ଧର୍ମଶାଳା: ୮ ଦିନ ହେଲା ଧର୍ମଶାଳା ଥାନା ଅଞ୍ଚଳରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅପହରଣ ଉଦ୍ୟମ କରୁଥିବା ୨ଜଣ ଯୁବକଙ୍କୁ କାବୁ କରି ଲୋକେ ଆଜି ପୁଲିସ୍ ଜିମା ଦେଇଛନ୍ତି। ଖବରପାଇ ପୁଲିସ୍ ଥାନୁଆଳ ପଞ୍ଚାୟତ କାନପୁର ଗାଁ ଛକରୁ ୨ଜଣ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ସୂଚନା ଆଧାରରେ ଅନ୍ୟଜଣେ ସହଯୋଗୀକୁ ମଧ୍ୟ ଗିରଫ କରାଯାଇଛି। ଅନ୍ୟ ଜଣେ ଫେରାର୍ ହୋଇଯାଇଛି। ସେମାନଙ୍କ ନିକଟରୁ ଏକ ଆପାଚି ବାଇକ୍ ଜବତ ହୋଇଛି। ଗିରଫ ଅଭିଯୁକ୍ତ ଚହଟା ଗ୍ରାମର ସେକ୍ ସାହିଲ(୨୨), ପରୀକ୍ଷିତ ଗୋଛାୟତ(୨୨) ଓ ସହଯୋଗୀ ଧର୍ମଶାଳା ବଜାର ଡାକବଙ୍ଗଳା ନିକଟରେ ରହୁଥିବା ସେକ୍ ଇସାକ୍ (୨୩)ଙ୍କୁ ଚଣ୍ତିଖୋଲ କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁସାରେ, ଗୁଆରଙ୍ଗ ଗାଁର ୪ଜଣ ହାଇସ୍କୁଲ ଛାତ୍ରଛାତ୍ରୀ ନୂଆଗାଁରୁ ଟ୍ୟୁସନ ହୋଇ ସକାଳ ପ୍ରାୟ ୯ଟାରେ କାନପୁର ଗାଁ ଛକଦେଇ ସାଇକଲରେ ଘରକୁ ଫେରୁଥିଲେ। ଅଭିଯୁକ୍ତମାନେ ଏହି ସମୟରେ ଛାତ୍ରୀମାନଙ୍କୁ ବାଟରେ ଅଟକାଇ ମୋବାଇଲ ନମ୍ବର ମାଗିଥିଲେ। ଗତ ୧୧ତାରିଖରେ ୪ଜଣ ଯୁବକ ସେମାନଙ୍କୁ ଏମିତି ହଇରାଣ କରିଥିବାରୁ ପୂର୍ବ ଯୋଜନା ମୁତାବକ, ସେମାନେ ସତର୍କ ଥିଲେ। ପିଲାମାନଙ୍କ ମଧ୍ୟରୁ ଜଣେ ଘର ଲୋକଙ୍କୁ ଫୋନ୍ କରି ଘଟଣା ସଂପର୍କରେ ଜଣାଇ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ପରିବାର ଲୋକ ପହଞ୍ଚି ସାହିଲ୍ ଓ ପରୀକ୍ଷିତକୁ କାବୁ କରିଥିଲେ। ଲୋକମାନେ ଉଭୟଙ୍କୁ ନିର୍ଧୂମ୍ ଛେଚିଥିଲେ। ଇସାକ୍ କୌଶଳକ୍ରମେ ଚମ୍ପଟ ମାରିଥିଲା। ପୁଲିସ୍ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଅନ୍ୟ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା।
ସୂଚନାଯୋଗ୍ୟ ଯେ ଗତ ୬ତାରିଖରେ ଜାରକା ଷ୍ଟାଡ଼ିୟମ ରାସ୍ତାରେ ଷଷ୍ଠ ଶ୍ରେଣୀ ଛାତ୍ର ଓମ୍ ସାଇପ୍ରସାଦ(୧୨)ଙ୍କୁ ଅପହରଣ ଉଦ୍ୟମ ହୋଇଥିବା ତାଙ୍କ ବାପା ଚୋରମୁହାଁ ଗ୍ରାମର ସୁଶାନ୍ତ କୁମାର ବେହେରା ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ। ଏହାର ୬ଦିନ ପରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ସୂର୍ଯ୍ୟାଂଶୁ ବାରିକ(୧୧)ଙ୍କୁ ଅପହରଣ ଉଦ୍ୟମ ହୋଇଥିବା ତାଙ୍କ ବାପା କୁମାରୀ ଜାମୁବଣିଆରେ ରହୁଥିବା ସାରଦା ପ୍ରସନ୍ନ ବାରିକ ଗତ ୧୨ତାରିଖରେ ଜାରକା ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି। ଗତ ୧୨ତାରିଖରେ ମଙ୍ଗଳପୁର ଗାଁ ରାସ୍ତାରେ ସ୍କୁଲକୁ ଯାଉଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଆକ୍ରମଣ ଓ ଅପହରଣ ଉଦ୍ୟମ ହୋଇଥିବା ଧର୍ମଶାଳା ଥାନାରେ ଅଭିଯୋଗ ହୋଇଛି। ଆଜି ପୁଣି ଅଭିଯୁକ୍ତମାନେ ଏକ ଅପହରଣ ଉଦ୍ୟମ କରୁଥିବା ବେଳେ ୩ ଜଣ ଧରାପଡ଼ିଛନ୍ତି। ଯାଜପୁର ରୋଡ୍ ଏସ୍ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କେସ୍ ନମ୍ବର-୭୮୩/୨୩ରେ ୩ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଆଇଆଇସି ତପନ କୁମାର ନାୟକ କହିଛନ୍ତି।