୍ଲୀ ଗ୍ରାମର ସଞ୍ଜୟ ଦାସ ନିଜ ବାଇକରେ ଯାଉଥିବା ବେଳେ ଭେରେଡା ଛକ ଠାରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲେ। ଯାହା ଫଳରେ ତାଙ୍କ ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଥିଲା।

ତୁରନ୍ତ ସଞ୍ଜୟକୁ ଘଟଣାସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହପରି ଭଞ୍ଜନଗର ଥାନା ଗମ୍ଭାରୀ ଗୋଚ୍ଛାରେ ଏକ ପଥର ଉପରେ ବାଇକ୍ ଚଢି ଯିବାରୁ ଜଣେ ଗୁରୁତର ଭାବେ ଆହାତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଲଣ୍ଡେଇସାହିର ଗୋପାଳ ଚନ୍ଦ୍ର ଗୌଡଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ଗୌଡ ନିଜ ବନ୍ଧୁଙ୍କ ସହ ଡହ ବୁଲିବା ପାଇଁ ଯାଇ ଫେରୁଥିବା ବେଳେ ଗମ୍ଭାରୀଗୋଚ୍ଛା ଠାରେ ଏକ ପଥର ଉପରେ ତାଙ୍କ ବାଇକ ଚଢି ଯିବାରୁ ଗୁରୁତର ଭାବେ ଆହାତ ହୋଇଥିଲେ। ୧୦୮ ଆମ୍ଭୁଲାନ୍ସରେ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର