ଯୁବକକୁ ମରଣାନ୍ତକ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା

୩ ଯୁବକ ଗିରଫ, ଜଣେ ନାବାଳକ ଅଟକ

ବାରିପଦା: ବାରିପଦା ପୌରପରିଷଦର ତୁଳସୀଚଉରା ନାଥ ଗଳିରେ ସ୍ଥାନୀୟ ୱାର୍ଡ ନଂ-୧୫ ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳର ଜଣେ ୧୬ ବର୍ଷ ବୟସର ନାବାଳକ ତାଙ୍କର ୧୫ରୁ ଅଧିକ ସହଯୋଗୀଙ୍କ ସହିତ ୱାର୍ଡ ନଂ-୨୬ ଭୁଗୁଡ଼ାକଟା ଅଞ୍ଚଳର କ୍ରିଷ୍ଣା ଘଡ଼େଇଙ୍କୁ ଅଟକାଇ ଭୁଜାଲି, ଶାବଳ ଆଦି ମାରଣାସ୍ତ୍ରରେ ଆକ୍ରମଣ କରିବା ସାଙ୍ଗକୁ ତାଙ୍କର ଓଡି ୧୧ୟୁ ୫୫୦୧ ନମ୍ବର ବିଶିଷ୍ଟ ବାଇକଟିକୁ ଭାଙ୍ଗିରୁଜି ଦେଇଥିଲେ। ଗତକାଲି ରାତିରେ ଏପରି ଘଟଣା ଘଟିଥିଲା। ଏଥିସହିତ ଆକ୍ରମଣକାରୀମାନେ ଯୁବକଙ୍କୁ ଜାତିଆଣା ଆକ୍ଷେପ କରି ଗାଳିଗୁଲଜ କରିବା ସହିତ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିଲେ ।

ଏହି ମିଳିତ ଆକ୍ରମଣରେ କ୍ରିଷ୍ଣା ଘଡ଼େଇଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା । ଆହତ ହୋଇ ପିଆରଏମ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି କ୍ରିଷ୍ଣା। ଆହତଙ୍କ ଭାଇ ବୁଲୁ ଘଡ଼େଇଙ୍କ ଅଭିଯୋଗ ଅନୁସାରେ ବାରିପଦା ଟାଉନ ଥାନା ପୁଲିସ୍ ଅଭିଯୁକ୍ତ ନାବାଳକଙ୍କୁ ଅଟକ ରଖିଛି। ଏଥସହିତ ଏହି ଆକ୍ରମଣରେ ସାମିଲ ଅନ୍ୟ ୩ଜଣଙ୍କୁ ଗିରଫ କରାଯାଇଛି। ଏନେଇ ଥାନରେ କେସ୍ ନମ୍ବର ୧୬୩/୨୦୨୧ ମୂନେ ଦଫା ୩୪୧, ୩୨୩, ୩୨୪, ୩୦୭, ୩୭୯ ଓ ୩୪ ଅନୁସାରେ ଏକ ମାମଲା ରୁଜୁ କରାଯାଇଥିବା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ ୱାର୍ଡ ନଂ-୧୫ ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳର ହେମନ୍ତ ସାହୁଙ୍କ ପୁଅ ପ୍ରଦ୍ୟୁମ୍ନ କୁମାର ସାହୁ(୨୨), ପ୍ରସନ୍ନ ମହାପାତ୍ରଙ୍କ ପୁଅ ସରୋଜ କୁମାର ମହାପାତ୍ର(୨୩) ଏବଂ ୱାର୍ଡ ନଂ- ୨୩ ତୁଳସୀଚଉରା ଅଞ୍ଚଳର ମନୋରଞ୍ଜନ ଥାଟୋଇଙ୍କ ପୁଅ ରମାକାନ୍ତ ଥାଟୋଇ(୨୫)। ୩ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲଣ କରାଯାଇଛି। ଏଥିସହିତ ଆକ୍ରମଣରେ ବ୍ୟବହୃତ ଏକ କ୍ରିକେଟ ବ୍ୟାଟ, ୩ଟି ଉଇକେଟ ଷ୍ଟିକ୍କୁ ପୁଲିସ ଜବତ କରିଛି ।

ସମ୍ବନ୍ଧିତ ଖବର