ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ମାମଲା :୧ ବର୍ଷ ୯ ମାସ ପରେ ଜେଲ୍‌ ଗଲେ ୩ ଅଭିଯୁକ୍ତ

ଲରମ୍ଭା: ଗୁଣିଗାରେଡ଼ି ସନ୍ଦେହରେ ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଚିଟିକାମାଲ ଗାଁରେ ଦମ୍ପତିଙ୍କୁ ହତ୍ୟା ମାମଲାର ତିନି ଅଭିଯୁକ୍ତ ଶୁକ୍ରବାର ଜେଲ୍‌ ଯାଇଛନ୍ତି। ସେମାନେ ହେଲେ ଉକ୍ତ ଗାଁର କାଲାରସିଂ ମହାନନ୍ଦ, ଲକ୍ଷ୍ମଣ ମହାନନ୍ଦ ଓ ସତ୍ୟ ରାଉତ। ଅଭିଯୁକ୍ତମାନେ ଘଟଣା ଦିନରୁ ବର୍ଷେ ୯ ମାସ ଧରି ଫେରାର୍‌ ଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ ଯେ ୨୦୧୯ ସେପ୍ଟେମ୍ବର ମାସରେ ଚିଟିକାମାଲ ଗାଁର ନାରାୟଣ ବରିହାଙ୍କ ଦେଢ଼ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା। ଗାଁର ଚିନ୍ତାମଣି ବରିହା (୫୫ବର୍ଷ) ଓ ତାଙ୍କ ପତ୍ନୀ ରୁକ୍ମିଣୀ ବରିହା ଗୁଣିଗାରେଡ଼ି କରିଥିବା ସନ୍ଦେହ କରି ସେମାନଙ୍କୁ ସେହିମାସ ୧୬ ତାରିଖ ଦିନ ଗାଁ ଲୋକଙ୍କ ଉପସ୍ଥିତିରେ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ପରେ ଉଭୟଙ୍କ ଶବକୁ ଦୁଇଟି ବସ୍ତାରେ ଭର୍ତି କରି ନିକଟସ୍ଥ ଚିତା ଡୁଙ୍ଗୁରି ପାହାଡ଼ରେ ଫିଙ୍ଗି ଦିଆଯାଇଥିଲା। ଏହି ମାମଲାରେ ଲରମ୍ଭା ପୁଲିସ ଚିଟିକାମାଲ ଗାଁର ଅଭିଯୁକ୍ତ ନାରାୟଣ ବରିହା (୨୩ବର୍ଷ), ସ୍ବରୂପ ଘିବେଲା (୪୦ବର୍ଷ), ଗୌରାଙ୍ଗ ପୋଢ଼ (୨୫ବର୍ଷ) ଏବଂ କୃଷ୍ଣ ବରିହା (୬୦ବର୍ଷ)ଙ୍କୁ ଗରିଫ କରି କୋର୍ଟଚାଲାଣ କରିଥିଲା। ହେଲେ ଘଟଣା ଦିନଠାରୁ ଅନ୍ୟ ଅଭିଯୁକ୍ତମାନେ ଫେରାର୍‌ ଥିଲେ। ନୂତନ ଭାବେ ଯୋଗଦାନ କରିଥିବା ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତାଙ୍କ ନେତୃତ୍ବରେ ଏକ ଟିମ୍‌ ଗୁରୁବାର ରାତିରେ ଚିଟିକାମାଲ ଗାଁରେ ଚଢ଼ଉ କରି ଉକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଶୁକ୍ରବାର ସକାଳେ ତିନିଜଣଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର